ପାରଳାଖେମୁଣ୍ଡି: ପେଶାରେ ଜଣେ ଗାଡି ଚାଳକ, କିନ୍ତୁ ନିଶା କିଛି ଭିନ୍ନ କରିବା । ବ୍ୟସ୍ତ ବହୁଳ ଜୀବନ ଭିତରୁ ସମୟ ବାହାର କରି ବିଭିନ୍ନ ଦେଶର ମୁଦ୍ରା ଓ ନୋଟ ସଂଗ୍ରହ କରି ସାଇତି ରଖିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଭଣ୍ଡାରୀ ସାହିର ସୁଶାନ୍ତ ହେହେରା ଓରଫ ସଶା । ତେବେ ୯୯ ଦେଶର ମୁଦ୍ରା, ଷ୍ଟାମ୍ପ, ନୋଟ୍, ଦିଆସିଲି ଓ ପୋଷ୍ଟକାର୍ଡ ସଂଗ୍ରହ କରିଛନ୍ତି ସୁଶାନ୍ତ । ଭାରତ ସମେତ ଅନ୍ୟ ଦେଶର ମୁଦ୍ରା ଏବଂ ଷ୍ଟାମ୍ପ ସଂପର୍କରେ ପରବର୍ତ୍ତୀ ପିଢିକୁ ଜଣାଇବା ପାଇଁ ସେ ଏଭଳି ନିଆରା ପ୍ରୟାସ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ପ୍ରଦର୍ଶନୀରେ ତାଙ୍କୁ ସୁଯୋଗ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସୁଶାନ୍ତ ।
ପାରଳାଖେମୁଣ୍ଡି ଭଣ୍ଡାରୀ ସାହିର ସୁଶାନ୍ତ ହେହେରା ଓରଫ ସଶା । ବାପା ପ୍ରତାପ ଚନ୍ଦ୍ର ବେହେରା ଏବଂ ମାଆ ଗୀତାଙ୍କ ୩ୟ ସନ୍ତାନ ସୁଶାନ୍ତ । ପିଲାଟି ବେଳରୁ କିଛି ଭିନ୍ନ କରିବା ପାଇଁ ଆଗ୍ରହ ରଖିଥିଲେ ସୁଶାନ୍ତ । ତେଣୁ ସାଙ୍ଗସାଥୀଙ୍କ ସହ ଖେଳିବା ଅପେକ୍ଷା ସେ ଭିନ୍ନ କିଛି କରୁଥିଲେ । ମାଟ୍ରିକ ପଢିବା ବେଳେ ଦେଶର ମୁଦ୍ରା ଓ ଷ୍ଟାମ୍ପ ସଂଗ୍ରହ କରିବା ପାଇଁ ତାଙ୍କ ମନକୁ ଆସିଥିଲା । ତେଣୁ ଅତି ପୂରାତନ ମୁଦ୍ରା ସବୁ କିଭଳି ସଂଗ୍ରହ ହୋଇପାରିବ ସେନେଇ ଅନେକ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ଏଥିପାଇଁ ଟଙ୍କାର ଆବଶ୍ୟକତା ଥିବାରୁ ୨୦୦୪ ମସିହାରେ ଖବରକାଗଜର ହକର ଭାବେ କାମ ଆରମ୍ଭ କରିଥିଲେ । ସେଥିରୁ ଆୟ ଅର୍ଥକୁ ଖର୍ଚ୍ଚ କରି ପ୍ରଥମେ କିଛି ଭାରତୀୟ ମୁଦ୍ରା ଓ ଷ୍ଟାମ୍ପ ସଂଗ୍ରହ କରିଥିଲେ ।
ଏହାରି ଭିତରେ ଦୀର୍ଘ ୨୦ବର୍ଷ ମଧ୍ୟରେ ସେ ୯୯ଟି ଦେଶର ୭ଶହରୁ ଅଧିକ ମୁଦ୍ରା, ୮ଶହ ପ୍ରକାର ଷ୍ଟାମ୍ପ, ୪ଶହ ପ୍ରକାର ନୋଟ୍, ୭ଶହ ପ୍ରକାର ଦିଆସିଲି, ୬୫୦ପ୍ରକାରର ପୋଷ୍ଟକାର୍ଡ ସଂଗ୍ରହ କରି ନିଜ ପାଖରେ ରଖିଛନ୍ତି । ସୁଶାନ୍ତଙ୍କ ପାଖରେ ବର୍ତ୍ତମାନ ରହିଛି କେବଳ ୬ଶହ ପ୍ରକାରର ଭାରତୀୟ ମୁଦ୍ରା, ୭୫୦ ପ୍ରକାରର ଷ୍ଟାମ୍ପ ଏବଂ ୩୫୦ପ୍ରକାରର ନୋଟ୍ । ପରାଧୀନ ଭାରତ ଏବଂ ସ୍ବାଧୀନ ଭାରତର ଅନେକ ମୁଦ୍ରା, ନୋଟ୍ ଏବଂ ଷ୍ଟାମ୍ପ ଏବେ ଆଉ ଦେଖିବାକୁ ମିଳୁନାହିଁ । ସବୁକୁ ମଧ୍ୟ ସେ ସଂଗ୍ରହ କରି ରଖିଛନ୍ତି ସୁଶାନ୍ତ । ଏପରିକି କେତେକ ସ୍ବତନ୍ତ୍ର ନମ୍ବରଧାରୀ ନୋଟ ମଧ୍ୟ ସେ ସଂଗ୍ରହ କରି ରଖିଛନ୍ତି। ଯାହାକୁ ଏବେର ଏବଂ ଭବିଷ୍ୟତ ପିଢି ଦେଖି ସେସବୁକୁ ଜାଣିବାର ସୁଯୋଗ ପାଇବେ । ତେଣୁ ସେ ଏଭଳି କରିଥିବା କହିଛନ୍ତି ।
