ସମ୍ବଲପୁର: ମହାନଦୀ ରିଭର ଫ୍ରଣ୍ଟ ଡେଭେଲପମେଣ୍ଟ ପାଇଁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଯାଇଛି l ମୁଖ୍ୟତଃ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବା, ପର୍ଯ୍ୟଟକଙ୍କ ଆଗ୍ରହ ପୂରଣ କରିବା ଏବଂ ସାମଗ୍ରିକ ପର୍ଯ୍ୟଟନ ଅନୁଭୂତିକୁ ବଢ଼ାଇବା ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି l
ହୀରାକୁଦରେ ପର୍ଯ୍ୟଟନ ସ୍ଥଳୀର ବିକାଶ:
ହୀରାକୁଦ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳକୁ ଏକ ବିଶ୍ବ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ମହାନଦୀ ରିଭର ଫ୍ରଣ୍ଟ ଡେଭେଲପମେଣ୍ଟ ପ୍ରୋଜେକ୍ଟ ପାଇଁ ୯୯ କୋଟି ୯୯ ଲକ୍ଷ ଟଙ୍କା ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ସମ୍ବଲପୁର ସହରର ମହାନଦୀ ଗର୍ଭ ଓ କୂଳରେ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି l ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି l
ଏଥିରେ ଫ୍ଲୋଟେଲ୍, କ୍ୟାମିଂ ଏବଂ କାରାଭାନ୍ ହାଇବ୍ରିଡ୍ ପାର୍କ ଭଳି ଅନନ୍ୟ ଆବାସ ସହିତ ପର୍ଯ୍ୟଟକଙ୍କ ଅନୁଭୂତିକୁ ଉନ୍ନତ କରିବାର ଭିତ୍ତିଭୂମି ରହିବ । ଆଉମଧ୍ୟ ଲେଜର୍ ସୋ' ଭଳି ଇଣ୍ଟର ଆକ୍ଟିଭ୍ ଅନୁଭୂତି ସହିତ ପର୍ଯ୍ୟଟକମାନେ ଆଧୁନିକ, ଉଚ୍ଚମାନର ସୁବିଧା ଉପଭୋଗ କରିବେ । ଏଠାରେ ସରକାରୀ ଘରୋଇ ଭାଗିଦାରୀରେ ସଂଗ୍ରହାଳୟ, ହୋଟେଲ ନିର୍ମାଣ କରାଯିବ । ଲେଜର୍ ଶୋ', ୱେଲନେସ ସେଣ୍ଟର, ସି ପ୍ଲେନ୍/କ୍ରୁଜ୍/ୟାଚ୍ ହବ୍ ଆଦି ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆମୋଦପ୍ରମୋଦ ପାର୍କ, ଗଲଫ୍ କୋର୍ଟ, ହୋଟେଲ, ଦୁଃସାହସିକ କ୍ରୀଡ଼ା ଆଦି ସୁବିଧା ଯୋଗାଇ ଦିଆଯିବ । ଏଠାରେ ପିପିପି ମାଧ୍ଯମରେ 1800 କୋଟି ଟଙ୍କା ବ୍ୟୟ କରାଯାଇ ମୋଟ୍ 20ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାଦ୍ବାରା 12ଶହରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ ।
ମହାନଦୀ ଗର୍ଭ ଓ କୂଳରେ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ:
