ବୌଦ୍ଧ: ଜଙ୍ଗଲଜାତ ଦ୍ରବ୍ୟ ମହିଳାଙ୍କୁ କରିଛି ସ୍ବାବଲମ୍ବୀ । ଜଙ୍ଗଲରେ ମିଳୁଥିବା ଶିଆଳି ପତ୍ରରୁ ରୋଜଗାରର ପନ୍ଥା ପାଇଛନ୍ତି ବୌଦ୍ଧର ଜିଲ୍ଲାର ଆଦିବାସୀ ମହିଳା । ବିଶେଷ କରି ଶିଆଳି ପତ୍ରର ଚାହିଦା ଦକ୍ଷିଣ ଭାରତ ରାଜ୍ୟ ମାନଙ୍କରେ ଥିବାରୁ ଏହାକୁ ରପ୍ତାନୀ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା । କେବଳ ସେତିକି ନୁହେଁ ଜଙ୍ଗଲ ଜାତ ଦ୍ରବ୍ୟ ଯଥା, ଝୁଣା, ମହୁ,ଲାଖ ସଂଗ୍ରହ ସହିତ ବାଉଁଶରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ତଥା ହଳଦୀ ଚାଷ କରି ବେଶ ଲାଭାନ୍ବିତ ହୋଇ ପାରୁଛନ୍ତି ।
ବରଦାନ ସାଜିଛି ଶିଆଳି ପତ୍ର:
ଭୋଜିଭାତରେ ଖୋଜା ପଡେ ଖଲିପତ୍ର । ଆଉ ଜଙ୍ଗଲରେ ମିଳୁଥିବା ଶିଆଳି ପତ୍ରରୁ ତିଆରି ହୁଏ ଖଲିପତ୍ର । କାରଣ ଏ ପତ୍ର ଗୁଡିକ ବଡ ଆକାରରେ ହୋଇଥିବାରୁ ଖଲିପତ୍ର ସେଥିରୁ ତିଆରି କରାଯାଏ । ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ମହିଳା ମାନେ ଜଙ୍ଗଲରୁ ଶିଆଳି ପତ୍ର ସଂଗ୍ରହ କରିଥାନ୍ତି । କାରଣ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ଏହି ପତ୍ରର ରହିଛି ଢେର୍ ଚାହିଦା ।
ରାଜ୍ୟ ବାହାରେ ଶିଆଳି ପତ୍ର ଆଦର:
ବୌଦ୍ଧ ଜିଲ୍ଲାର ଶିଆଳି ପତ୍ରର ଖୁବ ଚାହିଦା ରହିଥିବା ବେଳେ ଏହି ଶିଆଳି ପତ୍ର ରାଜ୍ୟ ତଥା ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବିଶେଷ ଭାବରେ ଆଦୃତ ହୋଇ ପାରିଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଭଳି ବିଭିନ୍ନ ରାଜ୍ୟରେ ବୌଦ୍ଧ ଜିଲ୍ଲାର ଶିଆଳି ପତ୍ର ବେଶ ଚାହିଦା ରହିଛି । ତେଣୁ ମାଧପୁର ଅଞ୍ଚଳର ମହିଳା ଗୋଷ୍ଠୀ ଭଲ ଦରରେ ଏହି ପତ୍ରକୁ ଦକ୍ଷିଣ ଭାରତ ରପ୍ତାନୀ କରି ବେଶ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଛନ୍ତି ।
ଜଙ୍ଗଲଜାତ ଦ୍ରବ୍ୟ କରିଛି ସ୍ବାବଲମ୍ବୀ:
ଏଥିସହ ମାଧପୁର ବନାଞ୍ଚଳର କଣ୍ଡରା, କାଚପାଜୁ, ବାଙ୍କପାଜୁ ଭଳି ଦୁର୍ଗମ ଗ୍ରାମର ଆଦିବାସୀ ମହିଳା ମାନେ ଜଙ୍ଗଲରୁ ଶିଆଳି ପତ୍ର ସହିତ ଝୁଣା, ମହୁ,ଲାଖ ସଂଗ୍ରହ ସହିତ ବାଉଁଶରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ତଥା ହଳଦୀ ଚାଷ କରି ବେଶ ଲାଭାନ୍ବିତ ହୋଇ ପାରୁଛନ୍ତି । ଏହି ସବୁ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବା ସହ ସ୍ବାବଲମ୍ବୀ ହୋଇପାରୁଛନ୍ତି ।
ବୌଦ୍ଧର ଡାଲିର ଢେର୍ ଡିମାଣ୍ଡ:
ଏହାଛଡା ମହାନଦୀ ଅବବାହିକାରେ ଉତ୍ପାଦିତ ବିଭିନ୍ନ ଡାଲି ଜାତୀୟ ଫସଲର ବେଶ ଚାହିଦା ରହିଛି । ଏଣୁ ହରଭଙ୍ଗା ବ୍ଲକର ବିଭିନ୍ନ ମହାନଦୀ କୂଳିଆ ଅଞ୍ଚଳର ମୁଗ,ହରଡ,କୋଳଥ ଡାଲି ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ ହୋଇଥାଏ । ସେହିପରି ବୌଦ୍ଧ ଜିଲ୍ଲା ଗୁଡଭେଲିପଦର ଗ୍ରାମର ତମ୍ବା ନାଗ ଓ ଅନ୍ୟାନ୍ୟ ସାମଗ୍ରୀ ରାଜ୍ୟରେ ବେଶ ସୁନାମ ଆଣିପାରିଛି । ତେଣୁ ମହିଳାଙ୍କୁ ସହଯୋଗ ଆସିଛି ଜିଲ୍ଲା ପ୍ରଶାସନ । ମହିଳା ଗୋଷ୍ଠୀ କିପରି ସହାୟତା ପାଇବେ ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଛି ଜିଲ୍ଲପ୍ରାଶାସନ ।
କଣ କହୁଛନ୍ତି ମହିଳା ?
ଏନେଇ ମାଧପୁର ଗାଁର ମଞ୍ଜୁଲତା ଦାସ କହିଛନ୍ତି, ହରଭଙ୍ଗା ବ୍ଲକ ମାଧପୁର ଅଞ୍ଚଳ ହେଉଛି ଅନୁନ୍ନତ ଅଞ୍ଚଳ । ଯେଉଁଠି ଲୋକେ ମୁଖ୍ୟତଃ ଶିଆଳି ପତ୍ର ବା ଖଲି ଉପରେ ନିର୍ଭର କରି ଚଳିଥାନ୍ତି । ଏଥିସହ ଆମ ଅଞ୍ଚଳର ହଳଦୀ ବହୁତ ଭଲ । ଏହାର ସ୍ବାଦ, କ୍ବାଲିଟି ବହୁତ ଭଲ । ପାଖାପାଖି 547 ମହିଳା ଶିଆଳି ପତ୍ରକୁ ନେଇ ଚଳିଥାନ୍ତି । ସେହିପରି ଅନ୍ୟଜଣେ ମହିଳା ନିନା ସାହୁ କହିଛନ୍ତି, ଓରମାସ ତରଫରୁ ଆମେ ବହୁତ ସୁବିଧା ପାଉଛୁ । 50ରୁ ଊର୍ଦ୍ଧ୍ବ ମହିଳା ଆମେ ସ୍ବାବଲମ୍ବୀ ହୋଇଛୁ ।
‘ପ୍ଲାଷ୍ଟିକ ଅପେକ୍ଷା ଶିଆଳି ଖଲିପତ୍ର ଭଲ’
ସେହିପରି ଆନ୍ଧ୍ରପ୍ରଦେଶର ସୁଧାକର କହିଛନ୍ତି, ‘ପ୍ଲାଷ୍ଟିକରେ ଖାଦ୍ୟ ଖାଇଲେ ପେଟ ଖରାପ ହୁଏ । ଆଉ ଜଙ୍ଗଲରେ ମିଳୁଥିବା ଶିଆଳି ପତ୍ରରେ ଖାଇଲେ ଭଲ । ଶରୀର ପାଇଁ ଭଲ ଓ ପ୍ରଦୂଷଣ ବି ହୁଏ ନାହିଁ । ଅନ୍ୟ ଜିଲ୍ଲା ଅପେକ୍ଷା ବୌଦ୍ଧ ଜିଲ୍ଲାର ଶିଆଳି ପତ୍ରର ଗୁଣବତ୍ତା ଭଲ । ଆମେ ଏହି ପତ୍ର ଏଠି ନଉଛୁ ।’
ସେପଟେ ଶିଆଳି ପତ୍ର ହରଭଙ୍ଗା ବ୍ଲକର ମହିଳାଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି । ଘରେ ବସିବା ଅପେକ୍ଷା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ମହିଳା ମାନେ ବେଶ ସ୍ବାବଲମ୍ବୀ ହୋଇପାରୁଛନ୍ତି ।
ଇଟିଭି ଭାରତ, ବୌଦ୍ଧ