ବର୍ତ୍ତମାନ ସୁଶାନ୍ତ ଡ୍ରାଇଭର ଭାବେ କାମ କରୁଛନ୍ତି । ଏହି ମୁଦ୍ରା ସଂଗ୍ରହ କରିବାରେ ତାଙ୍କ ଭାଇ ଏବଂ ବାପାଙ୍କ ଭରପୁର ସହଯୋଗ ମିଳିଥିବା ସେ କହିଛନ୍ତି । ଦୀର୍ଘ ୨୦ବର୍ଷ ହେଲା ସେ ଏହି କାମ କରି ଆସୁଥିଲେ ମଧ୍ୟ ଏଯାଏଁ ତାଙ୍କୁ କୌଣସି ପ୍ରଦର୍ଶନୀରେ ଏହାକୁ ପ୍ରଦର୍ଶିତ କରିବାର ସୁଯୋଗ ମିଳିନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ସୁଯୋଗ ମିଳିଲେ ସେ ଏହାକୁ ପ୍ରଦର୍ଶିତ କରି ଲୋକଙ୍କୁ ଜଣାଇବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି । ସେପଟେ ସୁଶାନ୍ତଙ୍କ ଏଭଳି ନିଆରା ପ୍ରୟାସକୁ ଖୁବ ପ୍ରସଂଶା କରିଛନ୍ତି ତାଙ୍କ ସଂପର୍କୀୟ ଏବଂ ସାଙ୍ଗସାଥୀ । ଅନେକ ସାଙ୍ଗସାଥୀ ଏଥିପାଇଁ ଆଶ୍ଚର୍ଯ୍ୟ ପ୍ରକାଶ କରୁଥିବା ବେଳେ ଅନେକ ସହଯୋଗ ମଧ୍ୟ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ଦେଶ ବିଦେଶ ମୁଦ୍ରା ସଂଗ୍ରହ ନିଶାରେ ବାଲାଜୀ, ଘରେ ତିଆରି କରିଛନ୍ତି ମୁଦ୍ରା ମ୍ୟୁଜିୟମ
ଏନେଇ ସାଙ୍ଗସାଥୀ ଏବଂ ସଂପର୍କୀୟମାନେ କହିଛନ୍ତି ଯେ, ଏଭଳି ସଂଗ୍ରହ ଅନେକ ବ୍ୟକ୍ତି କରୁଥିଲେ ମଧ୍ୟ ଏତେ ସଂଖ୍ୟକ ନୋଟ୍, ଷ୍ଟାମ୍ପ, ମୁଦ୍ରା, ଦିଆସିଲି ସଂଗ୍ରହ କରିବାରେ କେବଳ ଗଜପତି ଜିଲ୍ଲା କି ଓଡିଶା ନୁହେଁ, ଦେଶରେ ମଧ୍ୟ ବିରଳ । ସେହିଭଳି ଏହିଭଳି ଜଣେ ବ୍ୟକ୍ତିଙ୍କୁ ପ୍ରଶାସ ଏବଂ ସରକାରୀ ସ୍ତରରେ ଯେଉଁଭଳି ପ୍ରୋତ୍ସାହନ ମିଳିବା କଥା ତାହା ମିଳୁନଥିଲେ ମଧ୍ୟ ସୁଶାନ୍ତଙ୍କ ମନୋବଳ ଯୋଗୁଁ ଏବେବି ସେ ସଂଗ୍ରହ କରି ଚାଲିଛନ୍ତି । ପ୍ରଦର୍ଶନୀରେ ତାଙ୍କୁ ସୁଯୋଗ ମିଳିବା ଦରକାର ବୋଲି କହିଛନ୍ତି । ତେବେ ଏତେ ସଂଖ୍ୟକ ଦେଶର ଷ୍ଟାମ୍ପ, ନୋଟ୍ ଓ ମୁଦ୍ରା ଆଦି ସଂଗ୍ରହ କରିବା କୌଣସି ଛୋଟ କଥା ନୁହେଁ । ତେବେ ସରକାରୀ ସ୍ତରରେ ସୁଶାନ୍ତଙ୍କ ଏହାକୁ ପ୍ରୋତ୍ସାହନ ମିଳିଲେ ସେ ଆହୁରି ମୁଦ୍ରା ସଂଗ୍ରହ କରିପାରିବେ ।
ଇଟିଭି ଭାରତ, ଗଜପତି