କେନ୍ଦ୍ରାପଡା: ଘରେ ଲାଗିଲା ନିଆଁ । ଜଳିଗଲେ ଦୁଇ କୁନି କୁନି ଭାଇ-ଭଉଣୀ । ଆଜି ସ୍ୱାଧୀନତା ଦିବସ ପାଇଁ ଗାଁଠାରୁ ସହର ଉତ୍ସବମୁଖର ଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୁରୁଣ୍ଟି ପଞ୍ଚାୟତର ବଳରାମପୁର ଗାଁରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ନିଆଁରେ ପୋଡି ହୋଇ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି । ଭଉଣୀର ବୟସ 11 ବର୍ଷ ହୋଇଥିବାବେଳେ ଭାଇର ବୟସ 9 ବର୍ଷ ହୋଇଥିବା ଜଣାପଡିଛି । ଦୁହିଁଙ୍କ ନାମ ଅନୁପମା ସାହାଣୀ ଓ ଋଷି ସାହାଣୀ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ନିଆଁ ଲାଗି ଫାଟିଲା ସିଲିଣ୍ଡର:
ଯାହା ସୂଚନା ମିଳିଛି, ଆଜି (ଗୁରୁବାର) ସକାଳ ସମୟରେ ଏହି ଅଘଟଣ ଘଟିଥିଲା । ବଳରାମପୁର ଗାଁର ସୁକାନ୍ତ ସାହାଣୀଙ୍କ ଦୁଇ ବଖରା ଚାଳ ଘରେ କୌଣସି କାରଣରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିମିଷକରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା ପୁରା ଘର । ନିଆଁ ଲାଗିବା ଯୋଗୁଁ ଘରେ ଥିଲା ଗ୍ୟାସ୍ ସିଲିଣ୍ଡର ମଧ୍ୟ ଫାଟି ଯାଇଥିଲା । ଦୁର୍ଭାଗ୍ୟବଶତଃ ଏହି ସମୟରେ ଘର ଭିତରେ ଦୁଇ ଶିଶୁ ରହିଥିଲେ । ଫଳରେ ଦୁହେଁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୁକାନ୍ତ ସାହାଣୀ ଗରୀବ ଶ୍ରେଣୀର ହୋଇଥିବାବେଳେ ବାହାର ରାଜ୍ୟରେ ଦାଦନ ଖଟୁଥିବା ଜଣାପଡିଛି । ଏହି ଅଘଟଣ ବେଳେ ଦୁଇ ଭାଇ-ଭଉଣୀ ଅନୁପମା ଓ ଋଷି ଆଜି ସ୍ବାଧୀନତା ଦିବସରେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ । ନିଆଁ ଲାଗିବା ପରେ ଦୁହେଁ ଆଉ ଘରୁ ବାହାରି ପାରିନଥିଲେ ।
ଏହା ମଧ୍ୟ ପଢନ୍ତୁ: କେମିକାଲ ବୋଝେଇ ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ - container caught fire
ନିଆଁ ଲିଭାଇବା ଉଦ୍ୟମ ଜାରି:
ଦୁଇ କୁନି କୁନି ଭାଇ-ଭଉଣୀଙ୍କ ଏଭଳି ଦୁଃଖଦ ମୃତ୍ୟୁ ସମଗ୍ର ଗାଁରେ ଶୋକର ଛାୟା ଖେଳାଇ ଦେଇଛି । କାନ୍ଦବୋବାଳିରେ ଫାଟି ପଡୁଛି ମୃତ ଶିଶୁଙ୍କ ପରିବାର । ତେବେ କେମିତି ଘରେ ନିଆଁ ଲାଗିଲା ସେନେଇ କିଛି ଜଣାପଡିନାହିଁ । ଗ୍ରାମବାସୀଙ୍କ ସହାୟତାରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ଖବର ପାଇ କେନ୍ଦ୍ରାପଡା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ରାଜନଗର ବିଧାୟକ, ତହସିଲଦାର ଘଟଣାସ୍ଥଳରେ ଓ ମେଡ଼ିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ଜିଲ୍ଲା ଜରୁରୀକାଳୀନ ପାଣ୍ଠିରୁ ୬୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା