ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଓଡି଼ଶାର 4ଟି ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ । ମେ ମାସ 13 ତାରିଖରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ମତଦାନ ହେବ । ଏହି 4 ସଂସଦୀୟ କ୍ଷେତ୍ର ଅନ୍ତର୍ଗତ 28 ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ତାରିଖ ଓ ସମୟ ମଧ୍ୟ ଧାର୍ଯ୍ୟ ହୋଇଛି । 28 ବିଧାନସଭା ଆସନର ନିର୍ବାଚନ ପାଇଁ ରାଜ୍ୟପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୋଟରଙ୍କ ସଂଖ୍ୟା:
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, "ନାମାଙ୍କନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଥିବାବେଳେ 25 ତାରିଖ ଶେଷ ଦିନ । 26 ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, 29 ତାରିଖ ପ୍ରତ୍ୟାହାର ତାରିଖ ରହିଛି । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର 4 ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ । ମହିଳା ଭୋଟରଙ୍କ ସଂଖ୍ୟା ହେଉଛି 31 ଲକ୍ଷ 87 ହଜାର 771 । ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି 30 ଲକ୍ଷ 96 ହଜାର 243 । ଏହି ୪ ସଂସଦୀୟ କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା 62 ଲକ୍ଷ 84 ହଜାର 649 । କିନ୍ନର ଭୋଟରଙ୍କ ସଂଖ୍ୟା 635 । 4 ସଂସଦୀୟ କ୍ଷେତ୍ରରେ 18ରୁ 19 ବର୍ଷର ଭୋଟରଙ୍କ ଅନୁପାତ ହେଉଛି 2.78 ପ୍ରତିଶତ, 20ରୁ 29 ବର୍ଷ ହେଉଛି 23.34 ପ୍ରତିଶତ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 କୋଟି 36 ଲକ୍ଷ ଭୋଟର ଅଛନ୍ତି । ସେଥିରୁ ପୁରୁଷ ଭୋଟର ହେଉଛନ୍ତି 1 କୋଟି 70 ଲକ୍ଷ ଓ ମହିଳା ଭୋଟର ହେଉଛନ୍ତି 1 କୋଟି 66 ଲକ୍ଷ । ରାଜ୍ୟରେ ଲିଙ୍ଗ ଅନୁପାତ ହେଉଛି 974 । ରାଜ୍ୟରେ 18ରୁ 19 ବର୍ଷର ଭୋଟର ସଂଖ୍ୟା ହେଉଛି 8.69 ଲକ୍ଷ । ଯାହା ମୋଟ ଭୋଟରଙ୍କ ସଂଖ୍ୟାର 2.59 ପ୍ରତିଶତ । ଦିବ୍ୟାଙ୍ଗ ଭୋଟରଙ୍କ ଅନୁପାତ ହେଉଛି 1.56 ପ୍ରତିଶତ । 20ରୁ 29 ବର୍ଷର ଭୋଟରଙ୍କ ସଂଖ୍ୟା ହେଉଛି 70.40 ଲକ୍ଷ । ଯାହା ମୋଟ ଭୋଟରର 21 ପ୍ରତିଶତ ।
ପୋଲିଂ ଷ୍ଟେସନ:
କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ରରେ 7ହଜାର 289 ପୋଲିଂ ଷ୍ଟେସନ ରହିଛି । 15ଶହରୁ ଅଧିକ ଭୋଟର ଥିବାରୁ ଅତିରିକ୍ତ ପୋଲିଂ ଷ୍ଟେସନ ହେଉଛି 14 ।
ନାମାଙ୍କନ ବେଳେ ବଡ଼ ରାଲି ବାରଣ:
ଅଂଶୁଘାତକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ ମଧ୍ୟ କରାଯାଇଛି । ନାମାଙ୍କନବେଳେ ବଡ଼ ରାଲି ନକରିବାକୁ ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରାଯାଇଛି । ଆଇଏମଡି ପକ୍ଷରୁ ଜାରି ହେଉଥିବା ଅଂଶୁଘାତ ନିର୍ଦ୍ଦେଶନାମା ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
