କୋରାପୁଟ: ଆଜିର ଆଧୁନିକ ଯୁଗରେ ଆଧୁନିକ ବାଦ୍ୟ ଯନ୍ତ୍ରକୁ ଆଦରି ନେଉଛନ୍ତି ଯୁବପିଢି । ଫଳରେ ପାରମ୍ପାରିକ ବାଦ୍ୟ ଯନ୍ତ୍ର ଅଲୋଡ଼ା ହୋଇ ଯାଇଛି । ସତେ ଯେମିତି ଆଧୁନିକ ବାଦ୍ୟ ଯନ୍ତ୍ର ଆଗରେ ଫିକା ପଡ଼ିଯାଉଛି ପାରମ୍ପାରିକ ବାଦ୍ୟ ଯନ୍ତ୍ର । ଯେଉଁଠି ଯୁବପିଢ଼ିଙ୍କ ପାଇଁ ପାରମ୍ପାରିକ ବାଦ୍ୟ ପୁରୁଣା ହୋଇଯାଉଛି, ସେଠି କୋରାପୁଟ ଜିଲ୍ଲା ଜୟପୁରର ରାହୁଲ ଦେବ ସାମନ୍ତରାୟ ସେହି ବାଦ୍ୟ ଯନ୍ତ୍ରକୁ ଆପଣାଇ ନେଇଛନ୍ତି । ତେବେ କେବଳ ପାରମ୍ପାରିକ ବାଦ୍ୟ ଯନ୍ତ୍ର ନୁହେଁ ସାଙ୍ଗରେ ଆଧୁନିକ ବାଦ୍ୟ ଯନ୍ତ୍ର ବଜାଇବାରେ ମଧ୍ୟ ରୁଚି ରଖନ୍ତି ରାହୁଲ ।
ଯେତେବେଳେ ଛୁଆଟେ ଜନ୍ମ ନିଏ ବାପା ମାଆ ତାକୁ ପାଠ ପଢ଼ାଇ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ଆଶା ରଖନ୍ତି । ହେଲେ ରାହୁଲଙ୍କ ଜନ୍ମ ବେଳେ ତାଙ୍କ ନାଁ ପ୍ରସିଦ୍ଧ ସଙ୍ଗୀତକାର ଆର.ଡ଼ି ବର୍ମନଙ୍କ ନାମ ପଞ୍ଚମ ନାମରେ ତାଙ୍କ ନାମ ପଞ୍ଚମ ରାହୁଲ ଦେବ ରଖିଥିଲେ । ପିଲାଟି ବେଳରୁ ତାଙ୍କ ବାପା ତାଙ୍କୁ କଳା ପ୍ରତି ଆକୃଷ୍ଠ କରାଇବା ସହିତ ତାଙ୍କୁ ପ୍ରଶିକ୍ଷଣ ଦେଇଆସୁଛନ୍ତି । ରାହୁଲ କୁହନ୍ତି ଯେ, ଯେତେବେଳେ ସେ ପାଞ୍ଚ ବର୍ଷର ଥିଲେ ସେତେବେଳୁ ସେ ହାରମୋନିୟମ ବଜାଇବା ଶିଖିଥିଲେ । ପରେ ଗିଟାର, କ୍ୟାସିଓ ଭଳି ବାଦ୍ୟ ଯନ୍ତ୍ର ଶିଖିଥିଲେ । ପରେ ନିଜ ବାପା ଏବଂ ଦାଦାଙ୍କ ସମେତ ବିଭିନ୍ନ ଗୁରୁଙ୍କ ସଙ୍ଗରେ ସାକ୍ସଫୋନ, ବଂଶୀ, ଗିଟାର, ପିଆନୋ ଓ କିବୋର୍ଡ଼ ଭଳି ବାଦ୍ୟ ଯନ୍ତ୍ର ବଜାଇବା ଶିଖିଥିଲେ । ତେବେ ରାହୁଲ ଜୟପୁର ସହରରେ ସଙ୍ଗୀତ ସାଧନା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଭାଓଲିନ ବାଦକ ବିଜୟ କୁମାର ସାମନ୍ତରାୟଙ୍କ ପୁତ୍ର ।
ବିଜୟ ନିଜ ବାପା ଅଜାଙ୍କ କଳା କ୍ଷେତ୍ରରେ ସାଧନା ଦ୍ୱାରା ଅନୁପ୍ରାଣିତ ହୋଇ 1976 ମସିହାରେ ବେଂଜୋ ବଜାଇବା ଆରମ୍ଭ କରିଥିଲେ । 1986ରେ ଆକାଶବାଣୀର ସ୍ୱୀକୃତ ପ୍ରାପ୍ତ ଭାଓଲିନ କଳାକାର ଭାବେ ସେବା ଯୋଗାଇ ବର୍ତ୍ତମାନ ସେବା ନିବୃତ ସ୍ଥିତିରେ ମଧ୍ୟ ସଙ୍ଗୀତ ଶିଖିବା ଓ ଶିଖାଇବା କାର୍ଯ୍ୟ ଜାରି ରଖିଛନ୍ତି ବିଜୟ । ପୁଅର ସଙ୍ଗୀତରେ ରୁଚି, ସାଧନା ଓ ଅଗ୍ରଗତି ଦେଖି ଆନନ୍ଦିତ ହେଉଥିବା ବେଳେ ସାଧାରଣ ଯୁବପିଢି ମଧ୍ୟରେ ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି କମିଯାଉଥିବା ଆଗ୍ରହକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ।
ସାମାଜିକ ଗଣମାଧ୍ୟମରେ ବାଦ୍ୟଯନ୍ତ୍ର ବଜାଇବା ଶିଖିବାକୁ ସହଜ ସଙ୍ଗୀତ ସାଧନା ଭାବେ ଯୁବପିଢି ପରିଗଣିତ କରୁଥିବା ଯୋଗୁଁ ସେ ମର୍ମାହତ ହୋଇଉଠିଛନ୍ତି । ବାଦ୍ୟଯନ୍ତ୍ରରେ ବାସ୍ତବ ସଙ୍ଗୀତ ପରିବେଷଣ କରିବା ପାଇଁ ଆବଶ୍ୟକ ହେଉଥିବା ନିରନ୍ତର ପ୍ରୟାସ ଠାରୁ ଯୁବ ପିଢ଼ି ନିଜକୁ ଦୂରେଇ ଦେଇ ରାତାରାତି ଗାୟକ ତଥା ବାଦ୍ୟଯନ୍ତ୍ର ବାଦକ ହୋଇ ଉଠିବାକୁ ଚେଷ୍ଟା କରିବା ଦ୍ୱାରା ସଙ୍ଗୀତର ଆଦର ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