ବଲାଙ୍ଗୀର: ଆଜି ସକାଳେ (ବୁଧବାର) ବଲାଙ୍ଗୀର-ଖୋର୍ଦ୍ଧା ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏ ଯାଏଁ ମୃତ ଯୁବକମାନଙ୍କ ପରିଚୟ ମିଳିପାରି ନାହିଁ । ସେହିପରି କେମିତି ଦୁର୍ଘଟଣା ଘଟିଲା ବା କେଉଁ ଗାଡ଼ି ତାଙ୍କୁ ଧକ୍କା ଦେଲା ତାହା ମଧ୍ୟ ସ୍ପଷ୍ଟ ହୋଇନି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି । ସେପଟେ ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ୱର ଜାତୀୟ ରାଜପଥ ଭଦ୍ରା ପାଲି ଟୋଲଗେଟ ନିକଟରେ ଏହି ସଡକ ଦୁର୍ଘଟଣା ହୋଇଛି । ଦୁଇ ଜଣ ଯୁବକ ସୋନପୁର ପଟୁ ଏକ ୟମାହା OD15y7983 ବାଇକରେ କୌଣସି ସ୍ଥାନକୁ ଯାଉଥିବା ସମୟରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ବାଇକକୁ କିଛି ବାଟ ଘୋଷାଡି ନେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ: ଯାଜପୁରରେ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ 3 ବାଇକ ଆରୋହୀ ମୃତ - Accident In Jajpur
ଖବର ପାଇ ବଲାଙ୍ଗୀର ପୁଇଁନ୍ତଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଥିବା ବେଳେ ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି । ପୋଲିସ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି । ମୃତକମାନଙ୍କ ପରିଚୟ ମିଳିନଥିବା ବେଳେ ସେମାନଙ୍କ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀରୁ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ । ସେହିପରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ମଧ୍ୟ ଧରିବା ପାଇଁ ତନାଘନା ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘାଟିରେ ଅଟୋ ଓଲଟି ୧୫ରୁ ଉର୍ଦ୍ଧ୍ବ ଗୁରୁତର
ସୂଚନା ଥାଉକି, ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଶତାଧିକ ଲୋକଙ୍କ ପ୍ରାଣ ହାନି ହୋଇଛି । ତେବେ କାହିଁକି ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି ଓ ଏହାର ସବୁ ବ୍ଲାକ ସ୍ପଟ୍ ଚିହ୍ନଟ କରି ଜାତୀୟ ରାଜପଥ ବିଭାଗ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
ଇଟିଭି ଭାରତ, ବଲାଙ୍ଗୀର