ପୁରୀ: ଶ୍ରୀମନ୍ଦିରର ଓ ଶ୍ରୀଜଗନ୍ନାଥଙ୍କ ରୀତିନୀତି ମଧ୍ୟରୁ ମେଣ୍ଢା ପୋଡ଼ି ନୀତି ଅନ୍ୟତମ । ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ଏହି ନୀତି ଅନୁଷ୍ଠିତ ହୁଏ । ଦୋଳବେଦୀ ପରିସରରେ ଆଜି ସଂଧ୍ୟା ସମୟରେ ଏହି ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ । ଏଥି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ସଂଧ୍ୟା ବେଳେ ଦୋଳବେଦୀ ପରିସରରେ ଏହି ସ୍ଵତନ୍ତ୍ର ନୀତି ଦେଖିବାକୁ ଜମିବ ହଜାର ହଜାର ଭକ୍ତଙ୍କ ଭିଡ ।
ତେବେ ଏହି ସ୍ଵତନ୍ତ୍ର ନୀତି ପଛରେ ରହିଛି ଏକ ପୌରାଣିକ ଉପାଖ୍ୟାନ । ପ୍ରଭୁ ବିଷ୍ଣୁଙ୍କ ମହାନ ଭକ୍ତ ହେଉଛନ୍ତି ପ୍ରହଲ୍ଲାଦ । ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ପ୍ରହଲ୍ଲାଦ ପ୍ରଭୁ ବିଷ୍ଣୁଙ୍କ ପରମ ଭକ୍ତ ହୋଇଥିବାରୁ ଏହି ଉଦ୍ୟମ ସଫଳ ହେଉନଥିଲା । ହିରଣ୍ୟର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା କି ଅଗ୍ନି ତାକୁ ଜଳାଇପାରିବ ନାହିଁ । ତେଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ । କିନ୍ତୁ ଫଳ ଓଲଟା ହେଲା । ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ। ମେଷ ତଥା ମେଣ୍ଢା ହେଲା ଅଗ୍ନିଙ୍କ ବାହନ । ଅଗ୍ନିଙ୍କ ଏହି ଭକ୍ତବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ହୁଏ ।
ତେବେ ଆଜି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ଚାଚେରୀ ବେଶ କରାଯାଏ । ସେବକମାନେ ଠାକୁରଙ୍କୁ ଲକ୍ଷ୍ମୀମନ୍ଦିରରେ ଥିବା ଖଟିଆ ଉପରେ ବିରାଜମାନ କରାଇବା ପରେ ସେଠାରେ ଝିମିରିଫଗୁ ଖେଳ ହୋଇଥାଏ । ଶୀତଳଭୋଗ ଓ ବନ୍ଦାପନା ସରିବା ପରେ ବିମାନରେ ବିଜେ ହୋଇ ଦୋଳବେଦୀ କୋଣକୁ ଶୋଭାଯାତ୍ରାରେ ନିଆଯାଏ । ସନ୍ଧ୍ୟା ବେଳେ ଠାକୁର ପହଞ୍ଚିବା ପରେ ବିଭିନ୍ନ ନୀତି ଅନୁଷ୍ଠିତ ହେଇଥାଏ । ଦୋଳମଣ୍ଡପର ପୂର୍ବ ଦିଗରେ କୁଟା, କାଠି ଓ ଘସିରେ ଗୋଟିଏ କୁଡିଆ ପ୍ରସ୍ତୁତ ହେଇଥାଏ। ଏହାକୁ ମେଣ୍ଢାକୁଡ଼ିଆ କୁହାଯାଏ । ଏହାର ପୂର୍ବ ଓ ପଶ୍ଚିମକୁ ଦୁଇଟି ଦ୍ୱାର ଥାଏ । ଏହାପରେ କୁଡିଆର ପଶ୍ଚିମ ଦ୍ୱାର ଠାରେ ଯଜ୍ଞ ସମ୍ପନ୍ନ ହୁଏ । ଏହାପରେ ପୂଜାପଣ୍ଡା ବିଜେ ପ୍ରତିମାଙ୍କୁ ବନ୍ଦାପନା କରନ୍ତି । ପରେ ମେଷ କୁଟୀରରେ ଅଗ୍ନି ସଂଯୋଗ କରାଯାଏ । ଏହାପରେ ଚଳନ୍ତି ପ୍ରତିମା ମେଷ ଗୃହର ଚତୁଃପାର୍ଶ୍ବରେ ସାତ ଥର ପ୍ରଦିକ୍ଷଣ କରିବା ପରେ ଦେଉଳକୁ ବାହୁଡା ବିଜେ କରନ୍ତି । ପରେ ସଂଧ୍ୟା ଆଳତୀ, ସଂଧ୍ୟା ଧୂପ, ମଇଲମ ଓ ଚନ୍ଦନଲାଗି, ବଡ଼ସିଂହାର ବେଶ ସହ ଭୋଗ ହୋଇ ରାତ୍ର ପହୁଡ଼ ହୁଏ ।
ଏହା ମଧ୍ୟ ପଢନ୍ତୁ-ଫଗୁ ଦଶମୀରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି, କାଲି ଜଗନ୍ନାଥ ବଲ୍ଲଭ ମଠରେ ଫଗୁ ଲାଗି
ସେହିପରି ଆସନ୍ତାକାଲି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ସୋମବାର ଦୋଳପୂର୍ଣ୍ଣିମା ଉତ୍ସବ ଥିବାବେଳେ ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିଜେ କରି ଫଗୁ ଖେଳିବେ । ପ୍ରତିବର୍ଷ ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହ ସୁନାବେଶରେ ଭୂଷିତ ହୋଇଥାନ୍ତି । ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରୀମନ୍ଦିରରେ ଭିଡ଼ ଲଗାଇଥାନ୍ତି । ତେବେ ଦୋଳପୂର୍ଣ୍ଣିମା ଉତ୍ସବ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ମହାପ୍ରଭୁଙ୍କ ସେହି ଅପୂର୍ବ ଉତ୍ସବରେ ନିଜକୁ ସାମିଲ କରିବା ପାଇଁ ପ୍ରତ୍ୟେକ ଭକ୍ତ ଏବେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।
ଇଟିଭି ଭାରତ, ପୁରୀ