ରାଉରକେଲା: ରାଜ୍ୟରେ ବହିବାରେ ଲାଗିଛି ନିର୍ବାଚନୀ ହାୱା । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ମଧ୍ୟ ହୋଇ ଉଠିଲାଣି ସରଗରମ । ସେପଟେ ନିର୍ବାଚନ ପୂର୍ବରୁ ଦିନକୁ ଦିନ ବଢିବାରେ ଲାଗିଛି ବିଧାୟକ ବିରୋଧୀ ହାୱା । ଜନତାଙ୍କୁ ପସନ୍ଦ ଆସୁନାହିଁ ବିଧାୟକ ସୁବ୍ରତ ତରାଇଙ୍କ କାର୍ଯ୍ୟ । ସେ ଲୋକଙ୍କ ପାଇଁ କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି । ସେ ଲଗାତାର ତିନି ତିନି ଥର ବିଧାୟକ ହୋଇଥିଲେ ମଧ୍ୟ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ସେପଟେ ଚଳିତ ନିର୍ବାଚନରେ ନୁଆ ମୁହଁକୁ ବାଛିବା ପାଇଁ ସ୍ଥିର କରିଛନ୍ତି ଲୋକେ । ବିଜେଡି ପକ୍ଷରୁ ସୁବ୍ରତ ତରାଇ 2009,2014 ଏବଂ 2019 ତିନି ଥର ବିଜୟୀ ହୋଇ ନିଜର ପତିଆରା ଜାହିର କରିଛନ୍ତି । ହେଲେ ସୁବ୍ରତ ଅଧିକାଂଶ ସମୟ ନିଜ ନିର୍ବାଚନ ମଣ୍ଡଳୀ ରହୁନଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧୀନରେ ଅଧିକ ସ୍ଥାନ ରହିଛି ।
ରାଉରକେଲା ଷ୍ଟିଲ ଟାଉନ ଶିପ ସହର ୨୨ଟି ସେକ୍ଟର ଏବଂ ଏହାର ସମସ୍ତ ବସ୍ତି ଅଞ୍ଚଳ, ଲାଠିକଟା ବ୍ଲକର ୬ଟି ପଞ୍ଚାୟତ ଯଥା ରାମଯୋଡି, ସୁଇଡ଼ିହି, ହାତିବନ୍ଧ, ମୁଣ୍ଡାଜୋର, ଜଳଦା ଏବଂ ଲାଠିକଟା ରହିଛି । ଏହି ସମସ୍ତ ଅଞ୍ଚଳରେ ବିଧାୟକଙ୍କ ବିରୋଧରେ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳିଛି । ନିଜ ଅଞ୍ଚଳ ଛାଡି କେବଳ ଭୁବନେଶ୍ୱରରେ ଯାଇ ରହୁଥିବା ଲୋକେ ଅଭିଯୋଗ କରିବା ସହ କିଛି ଦିନ ବସ୍ତିବାସିନ୍ଦା ବିଧାୟକ ନିଖୋଜ ଥିବା ପୋଷ୍ଟର ଲଗାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ସମସ୍ୟାର ଗନ୍ତା ଘର କହିଲେ ଅତୃକ୍ତି ହେବନାହିଁ ।
ଏହା ମଧ୍ୟ ପଢନ୍ତୁ ....ଆନ୍ଦୋଳନରତ ଚିନିକଳ କର୍ମଚାରୀଙ୍କୁ ମିଳିବ ବକେୟା ଦରମା
ଭୋଟରଙ୍କ ହାତରେ ରହିଛି ସମସ୍ୟାର ଲମ୍ବା ଚିଠା । ବିଶେଷ କରି ରାଉରକେଲା ଷ୍ଟିଲ ଟାଉନ ଶିପ ଅଞ୍ଚଳରେ ଥିବା ବସ୍ତି ଗୁଡିକରେ ପାନୀୟ ଜଳ ଠାରୁ ନେଇ ଶୌଚାଳୟ ପର୍ଯ୍ୟନ୍ତ ସବୁଠି ଅସୁବିଧା ଦେଖିବାକୁ ମିଳିଛି । ଏବଂ ଷ୍ଟିଲ ଟାଉନ ଶିପ ଛାଡିଦେଲେ ଗ୍ରାମାଞ୍ଚଳରେ ରହିଛି ବହୁତ ଅବହେଳା ଅସୁବିଧା ଭିତରେ ଜନ ସାଧାରଣ । ଏହି ଅଞ୍ଚଳରେ ଚିକିତ୍ସା ଠାରୁ ନେଇ ଶୌଚାଳୟ ,ବସ ଷ୍ଟାଣ୍ଡ, ଏବଂ ବ୍ରିଜ ସହ ରାସ୍ତାଘାଟ ଏବଂ ଘରଦ୍ୱାର ସହ ପାନୀୟ ଜଳ ସମସ୍ୟା ଲାଗି ରହିଛି । ସେପଟେ ରଘୁନାଥପାଲ୍ଲୀ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଆଜି ବି ବେକାରୀ ସମସ୍ୟା ପ୍ରବଳ ରହିଛି । ସାଧାରଣ ଲୋକଙ୍କ ଅସୁବିଧାକୁ ନେଇ ଅଞ୍ଚଳରେ କେବେ କେଉଁଠି ମୁହଁ ଖୋଲି ନାହାନ୍ତି ବିଧାୟକ ।
ଇଟିଭି ଭାରତ, ରାଉରକେଲା