ଭୁବନେଶ୍ୱର: ରାଜ୍ୟରେ ନୂତନ ସରକାର ଗଠନ ପରେ ପ୍ରଥମ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଛି । ଏହାପରେ ମନ୍ତ୍ରୀମାନଙ୍କୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଭାଗର ପରିଚାଳନା ଏବଂ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ମଙ୍ଗଳବାର ସମୀକ୍ଷା କରିଥିଲେ । ବୈଠକରେ ବିଭାଗ ଅଧିନରେ ଯୁବପୀଢ଼ିଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ଦକ୍ଷ ଓ କୁଶଳୀ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ବୈଠକ ପୂର୍ବରୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଖାରବେଳ ଭବନରେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, "ଓଡ଼ିଶାର ଯୁବପୀଢ଼ି ପୂର୍ଣ୍ଣ ତାଲିମପ୍ରାପ୍ତ ହୋଇ ଆମ ରାଜ୍ୟରେ କିପରି ନିଯୁକ୍ତି ସୁଯୋଗ ପାଇବେ ସେଥିପ୍ରତି ବିଭାଗ ଯତ୍ନବାନ ହେବା ଆବଶ୍ୟକ ।" ଶିଳ୍ପଭିତ୍ତିକ ଦକ୍ଷତା ଏବଂ ଦକ୍ଷତା ଶୈଳୀକୁ ସୁଦୃଢ଼ କରି ଯୁବପିଢ଼ିଙ୍କୁ ଆତ୍ମନିର୍ଭର କରିବା ସହ ବୈଶ୍ୱିକ ପ୍ରତିଯୋଗିତା ନିମନ୍ତେ ସକ୍ଷମ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଗତ ଦୁଇବର୍ଷ ମଧ୍ୟରେ ଆମ କେତେ ଯୁବକଯୁବତୀଙ୍କୁ ବୈଷୟିକ ଶିକ୍ଷା ସହ ଆତ୍ମନିର୍ଭର କରାଇ ପାରିଛେ ଏବଂ ଆଗାମୀ ଦିନରେ ଏ ବାବଦରେ କି ପ୍ରକାର ଅଧିକ ପଦକ୍ଷେପ ନିଆଯାଇ ପାରିବ ସେବାବଦରେ ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଓଡ଼ିଶାର ଯୁବଶକ୍ତିଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଏହାମଧ୍ଯ ପଢନ୍ତୁ.. ପ୍ରକୃତି ଓ ପ୍ରଗତି ମଧ୍ୟରେ ସମନ୍ୱୟ ରଖି ଗଢିବା ସବୁଜ ଓ ସୁନ୍ଦର ଓଡ଼ିଶା : ଜଙ୍ଗଲ ମନ୍ତ୍ରୀ - Forest minister Review meeting
ବୈଠକ ଆରମ୍ଭରେ ପ୍ରମୁଖ ଶାସନ ସଚିବ ମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟାବଳୀ, ପ୍ରଶାସନିକ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଓ ବିତ୍ତୀୟ ଅନୁଦାନ ଉପରେ ପିପିଟି ମାଧ୍ୟମରେ ବିଷଦ ତଥ୍ୟ ଉପସ୍ଥାପନ କରିଛନ୍ତି । ଡିଜିଟାଲ ସ୍କିଲିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେରାଇନ ଇଂଜିନିୟରିଂ ଆଦି ବିଷୟଗୁଡ଼ିକୁ ବିଭାଗରେ ସାମିଲ କରିବା ନେଇ ମଧ୍ୟ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ସହିତ ଏହି କେନ୍ଦ୍ରରେ ଆହୁରି ଶିଳ୍ପଭିତ୍ତିକ ଦକ୍ଷତା ତାଲିମ ପାଇଁ ପ୍ରସ୍ତାବ ରହିଛି ବୋଲି ସଚିବ ସୂଚନା ଦେଇଛନ୍ତି । ସମୀକ୍ଷା ବୈଠକରେ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର