ଖୋର୍ଦ୍ଧା: ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ ସମସ୍ୟାରେ ସହାୟକ ହେବା ପାଇଁ ଏବଂ ଜରୁରୀ ସମୟରେ ଲୋକଙ୍କୁ ସହଯୋଗ ଉଦ୍ଦେଶ୍ୟରେ ଓଡ଼ିଶାର ୧୬ ନଂ ଜାତୀୟ ରାଜପଥରେ ଲଗାଯାଇଛି ଏସଓଏସ (Safe Operating Stop) ମେସିନ । କିନ୍ତୁ କାର୍ଯ୍ୟକାରୀ ହେବା ପୂର୍ବରୁ ଏହି ଜୀବନ ରକ୍ଷାକାରୀ ଦୂରାଭାଷ ଯନ୍ତ୍ର ଅନେକ ସ୍ଥାନରୁ ଗାଏବ ହୋଇଗଲାଣି । କେଉଁଠି ବ୍ୟାଟେରୀ ଚୋରି ହେଇଗଲାଣି ତ କେଉଁଠି ଯନ୍ତ୍ରପାତି ନେଇ ଗଲେଣି ଦୁର୍ବୃତ୍ତ । ଏହି ଯନ୍ତ୍ରଟି ଯେଉଁ ଉଦ୍ଦେଶ୍ୟରେ ଲଗାଯାଇଛି, ତାହା ତାର ଲକ୍ଷ୍ୟ ସାଧନ କରିପାରୁ ନାହିଁ । ଅନ୍ୟପଟେ ଅନେକ ଯାତ୍ରୀ ଏ ସମ୍ପର୍କରେ ଅଜ୍ଞ ଥିବାରୁ ତାହାର ଭରପୁର ଫାଇଦା ଉଠାଇ ପାରୁନାହାନ୍ତି ।
ପ୍ରଥମ କରି ଓଡ଼ିଶାରେ ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲରୁ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ପର୍ଯ୍ୟନ୍ତ ରାସ୍ତାକୁ ସିସି କ୍ୟାମେରା ନଜରରେ ନିରୀକ୍ଷଣ କରାଯାଉଛି । ଏହିସବୁ ରାସ୍ତାରେ ଗାଡ଼ିର ବେଗ ମାପ ଯନ୍ତ୍ର ଲାଗିବା ନିର୍ଦ୍ଦେଶ ଅନୁଯାୟୀ, ଜରୁରୀ ପରିସ୍ଥିତିରେ ବାକ୍ସରେ ପହଞ୍ଚି କଲ୍ ବଟମ ଦବାଇଲେ ଏହା ଅପରେଟର ସହିତ ସଂଯୋଗ ହୁଏ ଏବଂ ତୁରନ୍ତ ଏକ ଦଳକୁ ସାହାଯ୍ୟ ପାଇଁ ଘଟଣାସ୍ଥଳକୁ ପଠାଇ ଥାଆନ୍ତି । କିନ୍ତୁ ବିଡ଼ମ୍ବନା ଯେ, ଯାତ୍ରୀଙ୍କ ସୁବିଧା ପାଇଁ ଖଞ୍ଜା ଯାଇଥିବା ଏହି ଯନ୍ତ୍ରଗୁଡ଼ିକ ଏବେ ଦୟନୀୟ ସ୍ଥିତିରେ ଝୁଲୁଛି । ଅନେକ ଏସ୍ଓଏସ୍ ମେସିନରୁ ବ୍ୟାଟେରୀ ଚୋରି ହୋଇଥିବାବେଳେ କେଉଁଠାରୁ ସୋଲାର ପ୍ୟାନେଲ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଚୋରି ହୋଇଯାଛି ।
ସେପଟେ ଜାତୀୟ ରାଜପଥ କଡ଼ରେ ଲାଗିଥିବା ଏହି ଜୀବନ ରକ୍ଷାକାରୀ ଏସ୍ଓଏସ୍ ମେସିନର କାର୍ଯ୍ୟଶୈଳୀ ସମ୍ପର୍କରେ ଅନେକ ବ୍ୟକ୍ତି ଜାଣିନଥିବାରୁ ଏହି ମେସିନର ଉପଯୋଗ କରିପାରୁନଥିବା ଜଣାପଡିଛି । ବିଶେଷକରି ବିଦେଶରେ ଏହି ଏସଓଏସ ସହାୟତା ମେସିନ ସଫଳତା ପୂର୍ବକ କାମ କରିଥିବାବେଳେ ଏଠାରେ ମହତ ଉଦ୍ଦେଶ୍ୟରେ ଖଞ୍ଜା ଯାଇଥିଲା । ପ୍ରତି କିଲୋମିଟର କିମ୍ବା ଦୁଇ କିଲୋମିଟର ଦୂରରେ ଏହି ଏସଓଏସ ଦୂରାଭାଷ ଯନ୍ତ୍ର ଲାଗିଛି । ଜାତୀୟ ରାଜପଥ ପ୍ରାଧିକରଣ (NHAI) 16 ନମ୍ବର ଜାତୀୟ ରାଜପଥରେ ଜରୁରୀକାଳୀନ କଲ ବକ୍ସ (ECB)ର ପରିଚୟ ଦେଉଛି । ଏହି ମେସିନ ଏକ ଲ୍ୟାଣ୍ଡଲାଇନ ଟେଲିଫୋନ୍ ପରି ଦେଖାଯାଉଥିବା ବେଳେ ଏହି ଯନ୍ତ୍ରଟିକୁ ନିକଟସ୍ଥ ପୋଲିସ ଷ୍ଟେସନ, ଅଗ୍ନିଶମ କେନ୍ଦ୍ର ଏବଂ ଆମ୍ବୁଲାନ୍ସ ସହିତ ସଂଯୁକ୍ତ କରାଯାଇଛି । ଏସଓଏସ ବା ଜରୁରୀ କଲ ପାଇବା ପରେ ସହଯୋଗୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସହଯୋଗର ହାତ ବଢ଼ାଇଥାନ୍ତି ।
ତେବେ କାର୍ଯ୍ୟକ୍ଷମ ପୂର୍ବରୁ ଏଭଳି ସାହାଯ୍ୟକାରୀ ଯନ୍ତ୍ର ଚୋରି ହେବା ନେଇ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି କାମ ସରିବା ପରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏହାର ରକ୍ଷଣାବେକ୍ଷଣ ଉପରେ କୌଣସି ଧ୍ୟାନ ଦେଉନଥିବାରୁ ବିଭାଗ ଉପରେ ସବୁ ଦୋଷ ଲଦିଛନ୍ତି ଖୋର୍ଦ୍ଧାର ଆଇନଜୀବୀ ଓ ବୁଦ୍ଧିଜୀବୀ । ସେପଟେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା