ବଲାଙ୍ଗୀର: ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଆଜି ସମ୍ପନ୍ନ ହୋଇଛି । ଦେବ ଦମ୍ପତିଙ୍କ ଶୁଭ ବିବାହ ପରେ ଆଜି ଦେବଦମ୍ପତି ଘର ବାହୁଡ଼ା ହୋଇଥିଲେ ଏବଂ ଧୁମଧାମରେ ଆଜି ତିନି ଦିନ ଧରି ଚାଲିଥିବା ଶୀତଳ ଷଷ୍ଠୀ ଯାତ୍ରା ସମ୍ପନ୍ନ ହୋଇଛି । ତେବେ ଗତକାଲି ଦେବ ଦମ୍ପତିଙ୍କ ଶୁଭ ବିବାହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବୈଦିକ ରୀତି ନୀତି ଅନୁସାରେ ମାଟି ପକା ହଳଦୀ ନୀତି କାନ୍ତି ପରେ ମାତା ପାର୍ବତୀ ଓ ମହାଦେବଙ୍କ ଶୁଭ ବିବାହ ଅନୁଷ୍ଠିତ ହୋଇଥିଲା । ଦେବ ଦମ୍ପତିଙ୍କ କଳ୍ପିତ ମା ବାପା ଏହି ବିବାହ ପାଇଁ ସବୁ ବ୍ୟବସ୍ଥା ହାତକୁ ନେଇଥିଲେ । ବିଭିନ୍ନ ଶୀତଳ ଷଷ୍ଠୀ କମିଟି ମାନେ ମଧ୍ୟ ଏହାର ବହୁ ଆଡ଼ମ୍ବରରେ ଆୟୋଜନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ... ପଡ଼ିଲା ହାତଗଣ୍ଠି, ମନ୍ଦିରକୁ ଫେରିଲେ ଦେବଦମ୍ପତି - Subarnapur Shital Sasthi
ରୀତି ନୀତି ଅନୁସାରେ ବିବାହ କାର୍ଯ୍ୟ ଚାଲିଥିବା ବେଳେ ନୀତି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଲୋକେ । ବିବାହ ପରେ ଦେବ ଦମ୍ପତ୍ତି ଯୁଗଳ ଦର୍ଶନ ଦେଇଥିଲେ । ଗତ ସନ୍ଧ୍ୟାରୁ ଯୁଗଳ ମୂର୍ତ୍ତି ସହର ପରିକ୍ରମା କରିବା ସହ ଆଜି ଘର ବାହୁଡ଼ା କରିଛନ୍ତି । ଏହି ଘର ବାହୁଡ଼ା ଯୁଗଳ ମୂର୍ତ୍ତିଙ୍କୁ ଲୋକେ ଦର୍ଶନ କରିଥିଲେ । ତାଙ୍କର ଘର ବାହୁଡ଼ା ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା, ଯେଉଁଥିରେ ସବୁ କମିଟି ପକ୍ଷରୁ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଅଣା ଯାଇଥିଲା ।
ସହରରେ ଦେବ ଦମ୍ପତିଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମି ଥିଲା । ସେହିପରି ଅଘୋରୀ ନୃତ୍ୟ, ଘଣ୍ଟ ବାଦ୍ୟ ଓ ଛଉ ନୃତ୍ୟ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନକୁ ଛୁଇଁ ଥିଲା । ଏଥର ଦେବ ଦମ୍ପତିଙ୍କ ମା ବାପା ହେବାର ସୌଭାଗ୍ୟ ପାଇଥିବା ଦମ୍ପତ୍ତି ମାନେ ନିଜକୁ ବହୁ ଭାଗ୍ୟବାନ ବୋଲି କହିଛନ୍ତି, ଯେଉଁଥିରେ ବଲାଙ୍ଗୀର ସିଦ୍ଧେଶ୍ବର ବାବାଙ୍କ ମାତା ପିତା ସାଜିଥିବା ଡ଼ାକ୍ତର ସ୍ବସ୍ତିରେଖା ନାୟକ ଓ ସନ୍ତୋଷ ପଟ୍ଟନାୟକ କହିଛନ୍ତି ଯେ ଏଥର ସେମାନେ ଏହି ସୌଭାଗ୍ୟ ଅର୍ଜନ କରିଥିଲେ ଏବଂ ଯେମିତି ବିବାହ ହୋଇ ଥାଏ ସେମିତି ବିବାହ ସେମାନେ କରିବା ସହ ବନ୍ଧୁ ବାନ୍ଧବ ପଡୋଶୀ ସମସ୍ତଙ୍କୁ ଏଥିରେ ସାମିଲ କରିଥିବାର ଏମାନେ କହିଛନ୍ତି ।
ଏସଏସ ପଡ଼ା ପୂଜା କମିଟି ସଭାପତି ସମୀର ସାହାଣୀ ଓ ସଦସ୍ୟ ଲଳିତ ପୁଝାରୀ କହିଛନ୍ତି ଯେ ଏଥର ଗରମ ଓ ଖରା ପ୍ରବଳ ଥିବା ସତ୍ତ୍ବେ ଶୀତଳ ଷଷ୍ଠୀ ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥିଲା । ଦେବ ଦମ୍ପତିଙ୍କ ବିବାହରେ ଲୋକେ ସାମିଲ ହେବା ସହ ତାଙ୍କର ଦର୍ଶନ କରିଥିଲେ । ଆଜି ଘର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ବାହାରୁ ଆସିଥିବା କଳାକାର ମାନେ ନିଜର କଳା ପ୍ରଦର୍ଶନ କରି ଯାତ୍ରାକୁ ବେଶ ସଫଳ କରିଥିଲେ । ପୋଲିସ୍ ପ୍ରଶାସନ ମଧ୍ୟ କମିଟି ସହ ମିଶି ବେଶ ସହଯୋଗ ଦେଇଥିବାରୁ ସମସ୍ତଙ୍କୁ ଏମାନେ ଧନ୍ୟବାଦ ଦେଇଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର