ବ୍ରହ୍ମପୁର: ପାଠ ପଢିବା ପରେ ଜୀବନରେ କେମିତି ସଫଳତା ପାଇବେ, ନିଜର ଲକ୍ଷ୍ୟ ପୂରଣ ପାଇଁ କ'ଣ ପ୍ରସ୍ତୁତି କରିବେ ଏବଂ ଜଣେ ବିଦ୍ୟାର୍ଥୀ ନିଜ ଜୀବନରେ ସଫଳ ହେବାକୁ କିପରି ସମୟ ସହ ତାଳ ଦେଇ ସଚୋଟ୍ଟ, ନିର୍ଭୀକ ଏବଂ ସମୟାନୁବର୍ତ୍ତୀ ହେବେ ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଦ୍ୟାର୍ଥୀଙ୍କୁ ବୁଝାଇଲେ ବରିଷ୍ଠ ମିଲେଟାରୀ ଓ ପାରାମିଲିଟାରୀ ଅଧିକାରୀ । ଶୁକ୍ରବାର ବ୍ରହ୍ମପୁର ସହରରେ ଆୟୋଜିତ ହୋଇଥିବା ‘ଉଡାଣ ୨୦୨୪’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେନା ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ଏପରି ଭାବେ ସଫଳତାର ମନ୍ତ୍ର ଦେଇଥିଲେ ।
ବ୍ରହ୍ମପୁରର ଏହି ‘ଉଡାଣ ୨୦୨୪’ କାର୍ଯ୍ୟକ୍ରମରେ ଅତିଥି ରୂପେ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ଗୋପାଳପୁରର କମାଣ୍ଡେଣ୍ଟ ସେନା ମେଡାଲ୍ ବିଜେତା ବ୍ରିଗେଡିୟର ଇନ୍ଦ୍ରଜିତ ସିଂହ ପଞ୍ଜରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ୍ ସ୍ପେଶାଲ ଏକୋନୋମିକ ଜୋନ୍ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି କାର୍ଯ୍ୟକ୍ରମରେ ଗୋପାଳପୁର ଏ .ଆର.ଓ ନିର୍ଦ୍ଦେଶକ କର୍ଣ୍ଣଲ ଆନନ୍ଦ ତନ୍ତୀ, ଭାରତୀୟ ତଟରକ୍ଷୀ ବାହିନୀ ଗୋପାଳପୁରର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଧନଞ୍ଜୟ କୁମାର ମିଶ୍ର ଏବଂ କମାଣ୍ଡେଣ୍ଟ ବିକ୍ରମ ପଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ନିଜର ଉଜ୍ଜଳ ଭବିଷ୍ୟତ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ ଭାରତୀୟ ସେନାରେ ନୂତନ ଭାବରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ଏବଂ ବିଦ୍ୟାର୍ଥୀମାନେ କିପରି ସେଥିରେ ସାମିଲ ହେବେ ସେନେଇ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ସରିଲା ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ
ଏହା ମଧ୍ୟ ପଢନ୍ତୁ: ବ୍ରହ୍ମପୁରର ୮ମ ଶ୍ରେଣୀ ଛାତ୍ରୀ ଇରାଙ୍କ କମାଲ, Saxophone ବଜାଇ ଜିତୁଛନ୍ତି ମନ
ଏହି ଅବସରରେ ଟାଟା ଷ୍ଟିଲ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୫୪୪ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ୪୯.୪୧ ଲକ୍ଷ ଟଙ୍କା ଜ୍ୟୋତି ଫେଲୋସିପ୍ରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ମୁଖ୍ୟତଃ ଅର୍ଥନୈତିକ ସ୍ତରରେ ପଛୁଆ ଜନଜାତି ଏବଂ ଆଦିବାସୀ ପରିବାରର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାଗତ ଓ କ୍ୟାରିୟର ଅଭିଳାଷ ପୂରଣ କରିବାରେ ଏଭଳି ଛାତ୍ର ବୃତ୍ତି ସହାୟ ହେଉଥିବା ବେଳେ ଛାତ୍ରଛାତ୍ରୀ ଭଲ ପାଠ ପଢି କଠିନ ପରିଶ୍ରମ ବଳରେ ସେମାନଙ୍କ ପରିବାର ତଥା ଦେଶ ପାଇଁ ଗୌରବ ଆଣିବାକୁ ଆହ୍ୱାନ କରାଯାଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର