ଭୁବନେଶ୍ବର: ବର୍ତ୍ତମାନ ସାରା ବିଶ୍ବରେ ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ବଢ଼ି ଚାଲିଛି। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଓଡ଼ିଶାର ଯୁବପିଢ଼ି ତାଲିମ ନେଇ କିପରି ନିଜର ଦକ୍ଷତା ବୃଦ୍ଧି କରିପାରିବେ ସେଥିପାଇଁ ଭୁବନେଶ୍ବରସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ରଠାରେ ଏକ ‘ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ କେନ୍ଦ୍ର ସ୍ଥାପନ କରାଯିବ। ଏନେଇ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍) ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏଥିରେ ବିଶ୍ବ ଦକ୍ଷତା କେନ୍ଦ୍ରର ସିଓଓ ତଥା ବିଭାଗୀୟ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଏବଂ ଆଇଟିଇଇଏସର ସିଇଓ ବ୍ରୁସ ପୋହ ଏହି ଏମଓୟୁ ସ୍ବାକ୍ଷର କରିଛନ୍ତି ।
ଅଧିକ ପଢନ୍ତୁ- ବିଶ୍ବ ଦକ୍ଷତା କେନ୍ଦ୍ରର ଦ୍ବିତୀୟ କ୍ୟାମ୍ପସ ପାଇଁ MoU, ଖୋଲିବ ୯ଟି ନୂଆ ପାଠ୍ୟକ୍ରମ
ବିଶ୍ବ ଦକ୍ଷତା କେନ୍ଦ୍ରରେ ଏହି ‘ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ କେନ୍ଦ୍ର ସେପ୍ଟେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରହିଛି । ସିଙ୍ଗାପୁରର ଆଇଟିଇଇଏସ୍ ସହଯୋଗିତାରେ ବିଶ୍ବ ଦକ୍ଷତା କେନ୍ଦ୍ର ପରିସରରେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ତା’ଛଡ଼ା ଅତ୍ୟାଧୁନିକ ଲାବୋରେଟୋରି ଏବଂ ଡିଜିଟାଲ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ କରାଯିବା ସହ ଅନ୍ତର୍ଜାତୀୟ ମାନର ଉପକରଣ ଆଦି ଯୋଗାଇ ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଏଆର୍, ଭିଆର୍ ଏବଂ ଏକ୍ସଆର୍ ଆଦି ବ୍ୟବହାରକରି ବିଭିନ୍ନ ବିଷୟରେ ତାଲିମ ନେବା ସହ ନିଜର ଜ୍ଞାନର ପରିସୀମାକୁ ବ୍ୟାପକ କରିପାରିବେ । ଏହି ‘ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା ପ୍ରଶିକ୍ଷକମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନିଙ୍ଗ ଅଫ ଟ୍ରେନର୍ସ ବା ଟିଓଟି କାର୍ଯ୍ୟକ୍ରମ କରାଯିବ । ଏହି ଆଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କିପରି କରାଯାଇପାରିବ ସେନେଇ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।
ସୂଚନା ଅନୁଯାୟୀ, ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରୁଛି । ଏଠାରେ ବର୍ତ୍ତମାନ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ ସର୍ଭିସେସ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ରହିଛି । ଆଇଟିଇଇଏସର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରର ତାଲିମ ପାଠ୍ୟକ୍ରମ ପରିଚାଳନା କରାଯାଉଛି । ତେବେ ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି, ବିଶ୍ବ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସଙ୍କ ସହିତ ଆଇଟିଇଇଏସ ଏବଂ ବିଶ୍ବ ଦକ୍ଷତା କେନ୍ଦ୍ରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର