ଭଦ୍ରକ: ପୁଣି ଦେଖିବାକୁ ମିଳିଛି ସାରଥୀଙ୍କ ସତସଙ୍ଗ । ସାରଥିଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ କରି ଭକ୍ତମାନେ ଭଜନ କୀର୍ତ୍ତନ କରିଛନ୍ତି । କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ପରି ଭଦ୍ରକର ଅଚକରେ ସାରଥି ଭକ୍ତଙ୍କ ସମାଗମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠୁ ବଡ କଥା ହେଉଛି, ଏହି କାର୍ଯ୍ୟକ୍ରମରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳିଛି । ସଭିଏଁ ସାରଥି ପ୍ରେମରେ ମସଗୁଲ ଆଉ ଭକ୍ତି ଭାବରେ ବିଭୋର ହୋଇ ସାରଥିଙ୍କୁ ସ୍ୱୟଂ ଭଗବାନ ବୋଲି କହୁଛନ୍ତି ଭକ୍ତ । ସେମାନଙ୍କ ମତରେ ସାରଥି ଅନୁଭବର ଠାକୁର । "ତାଙ୍କୁ କେହି କଳ୍ପନା ହିଁ କରିପାରନ୍ତି ନାହିଁ । ସୁଖ ଦୁଃଖର ସାଥି, ଶୟନେ ଶପନେ ଜାଗରଣେ ପାଖରେ ଅଛନ୍ତି" ବୋଲି ପ୍ରତିକ୍ରିୟା ରଖିଛନ୍ତି ଭକ୍ତ ।
ଯେଉଁ ପାଦୁକାରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମର ଆୟୁଧ ରହିଛି । ସେ ଆୟୁଧକୁ ଦର୍ଶନ କଲେ ସବୁ କାମ ହେଇଯିବ ବୋଲି ମଧ୍ୟ କହୁଛନ୍ତି ସାରଥି ଭକ୍ତ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ସ୍ଥିତ ନନ୍ଦପୁର ଠାରେ ସତସଙ୍ଗରେ ଭକ୍ତ ମାନେ ଏପରି ମତପ୍ରକାଶ କରିଛନ୍ତି । କିଛି ବର୍ଷ ତଳେ ନିଜର କେଳେଙ୍କାରୀ ଯୋଗୁଁ ତଥାକଥିତ ସାରଥି ବାବା ଜେଲ ଯାଇଥିଲେ । ଦୀର୍ଘ ଦିନର ନ୍ୟାୟିକ ସଂଘର୍ଷ କରି ଶେଷରେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ । ହେଲେ ତାଙ୍କର ଭକ୍ତମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ସମସ୍ତଙ୍କୁ ଚକିତ କରିଛି । ଅଚକରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାୟ 4 ଘଣ୍ଟା କାଳ ଚାଲିଥିଲା । ଯାହା ଏକ ପ୍ରକାର ଉତ୍ସବ ପରି ମନେ ହେଉଥିଲା । ରାସ୍ତାରେ ଯାଉଥିବା ଲୋକେ ଘଡିଏ ଚାହିଁ ରହୁଥିଲେ । ତେବେ ପ୍ରଶାସନ କେଉଁ ପରିସ୍ଥିତିରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ଏହା ମଧ୍ୟ ପଢନ୍ତୁ...ବିବାହ ବନ୍ଧନରେ ବାନ୍ଧି ହେଲେ ସାରଥୀଙ୍କ ପୁଅ ସତ୍ୟମ, ବରଯାତ୍ରୀରେ ଆସିଲେ ସାରଥୀ ଭକ୍ତ
ଭକ୍ତମାନଙ୍କ କହିବା ଅନୁଯାୟୀ, "ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଉଛି । ବିଭିନ୍ନ ଜିଲ୍ଲାରେ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ହେଉଛି ।" ତେବେ ଚଳିତ ବର୍ଷ ଭଦ୍ରକ ଜିଲ୍ଲା କାର୍ଯ୍ୟକର୍ତ୍ତାମାନେ ତିହିଡି ବ୍ଲକରେ ଏପରି ରାଜ୍ୟ ସ୍ତରୀୟ 'ସାରଥି ଦେବଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ' କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଦୋଳସାହି ବଜାରରୁ ଏକ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ନନ୍ଦପୁର ପର୍ଯ୍ୟନ୍ତ ଆସିଥିଲା । ଶହସ୍ରାଧିକ ଭକ୍ତଙ୍କ ସମାଗମରେ ରାଜ୍ୟ ରାଜପଥ କମ୍ପି ଉଠୁଥିଲା । ଟ୍ରାଫିକ୍ ନିୟନ୍ତ୍ରଣ କରିବା ଲାଗି ପୋଲିସକୁ ନାକେଦମ ହେବାକୁ ପଡିଥିଲା । ସନ୍ଧ୍ୟାରେ ଜ୍ୟୋତି ସଂସ୍ଥାପନ କରାଯାଇ ସାରଥୀଙ୍କ ଲୀଳା ଚରିତାମୃତ ଏବଂ ଭାଗବତ ଚର୍ଚ୍ଚା ପରେ ସମୂହ ସଂକୀର୍ତ୍ତନ ହୋଇଥିଲା । ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହଶହ ସାରଥୀ ଭକ୍ତଙ୍କ ସମାଗମ ହୋଇଥିଲା।
ଇଟିଭି ଭାରତ, ଭଦ୍ରକ