ବୌଦ୍ଧ: ଅନ୍ଧକାରରେ ଦିନ କାଟୁଛନ୍ତି ଜିଲ୍ଲାର ଶୁଆପାବଲି ଗ୍ରାମବାସୀ । ଦୁଇ ମାସ ତଳେ ଟ୍ରାନ୍ସଫରମର ପୋଡ଼ି ଯାଇଥିଲା । ହେଲେ ଏପର୍ଯ୍ୟନ୍ତ ତାହାର କୌଣସି ସମାଧାନ ହୋଇପାରିନାହିଁ । ଫଳରେ ବିଦ୍ୟୁତ ସମସ୍ୟା କାରଣରୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଅନେକ ବାର ଟାଟାପାୱାର ଅଧିକାରୀଙ୍କୁ ଜଣାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ନୂତନ ଟ୍ରାନ୍ସଫରମର ଆସିଲେ ଏହି ସମସ୍ୟାର ସମାଧାନ ହେବ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।
ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ହେବ ଅନ୍ଧକାର ମଧ୍ୟରେ ଜୀବନ ବିତାଉଛନ୍ତି ଶୁଆପାବଲି ଗ୍ରାମବାସୀ । ଘଟଣାଟି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମନୁପାଲି ପଞ୍ଚାୟତର ଉପାନ୍ତ ଶୁଆପାବଲି ଗ୍ରାମର । ଉପାନ୍ତ ଅଞ୍ଚଳରେ ବିଦ୍ୟୁତ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ତେବେ ଦୁଇ ମାସ ତଳେ କୋଣସି କାରଣରୁ ଗାଁର ଟ୍ରାନ୍ସଫରମର ପୋଡ଼ି ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାହାର ମରାମତି କରାଯାଇ ନାହିଁ । ଦିନ ବେଳେ ସମୟ ଅତିବାହିତ ହୋଇଯାଉଛି । କିନ୍ତୁ ରାତି ବେଳେ ବିଜୁଳି ନଥିବା କାରଣରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ରାତିରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଠାକାର ଅଞ୍ଚଳବାସୀ । ଡେଙ୍ଗା ମୁଣ୍ଡରେ ଠେଙ୍ଗା ପରି ବିଜୁଳି ସମସ୍ୟା ସାଙ୍ଗକୁ ବନ୍ୟଜନ୍ତୁଙ୍କ ଭୟ । ନିକଟବର୍ତ୍ତୀ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସକ୍ରିୟ ଥିବା କାରଣରୁ ସଂଧ୍ୟା ପରେ ସୋକେ ନିଜ ଘରେ ବନ୍ଦ ହୋଇ ରହୁଛନ୍ତି ।