ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ତ୍ରିପୁରାର ରାଜ୍ୟପାଳ ଇନ୍ଦ୍ରସେନ ରେଡ଼ି ନାଲୁ । ଆଜି ପୂର୍ବାହ୍ନରେ ତ୍ରିପୁରା ରାଜ୍ୟପାଳ ପୁରୀଗସ୍ତରେ ଆସିଥିଲେ । ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ବାଗତ କରାଯାଇଥିଲା । ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଥିଲେ ।
ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ରାଜ୍ୟପାଳ ପ୍ରବେଶ କରି ପ୍ରଥମେ ପତିତପାବନଙ୍କୁ ଦର୍ଶନ କରିଥିଲେ । ଏହାପରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ବେଶ୍ ଭାବ ବିଭୋର ହୋଇଥିଲେ । ପରେ ମାଆ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ । ଏହାସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖି ମଧ୍ୟ ବେଶ୍ ଆନନ୍ଦ ଅନୁଭବ କରିଥିଲେ ରାଜ୍ୟପାଳ ।
ଏହି ଅବସରରେ ସେ କହିଥିଲେ," ସାରା ବିଶ୍ବରେ ପୁରୀ ଏକ ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ କ୍ଷେତ୍ର ରୂପେ ପରିଚିତ । ପ୍ରତିଦିନ ବିଶ୍ବର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ତେଣୁ ଶ୍ରୀକ୍ଷେତ୍ରର ଏଭଳି ବିକାଶ କାର୍ଯ୍ୟ ମହାପ୍ରଭୁଙ୍କ ପାଇଁ ସମ୍ଭବ ହୋଇପାରିଛି । ସେହିପରି ସମସ୍ତ ହିନ୍ଦୁମାନଙ୍କୁ ଏକତ୍ରିତ କରିବା ଏବଂ ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବାର ମୂଳପୀଠ ହେଉଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଆଶୀର୍ବାଦରୁ ଭାରତ ସାରା ବିଶ୍ବରେ ଏକ ବଳବାନ ଓ ଆଦର୍ଶ ଦେଶ ରୂପେ ପରିଚିତ ହେଉ । ଏହା ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା । "ଏହି ଗସ୍ତକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
ସେହିପରି ଗତ କିଛି ଦିନତଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମହାପ୍ରଭୁ ଦର୍ଶନ କରିଥିଲେ । ରାଜ୍ୟସଭା ପାଇଁ ମନୋନୀତ ହେବା ପରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସେ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହାସହ ପୁରୀ ରେଲୱେ ଷ୍ଟେସନ ଯାଇ ଷ୍ଟେସନର ନବୀକରଣ କାର୍ଯ୍ୟ ବିଷୟରେ ସମୀକ୍ଷା କରିଥିଲେ । ଏହି ଅବସରରେ ଅଶ୍ଵିନୀ କହିଥିଲେ, "ରାଜ୍ୟସଭା ପାଇଁ ମନୋନୀତ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଆସିଛି । ପୁଣି ଗୁରୁ ଦାୟିତ୍ଵ ମିଳିଥିବାରୁ ଓଡ଼ିଶାବାସୀଙ୍କ ସେବା ଓ ଓଡ଼ିଶାର ପ୍ରଗତି କିଭଳି ଅଧିକ ହୋଇ ପାରିବ ସେ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ପୁରୀ ମହାପ୍ରଭୁଙ୍କ କ୍ଷେତ୍ରରେ ଅନେକ ନୂଆ ନୂଆ ଜିନିଷ ହେବ । ପୁରୀରୁ ଅଯୋଧ୍ୟା ଟ୍ରେନ ଗଡ଼ିବ ।"
ଇଟିଭି ଭାରତ,ପୁରୀ