ଜଗତସିଂହପୁର: ଆଜି ପବିତ୍ର ଶୀତଳ ଷଷ୍ଠୀ । ଦେବଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଶୁଭ ବିବାହ । ଏନେଇ ସମସ୍ତ ଶୈବପୀଠରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅବସରେ ଜଗତସିଂହପୁର ସହରର ଅଧିଷ୍ଠିତ ଦେବତା ପ୍ରଭୁ ମୁଚୁକୁନ୍ଦ ସୋମନାଥ ମନ୍ଦିରରେ ଆଜି ଶୀତଳ ଷଷ୍ଠୀ ଯାତ୍ରା ଓ ଶିବ ବିବାହ କାର୍ଯ୍ୟକ୍ରମ ବହୁ ଧୁମଧାମରେ ପାଳିତ ହୋଇଛି ।
ଗତକାଲି (ରବିବାର) ରାତିରେ ଦେବ ଦମ୍ପତିଙ୍କ ମଙ୍ଗନ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ଦେବାଦେବୀ ନିମନ୍ତ୍ରଣ କରାଯାଇଥିଲା । ଦିନ ତମାମ ବିବାହର ନୀତିକାନ୍ତି ଅନୁଷ୍ଠିତ ହେବାପରେ ସନ୍ଧ୍ୟାରେ ବର ବେଶରେ ସାଜିତ ହୋଇ ଦେବ ଦେବ ମହାଦେବ ବିରାଟ ପଟୁଆରରେ ସହର ପରିକ୍ରମା କରିଥିଲେ । ପାରମ୍ପରିକ ବାଦ୍ୟର ତାଳେତାଳେ ସମଗ୍ର ଜଗତସିଂହପୁର ସହର ଉତ୍ସବ ମୁଖର ହୋଇ ଉଠିଥିଲା । ସହର ପରିକ୍ରମା କରିସାରିବା ପରେ ଦେବ ଦମ୍ପତିଙ୍କୁ ବିବାହ ମଣ୍ଡପକୁ ନିଆଯାଇ ପରମ୍ପରା ଅନୁଯାୟୀ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଉଛି । ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଦେବ ଦମ୍ପତିଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଆଜି ମହାଦେବ-ମାତା ପାର୍ବତୀଙ୍କ ପଡିବ ହାତଗଣ୍ଠି, ଉତ୍ସବମୁଖର ବଲାଙ୍ଗୀର - SHITALA SASHTI 2024
ତେବେ ଜଗତସିଂହପୁର ସହରର ମୁଚୁକୁନ୍ଦ ସୋମନାଥ ମନ୍ଦିର ପ୍ରାୟ ହଜାର ବର୍ଷର ପୁରାତନ ମନ୍ଦିର । ଏହି ମନ୍ଦିରରେ ବାର ମାସରେ ବିଭିନ୍ନ ପ୍ରକାରର ଯାନିଯାତ୍ରା ଅନୁଷ୍ଠିତ ହୋଇଥାଏ । କେବଳ ଯେ ଜଗତସିଂହପୁର ସହର ନୁହେଁ ବରଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଏହି ଶୈବପୀଠକୁ ଭକ୍ତମାନେ ଦର୍ଶନ କରିବା ପାଇଁ ଆସିଥାନ୍ତି । ଲୋକକଥା ଅନୁସାରେ ଅଳକା ନଦୀ ପ୍ରବାହିତ ହେଉଥିବା ସମୟରେ ଜଣେ କୃଷକ ନଦୀ ପଠାରେ ଚାଷ କରିବା ସମୟରେ ଏହି ଶିବଲିଙ୍ଗ ଆବିର୍ଭାବ ହୋଇଥିଲେ । ଏହି ଘଟଣା ଜଣା ପଡିବା ପରେ ସେ ସମୟର ହରିପୁର ଜମିଦାର ଠାକୁରଙ୍କ ପାଇଁ ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିଥିଲେ । ଅଳକା ନଦୀ କୂଳରେ ମୁଚୁକୁନ୍ଦ ଆଶ୍ରମ ରହିଥିବାରୁ ଏହି ମହାଦେବଙ୍କୁ ମୁଚୁକୁନ୍ଦ ସୋମନାଥ ବୋଲି ନାମ ଦିଆଯାଇଥିଲା । ସେହିଦିନ ଠାରୁ ଲୋକେ ଏଠାରେ ପୂଜାର୍ଚ୍ଚନା କରି ଆସୁଛନ୍ତି । ମହାପ୍ରଭୁଙ୍କ ମହିମା ମଧ୍ୟ ଅପର । ଯଦି ବିଶ୍ୱାସରେ ବାବା ସୋମନାଥଙ୍କ ନାମ ଧରି ମାନସିକ କରାଯାଏ ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ପ୍ରତ୍ୟେକ ଦିନ ଏହି ପୀଠରେ କ୍ଷୀରି ଓ ଏଣ୍ଡୁରି ପିଠା ଭୋଗ କରାଯାଇଥାଏ।
ଇଟିଭି ଭାରତ, ଜଗତସିଂହପୁର