ବଲାଙ୍ଗୀର: ଆଜି ପୌଷ ପୂର୍ଣ୍ଣିମା । ପଶ୍ଚିମ ଓଡିଶାରେ ଧୁମଧାମରେ ପାଳନ ହେବ କୃଷିଭିତ୍ତିକ ଗଣପର୍ବ ପୁଷପୁନି । ହେଲେ ଆଜି ଦିନକୁ ସରକାରୀ ଛୁଟି ଘୋଷଣା ପାଇଁ ଦାବି କରିଥିଲେ ବିଭିନ୍ନ ସଙ୍ଗଠନ । ଏପରିକି ରାଜ୍ୟ ସରକାରଙ୍କୁ ଏହାକୁ ନେଇ ଟାର୍ଗେଟ କରିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଛନ୍ତି । ପୂର୍ବରୁ ମଧ୍ୟ ନୂଆଖାଇରେ ଛୁଟି ଘୋଷଣା କରିବା ବଦଳରେ ବାଚସ୍ପତି ନିର୍ବାଚନ ରଖିଥିଲେ । ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସେ ।
ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ କୃଷିଭିତ୍ତିକ ଗଣପର୍ବ ପୌଷ ପୂର୍ଣ୍ଣିମା ବା ପୁଷପୁନି । ଯାହାକୁ ନେଇ ସବୁବେଳେ ଉତ୍ସାହିତଥାନ୍ତି ଚାଷୀ । ଯାହାକୁ ପଶ୍ଚିମ ଓଡ଼ିଶାରେ ଅତି ଧୁମଧମାରେ ପାଳନ କରାଯାଏ । ତେବେ ଏହା ପାଇଁ ସବୁ ପ୍ରସ୍ତୁତି ସରିଛି । ତେବେ ଏହି ପର୍ବ ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ ହୋଇଥିବାରୁ ସରକାର ଛୁଟିର ଦାବି କରିଥିଲେ ଅଞ୍ଚଳବାସୀ । ସରକାରୀ ଛୁଟି ଘୋଷଣା ନହେବାରୁ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ପ୍ରଥମେ ଚାଷ ଅମଳ ହେବା ପରେ ତାକୁ ଆହରଣ କରିବାର ପରମ୍ପରା ନୂଆଖାଇ ଭାବରେ ପାଳିତ ହୋଇଥାଏ । ସେହିପରି ପରବର୍ତ୍ତୀ ସମୟରେ ଅର୍ଥାତ ପୌଷ ପୂର୍ଣ୍ଣିମାରେ ଚାଷୀ ପୁଷପୁନି ପର୍ବ ପାଳନ କରିଥାନ୍ତି । ତେବେ ଏହି ପର୍ବରେ ବର୍ଷ ତମାମାର ହିସାବ କିତାବ କରିଥାଏ ଚାଷୀ । ଚାଷ ପାଇଁ ହୋଇଥିବା ସବୁ ଲେଣଦେଣ ଏହି ଦିନରେ ଚୁଡାନ୍ତ ହୋଇଥାଏ । ସେହିପରି ଆଗାମୀ ବର୍ଷ ଚାଷ ପାଇଁ ଶ୍ରମିକ ଠାରୁ ଆରମ୍ଭ କରି ଚାଷ ପାଇଁ ଦରକାର ସବୁ କାର୍ଯ୍ୟ ପାଇଁ ଅଗ୍ରୀମ ହିସାବ କୀତାବ କରିଥାଏ ଚାଷୀ ।
ଏହା ମଧ୍ୟ ପଢ଼ନ୍ତୁ... ଅରିନ୍ଦମ ଓ ଦେବାଶିଷଙ୍କ ପୃଥକ ଶୋଭାଯାତ୍ରା, ଭାଇଚାରା ସହରରେ ରାଜନୈତିକ ତାତି
ଏହି ଦିନରେ ଘରେ ଘରେ ନୂଆ ଚାଉଳରେ ମଣ୍ଡା ପିଠା ଓ ଅନ୍ୟାନ ଭୋଜନ ପ୍ରସ୍ତୁତ କରାଯାଇଥାଏ । ହିସାବ କିତାବ ସରିବା ପରେ ସମସ୍ତେ ମିଳିମିଶି ଏହାକୁ ଆହରଣ କରିଥାନ୍ତି । ଯାହା ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଏକତା ଆଣିଥାଏ । କିନ୍ତୁ ଏଥର ମଧ୍ୟ ରାଜ୍ୟ ସରକାର ଏହି ପର୍ବ ଅବସରରେ ଛୁଟି ଘୋଷଣା କରି ନାହାନ୍ତି । ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବିଶିଷ୍ଟ କୋଶଳବାଦୀ ନେତା ପ୍ରମୋଦ ମିଶ୍ର କହିଛନ୍ତି, ‘‘ରାଜ୍ୟର ଅନ୍ୟ ପର୍ବ ପାଳନ ନହେଲେ ମଧ୍ୟ ରାଜ୍ୟ ସରକାର ତାକୁ ରାଜ୍ୟ ସ୍ତରୀୟ ସରକାରୀ ଛୁଟି ଭାବରେ ଘୋଷଣା କରାଯାଏ, କିନ୍ତୁ ପଶ୍ଚିମ ଓଡ଼ିଶାର ଏହି ଗଣ ଭିତ୍ତିକ ପର୍ବ ପାଇଁ ଛୁଟି ଘୋଷଣା ନକରିବା ନିନ୍ଦନୀୟ । ସରକାର ତୁରନ୍ତ ଛୁଟି ଘୋଷଣା ନକଲେ ଏଠିକାର ଦୁଇ କୋଟି ଲୋକ ପ୍ରତିବାଦ କରିବେ ।’’
ସେପଟେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି, ‘‘ରାଜ୍ୟ ସରକାର ସବୁ ବେଳେ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଛନ୍ତି । ପୂର୍ବରୁ ଏଠିକାର ଗଣ ପର୍ବ ନୂଆଖାଇରେ ଛୁଟି ଘୋଷଣା ନକରି ସେହି ଦିନ ବାଚସ୍ପତି ନିର୍ବାଚନ ରଖିଥିଲେ । ପରେ ତାଙ୍କର ପ୍ରତିବାଦ ପରେ ତାହାକୁ ଘୁଞ୍ଚା ଯାଇଥିଲା । ସେପଟେ ଏଥର ମଧ୍ୟ ପୌଷ ପୂର୍ଣ୍ଣିମା ଯାହାକି ଏଠିକାର କୃଷି ଭିତ୍ତିକ ଗଣ ପର୍ବ ଅଟେ ସେଥିରେ ଛୁଟି ଘୋଷଣା ନକରିବାକୁ ନେଇ ପୁଣି ଅବହେଳା ପ୍ରସଙ୍ଗ ଉଠାଇଛନ୍ତି ।’’
ଇଟିଭି ଭାରତ, ବଲାଙ୍ଗୀର