ବୌଦ୍ଧ: ବୌଦ୍ଧ-ଫୁଲବାଣୀ ସୀମାନ୍ତ ଘାଟି ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଆହତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଖମ୍ବେଶ୍ବରୀ ନାମକ ଯାତ୍ରୀବାହୀ ବସଟି ବୌଦ୍ଧରୁ ବାଲିଗୁଡା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ବୌଦ୍ଧରୁ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଆଜି ସକାଳେ ବାଲିଗୁଡା ଅଭିମୁଖେ ଯାଉଥିଲା । ସେହି ସମୟରେ ରାଣୀପଥର ଘାଟି ନିକଟସ୍ଥ ଗେଟାମୁଣ୍ଡା ଘାଟି ଉପରେ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ଏପରି ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସରେ ଯାତ୍ରା କରୁଥିବା କରୁଥିବା ପ୍ରାୟ ୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି । ଏନେଇ ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ପୁରୁଣା କଟକ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ କେତେକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ବୁରୁବୁଡା ଗ୍ରାମର ବିକ୍ରମ ରଣା ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ସୁଡ୍ରେଜୁ ଯାଉଥିବା ବେଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧରୁ କଟକ ସ୍ଥାନାନ୍ତର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଟ୍ରିପରରେ ଆସିଥିଲା ମୃତ୍ୟୁ ! ଘରକୁ ଫେରିବା ପୂର୍ବରୁ ଚାଲିଗଲା 5 ଜୀବନ
ରାଜ୍ୟରେ ସଡ଼କ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି । ପ୍ରତିଦିନ କେଉଁଠି ନା କେଉଁଠି ମର୍ମନ୍ତୁଦ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି । ବିଶେଷକରି ଗତ କିଛି ଦିନ ମଧ୍ୟରେ ବସ୍ ଦୁର୍ଘଟଣା ମାମଲା ଅତି ଚିନ୍ତାଜନକ ରହିଛି । ସେହିପରି ଜିଲ୍ଲାରେ କିଛିଦିନ ପୂର୍ବୁର ଟ୍ରକକୁ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଫଳରେ ଟ୍ରକଟି ଓଲଟି ପଡିବାରୁ ଡ୍ରାଇଭରଙ୍କ ସମେତ ତାଙ୍କର ଦୁଇ ପୁଅ ଗୁରୁତର ହୋଇଥିଲେ । ସେହିପରି ଅନ୍ୟ ଏକ ସଡକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଗୁରୁତର ହୋଇଥିଲେ ।
ଇଟିଭି ଭାରତ,ବୌଦ୍ଧ