3 ପର୍ଯ୍ୟବେକ୍ଷକ ନିଯୁକ୍ତ:
ରାଜ୍ୟରେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନ 3 ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି । ଏହି 3 ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଆଇଏଏସ, ଅବସରପ୍ରାପ୍ତ ଆଇପିଏସ ଓ ଜଣେ ଅବସରପ୍ରାପ୍ତ ଆଇଆରଏସ ଅଫିସର । 4 ସଂସଦୀୟ ଓ 28 ବିଧାନସଭା କ୍ଷେତ୍ର ପାଇଁ 3 ଜଣ ପର୍ଯ୍ୟବେକ୍ଷକ ଯଥା ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ସେମାନେ ଆଦର୍ଶ ଆଚରଣ ବିଧି ଠିକ ପାଳନ, ସୁରକ୍ଷା ବ୍ୟବସ୍ଥା, ପ୍ରାର୍ଥୀଙ୍କ ଖର୍ଚ୍ଚକୁ ଯାଞ୍ଚ କରିବେ ।
ମାଓ ଅଞ୍ଚଳରେ ଭୋଟିଂ ସମୟ ସଙ୍କୁଚିତ:
ସାଧାରଣତଃ ଭୋଟ ସକାଳ 7ରୁ ଆରମ୍ଭ ହୋଇ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିଥାଏ । ପ୍ରଥମ ପର୍ଯ୍ୟାୟରେ କିଛି ଅଞ୍ଚଳରେ ଭୋଟିଂ ସମୟ ପରିବର୍ତ୍ତନ କରାଯାଇଛି । ମାଓ ଅଞ୍ଚଳରେ ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟିଂ ସମୟରେ ପରିବର୍ତ୍ତନ ବା ସଙ୍କୁଚିତ କରାଯାଇଛି । ନୂଆପଡ଼ା ଜିଲ୍ଲାର 2 ନିର୍ବାଚନ ମଣ୍ଡଳୀରେ 68 ଭୋଟ କେନ୍ଦ୍ରରେ ଅପରାହ୍ନ 4ଟାରେ ମତଦାନ ସରିବ । ଅନ୍ୟାନ୍ୟ କେନ୍ଦ୍ରରେ 5ଟାରେ ସରିବ । କଳାହାଣ୍ଡି ଜିଲ୍ଲାର 5 ବିଧାନସଭା କ୍ଷେତ୍ରରୁ ଲାଞ୍ଜିଗଡ଼ରେ 4ଟାରେ ଭୋଟିଂ ସରିବ । ନର୍ଲ୍ଲାରେ 19 ମତଦାନ କେନ୍ଦ୍ରରେ 4 ଟାରେ ସରିବ । ଅନ୍ୟାନ୍ୟ କେନ୍ଦ୍ରରେ 5ଟାରେ ସରିବ । ନବରଙ୍ଗପୁରର 4 ବିଧାନସଭା କ୍ଷେତ୍ରରେ 62 ମତଦାନ କେନ୍ଦ୍ରରେ 4 ଟାରେ ପୋଲିଂ ସରିବ । ଅନ୍ୟ ସ୍ଥାନରେ ସନ୍ଧ୍ୟା 6 ପର୍ଯ୍ୟନ୍ତ ଭୋଟ ଚାଲିବ । କୋରାପୁଟ ଜିଲ୍ଲାର 5 ବିଧାନସଭା କ୍ଷେତ୍ରରୁ ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ଅପରାହ୍ନ 4ଟାରେ ଭୋଟିଂ ସରିବ ।
ଏହା ବି ପଢନ୍ତୁ....ଆଚରଣ ବିଧି ଲାଗୁ ପରେ ରାଜ୍ୟରୁ ଜବତ ହେଲାଣି 118 କୋଟି - Model Code Of Conduct Violation
କୋଟପାଡ଼ ଓ କୋରାପୁଟରେ 5 ଟା ଯାଏଁ ଭୋଟିଂ ଚାଲିବ । ଜୟପୁରରେ 6 ଟା ଯାଏଁ ମତଦାନ ହେବ । ମାଲକାନଗିରିରେ 2 ବିଧାନସଭା କ୍ଷେତ୍ରରେ ଅପରାହ୍ନ 5ଟାରେ ଭୋଟିଂ ସରିବ । ରାୟଗଡ଼ାରେ ଅପରାହ୍ନ 5ଟାରେ ପୋଲିଂ ସରିବ । ଗଜପତିରେ 2 ବିଧାନସଭା କ୍ଷେତ୍ରରୁ ମୋହନାରେ 4ଟାରେ ପୋଲିଂ ସରିବ । ପାରଳାଖେମୁଣ୍ଡିରେ 6ଟାରେ ଭୋଟିଂ ସରିବ । ସୁରକ୍ଷା ପାଇଁ 10 କମ୍ପାନୀ ବିଏସଫ, 5 କମ୍ପାନୀ ସିଆଇଏସଫ, ନିୟୋଜିତ ହୋଇଛନ୍ତି । ଭୋଟରଙ୍କୁ ସଚେତନ କରିବା ଘରେ ଘରେ ଲିଫ୍ ଲେଟ ବଣ୍ଟାଯିବ । ସବୁ ବୁଥ ଗୁଡ଼ିକରେ ORS ଏବଂ ପାନୀୟ ଜଳ ପ୍ରଚୁର ପରିମାଣରେ ରଖିବାକୁ କୁହାଯାଇଛି । ସେହିପରି ଆମ୍ବୁଲାନ୍ସକୁ ମହଜୁଦ ରଖିବା ପାଇଁ କୁହାଯାଇଛି । ଅଂଶୁଘାତର ଲକ୍ଷଣ ନେଇ ପୋଲିଂ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର