ବୌଦ୍ଧ: ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଏକ ସ୍ବାଭାବିକ ଘଟଣା । ହେଲେ ଗ୍ରୀଷ୍ମ ଆରମ୍ଭରୁ ଜଳସଙ୍କଟରେ ଲୋକେ ଜର୍ଜରିତ ହେବା ନିଶ୍ଚିତ ଭାବେ ଚିନ୍ତାର କାରଣ । ଏଭଳି ଅଭାବନୀୟ ପରିସ୍ଥିତିକୁ ସାମ୍ନା କରୁଛନ୍ତି ବୌଦ୍ଧ ମାଉଳିସିଙ୍ଗା ଗ୍ରାମବାସୀ । ସେପଟେ ଜିଲ୍ଲାର ଗ୍ରାମ୍ୟ ଜଳଯୋଗାଣ ବିଭାଗ ଉପରେ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବକେୟା ଥିବାବେଳେ ଚଳିତ ମାସରୁ କିଭଳି ବିଭିନ୍ନ ସ୍ଥାନରେ ଜଳଯୋଗାଣ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ ।
ଡହ ଡହ ଖରାରେ ସିଝୁଛି ସାରା ଜିଲ୍ଲା । ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିବା ସହିତ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଉଛି । ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ଅଭାବରୁ ସାଧାରଣ ଲୋକେ ପାହାଡି ନାଳ ଝରଣାରେ ଚୂଆ ଖୋଳି ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ବୌଦ୍ଧ ସହରକୁ ସଂଲଗ୍ନ କରୁଥିବା ମାଉଳିସିଙ୍ଗା ଗାଁ ଯାହାକି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ପରିଚିତ । ସେଠାରେ ମଧ୍ୟ ପାନୀୟ ଜଳକୁ ନେଇ ସମସ୍ୟା ଲାଗି ରହିଛି । ଗ୍ରାମାଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ।
ଏହା ମଧ୍ୟ ପଢନ୍ତୁ- ବିକାଶ ଆଢୁଆଳରେ ଆଢେଣୀଗଡ; ପହଞ୍ଚି ପାରୁନି ସରକାରୀ ଯୋଜନା, ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ
ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ଅଙ୍ଗନବାଡି, ବିଦ୍ୟାଳୟ ଭଳି ଅନେକ ସ୍ଥାନରେ ପାନୀୟ ଜଳର ସୁବ୍ୟବସ୍ଥା ଆଦୌ ନାହିଁ । ସେପଟେ ବୌଦ୍ଧ ଜିଲ୍ଲାର ଗ୍ରାମ୍ୟ ଜଳଯୋଗାଣ ବିଭାଗର ତିନୋଟି ବ୍ଲକର ମେଗା ପାନୀୟ ଜଳ ପ୍ରକଳ୍ପର ୮୪ ଲକ୍ଷ ଟଙ୍କା ଏବଂ ବିଭିନ୍ନ ପଞ୍ଚାୟତରେ ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ଦେୟ ବକେୟା ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ମାର୍ଚ୍ଚ ମାସ ଯୋଗୁଁ କୌଣସି ସମୟରେ ମଧ୍ୟ ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ କାଟର ସମ୍ଭାବନା ରହିଛି । ଏନେଇ ବୁଦ୍ଧିଜୀବୀ ଜଳ ଯୋଗାଣ ବିଭାଗର ଅପାରଗତାକୁ ଦାୟୀ କରି ଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଟାଟା ପାଓ୍ବାର ନିର୍ବାହୀ ଯନ୍ତ୍ରୀ । ତେବେ ଗ୍ରାମବାସୀମାନେ ମୌଳିକ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ପ୍ରଶାସନ କେବେ ଏହାର ସମାଧାନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଇଟିଭି ଭାରତ, ବୌଦ୍ଧ