କେନ୍ଦ୍ରାପଡା: ଜିଲ୍ଲାର ଆଳି ତହସିଲ ଅଧୀନସ୍ଥ ବାଳକାଟି (ବାଲିଚନ୍ଦ୍ରପୁର) ମୌଜାରେ ଥିବା ଶହଶହ ଏକର ସରକାରୀ ଜମିରୁ ବେଧଡ଼କ ବେଆଇନ ମାଟି ଚୋରାଚାଲାଣ କରି ମାଟି ମାଫିଆ ମାଲାମାଲ ହେଉଥିବା ବେଳେ ବାଲିଚନ୍ଦ୍ରପୁର ଗ୍ରାମବାସୀମାନେ ଭୟଭୀତ ଭାବେ ଜୀବନ ବିତାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ବେଆଇନ ମାଟି ଚାଲାଣକୁ ବିରୋଧ କରି ଗାଁର ଶତାଧିକ ମହିଳା, ପୁରୁଷ ଓ ଛୋଟପିଲା ମାନେ ଗାଁ ରାସ୍ତାରେ ଧାରଣାରେ ବସି ରହିବା ପ୍ରଶାସନିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛି ।
ଜିଲ୍ଲାରେ ସରକାରୀ ଜମିରୁ ବେଧଡକ ଚାଲିଛି ମାଟି ଚୋରାଚାଲାଣ । ପ୍ରତିଦିନ ଏକର ଏକର ଜମିରୁ ଶହ ଶହ ଟ୍ରାକ୍ଟର ମାଟି ବୋହିନେଉଛନ୍ତି ମାଟି ମାଫିଆ । ହେଲେ ତହସିଲ ସବୁ ଜାଣି ଅଜଣା ! ଯାହାକୁ ନେଇ ରାସ୍ତା ରୋକ କରିବା ସହ ଧାରଣାରେ ବସିରହିଛନ୍ତି ବାଲିଚନ୍ଦ୍ରପୁର ଗ୍ରାମବାସୀ । ବାଲିଚନ୍ଦ୍ରପୁର ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁଯାୟୀ, "ପ୍ରତ୍ୟେକ ଦିନ ୪ ରୁ ୫ ଟି ଜେସିବି ସହ ଶତାଧିକ ଟ୍ରାକ୍ଟର ବାଲିଚନ୍ଦ୍ରପୁର ଗାଁ ପାଖରେ ଥିବା ସରକାରୀ ଜମିରୁ ମାଟି ଚୋରାଚାଲାଣ କରୁଛନ୍ତି । ପାଖାପାଖି ୧୦ ରୁ ୧୨ ଫୁଟ ଗାତ କରି ମାଟିକୁ ଚୋରି କରି ନେଇ ସାରିଲାଣିି ।"
ଗ୍ରାମବାସୀମାନେ ଆଉମଧ୍ୟ କହିଛନ୍ତି ଯେ, ମାଟି ମାଫିଆମାନେ ପ୍ରଶାସନକୁ ହାତବାରିସୀ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ଗାଁ ଦାଣ୍ଡରେ ମାଟି ବୋଝେଇ ଟ୍ରାକ୍ଟର ଦ୍ରୁତ ଗତିରେ ଯା ଆସ କରୁଥିବାରୁ ଛୋଟ ପିଲାଙ୍କ ସମେତ ଗ୍ରାମବାସୀ ଘରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ପିଲାମାନେ ସ୍କୁଲକୁ ଯାଇପାରୁନହାନ୍ତି ଓ ଧୂଳି ଉଡ଼ୁଥିବାରୁ ଗୃହିଣୀମାନଙ୍କୁ ରୋଷେଇ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି ।"
ସେହିପରି ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଟ୍ରାକ୍ଟର ଚାପାରେ ଏକ କୁକୁରର ମୃତ୍ୟୁ ହେବାରୁ ଗ୍ରାମବାସୀମାନେ ଏହାର ପ୍ରତିବାଦ କରିଥିଲେ । ହେଲେ ଲୋକଙ୍କୁ ଟ୍ରାକ୍ଟର ଚଢାଇ ମାରିଦେବାକୁ ମାଟି ମାଫିଆମାନେ ଧମକ ଦେଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ବେଆଇନ ମାଟି ଚାଲାଣକୁ ବନ୍ଦ କରିବା ସହିତ ଗାଁରେ ଟ୍ରାକ୍ଟର ଚଳାଚଳ ବନ୍ଦ କରିବା ପ୍ରତିବାଦରେ ଗ୍ରାମବାସୀ ଧାରଣାରେ ବସି ରହିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି l
ଇଟିଭି ଭାରତ, କେନ୍ଦ୍ରାପଡା