ଏଥିପାଇଁ ପର୍ଯ୍ୟଟନ ବିଭାଗ, ଜଳ ସମ୍ପଦ ବିଭାଗ ଓ ରାଜସ୍ବ ବିଭାଗ ସହ ଜିଲ୍ଲା ପ୍ରଶାସନ ମିଳିତ ଭାବେ ସମନ୍ବୟ ରକ୍ଷା କରି କାର୍ଯ୍ୟ ଆରମ୍ଭ କରିଛି l ମହାନଦୀ ଗର୍ଭ ଓ କୂଳରେ ମାଟିର ପରୀକ୍ଷା ଆରମ୍ଭ ହୋଇଛି l ଏହା ପରେ ଦିଲ୍ଲୀ ଓ ଅହମ୍ମଦାବାଦର ବିଶେଷଜ୍ଞଙ୍କ ଦ୍ୱାରା ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ l ମୁଖ୍ୟତଃ ନଦୀ କୂଳରେ ଉପଲବ୍ଧ ଜମିକୁ ଦେଖି ପର୍ଯ୍ୟଟନ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯିବ l
ଏନେଇ ସମ୍ବଲପୁରର ପର୍ଯ୍ୟଟନ ବିଭାଗର ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ରବୀନ୍ଦ୍ର କୁମାର ଦଳେଇ କହିଛନ୍ତି, " ଆମେ ଲ୍ୟାଣ୍ଡ ଡିଟେଲର ସମ୍ପୂର୍ଣ୍ଣ ତଥ୍ୟ ଦେଲା ପରେ ଏକ ମାଷ୍ଟର ପ୍ଲାନ ତିଆରି ହେବ ଯେଉଁଠି ପ୍ଲାନିଂ ହେବ କେଉଁ ଜାଗାରେ କ୍ୟାଫେଟେରିଆ କେଉଁ ଜାଗାରେ ପାର୍କିଙ୍ଗ ଆଦି ହେବ । ଏସବୁ ମାଷ୍ଟର ପ୍ଲାନରେ ଇନକ୍ଲୁଡ଼ କରାଯିବ, ତାପରେ ଏହାକୁ କାର୍ଯ୍ୟକାରୀ କରାଯିବ l "
ଏହାମଧ୍ୟ ପଢନ୍ତୁ.. କ୍ଷତିପୂରଣ ଦାବିରେ ଲୋୟର ଶୁକତେଲ ପ୍ରକଳ୍ପ ବିସ୍ଥାପିତ - SUKTEL DISPLACED DEMAND
ଅନ୍ୟପଟେ ସମ୍ବଲପୁର ଉପଜିଲ୍ଲାପାଳ ଡ଼. ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି, "ସରକାରଙ୍କ ନିର୍ଦେଶ ଅନୁସାରେ ମହାନଦୀ ରିଭର ଫ୍ରଣ୍ଟ ଡେଭେଲପମେଣ୍ଟକୁ ପ୍ରାଥମିକତା ଦିଆଯାଉଛି l ବହୁତ ସ୍କୋପ ଅଛି ସମ୍ବଲପୁରରେ l ଏଠାରେ ଜିଓଗ୍ରାଫିକାଲ ଏରିଆ ବହୁତ ସୁନ୍ଦର, ଆମର ସବୁ ପ୍ରକାର ଫିଚର ଅଛି, ଆମର ନଦୀ ଅଛି, ପାହାଡ଼ ଅଛି, ଡ୍ୟାମ ଅଛି ସବୁ କିଛି ଅଛି l ତ ସେଇଟାକୁ ଆମର ଆହୁରି ପର୍ଯ୍ୟଟକଙ୍କୁ କିପରି ଆକୃଷ୍ଟ କରିବ l କେମିତି ସୌନ୍ଦର୍ଯ୍ୟତା ବଢ଼ି ପରିବ l ସେଥିପାଇଁ ଆମେ ଦେଉଛୁ ମହାନଦୀ ରିଭର ଉପରେ ଧ୍ୟାନ ଦେଉଛୁ l ମହାନଦୀ ରିଭର ବ୍ୟାଙ୍କରେ ଯେତିକି ବି ଜାଗା ହୋଇ ପାରୁଛି ତଥା ପାଖ ପାଖି ଜାଗା ଗୁଡିକୁ ବିକାଶ କରିବୁ l ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ ସର୍ଭେ କରୁଛୁ l ଫିଲଡ ଇନ୍ସପେକ୍ସନ ହୀରାକୁଦ ଡ୍ୟାମ ଡିଭିଜନ କରୁଛି l "
ଇଟିଭି ଭାରତ, ସମ୍ବଲପୁର