ରାଇରଙ୍ଗପୁର: ଲାଞ୍ଚ ନେବାବେଳେ ଧରାପଡ଼ିଲେ ସରକାରୀ ବାବୁ । ବିଶୋଇ ବ୍ଲକର ଦକ୍ଷତା ବିକାଶ ସଂଯୋଜକ (Skill Development Coordinator) ପ୍ରଦ୍ୟୁକ୍ତି ରଞ୍ଜନ ଭୁୟାଁ ଓ ବ୍ଲକ ପ୍ରକଳ୍ପ ଅଧିକାରୀ (Block Project Manager) ଲକ୍ଷ୍ମଣ କୁମାର ବିଶ୍ବାଳଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେମାନେ ୬୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେମାନଙ୍କୁ କାବୁ କରିଛି । ସୂଚନା ଅନୁସାରେ, ମିଶନ ଶକ୍ତି ଏବଂ ଓଡ଼ିଶା ସରକାରଙ୍କ ଜୀବନଜୀବିକା ମିଶନ ଅନ୍ତର୍ଗତ ଜୁଡିଆ ଗ୍ରାମପଞ୍ଚାୟତ ସ୍ତରୀୟ ୟୁନିଅନରେ ନିଯୁକ୍ତି ପାଇଁ ସେମାନେ ଲାଞ୍ଚ ମାଗିଥିଲେ । ଲିଲିମଣୀ ଟୁଡୁଙ୍କୁ ମାଷ୍ଟର ବୁକ୍ କିପର୍ (MBK) ପଦରେ ନିଯୁକ୍ତି ଦେବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ପ୍ରଦ୍ୟୁକ୍ତି ଓ ଲକ୍ଷ୍ମଣ ।
ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଜୁଡିଆ ଗ୍ରାମପଞ୍ଚାୟତ ସ୍ତରୀୟ ୟୁନିଅନର ସଭାପତି ଦେୱାଲା କିସ୍କୁ ବାଲେଶ୍ଵର ଭିଜିଲାନ୍ସ ବିଭାଗ ନିକଟରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗରେ MBK ପଦରେ ନିଯୁକ୍ତି ଦେବା ପାଇଁ ଲାଞ୍ଚ ମଗାଯାଇଥିବା କଥା ଦର୍ଶାଯାଇଥିଲା । ଅଭିଯୋଗକୁ ଆଧାର କରି ବାଲେଶ୍ଵର ଭିଜିଲାନ୍ସ ବିଭାଗ ଓ ମୟୂରଭଞ୍ଜ ଭିଜିଲାନ୍ସ ବିଭାଗ ମିଳିତ ଭାବେ ଏକ ଯୋଜନା ପ୍ରସ୍ତୁତ କରିଥିଲେ।
ଏହା ମଧ୍ୟ ପଢନ୍ତୁ...ଲାଞ୍ଚ ନେଇ ଫସିଲେ ଆରଆଇ, ଗିରଫ କଲା ଭିଜିଲାନ୍ସ
ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ପଞ୍ଝାରେ ପ୍ରିନ୍ସିପାଲ, ଲାଇବ୍ରେରିଆନଙ୍କଠାରୁ ନେଉଥିଲେ ଲାଞ୍ଚ
ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ ଆରଆଇ, 20 ହଜାର ଲାଞ୍ଚ ନେଇ ଧରାପଡିଲେ
ପୂର୍ବ ଯୋଜନା ଅନୁଯାୟୀ, ଆଜି ଦେୱାଲା କିସ୍କୁ କେମିକାଲ ବୋଳା ହୋଇଥିବା ୬୦ହଜାର ଟଙ୍କା SDC ପ୍ରଦ୍ୟୁକ୍ତି ରଞ୍ଜନ ଭୁୟାଁଙ୍କୁ ଦେଇଥିଲେ। ପ୍ରଦ୍ୟୁକ୍ତି ସେହି ଟଙ୍କାରୁ ୩୦ହଜାର ଟଙ୍କା BPM ଲକ୍ଷ୍ମଣ ବିଶ୍ବାଳଙ୍କୁ ଦେଇଥିଲେ। ସେପଟେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଦୁଇ ଜଣ ଲାଞ୍ଚୁଆ ଅଧିକାରୀଙ୍କୁ କାବୁ କରିବା ସହ କେମିକାଲ ବୋଳା ଲାଞ୍ଚ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ଅଭିଯୁକ୍ତ ହେଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ତୁଳସୀଚଉରା କାଳିକାପୁର ଅଞ୍ଚଳର ପ୍ରଦ୍ୟୁକ୍ତି ରଞ୍ଜନ ଭୁୟାଁ ଓ ଭଦ୍ରକ ଜିଲା ବାସୁଦେବପୁର ଥାନା ରାଜାପୋଖରୀ ଅଞ୍ଚଳର ଲକ୍ଷ୍ମଣ ବିଶ୍ୱାଳ। ପ୍ରଦ୍ୟୁକ୍ତିଙ୍କ ଅଫିସ, କାଳିକାପୁର ସ୍ଥିତ ବାସଭବନ ଓ ଲକ୍ଷ୍ମଣ କୁମାର ବିଶ୍ବାଳଙ୍କ ଅଫିସ, ରାଜାପୋଖରୀ ସ୍ଥିତ ପୈତୃକ ଘର ଓ ଭଡାଘରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ।
ଇଟିଭି ଭାରତ, ମୟୂରଭଞ୍ଜ