ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ପୁଣି ମାତିଛନ୍ତି ଶିକାରୀ । ପୋଲିସ ଓ ବନବିଭାଗକୁ ଖାତିର ନକରି ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି ଶିକାରୀ । ଏହାରି ଭିତରେ ଶିକାର ପାଇଁ ପୁଣି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ୯ ଜଣ ଶିକାରୀଙ୍କୁ ଧରିଛି ବନ ବିଭାଗ । ସେମାନଙ୍କ ପାଖରୁ ୯ ଟି ଦେଶୀ ବନ୍ଧୁକ ସହ ୩୦ କେଜି ସମ୍ବର ମାଂସ ଜବତ କରିଛି ବନବିଭାଗ ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଳଡିହା, ଜାମଡିହା ଏବଂ ପାଟଶାଣିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲିଡିହି ଗ୍ରାମ ସମେତ ନିକଟବର୍ତ୍ତୀ ଗ୍ରାମ ଗୁଡିକରୁ ୪୦ ଜଣ ଲୋକ ବନ୍ଧୁକ ଧରି ଶିମିଳିପାଳ ଟାଇଗର ରିଜର୍ଭ ଜେନାବିଲ ରେଞ୍ଜରେ ପ୍ରବେଶ କରିଥିଲେ । ଖବର ପାଇ ଶିମିଳିପାଳ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଏବଂ ପୋଡାଡିହା ଓ ଡୁକୁରା ରେଞ୍ଜର କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ାଉ କରି ୯ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେମାନଙ୍କ ନିକଟରୁ ୯ ଟି ଦେଶୀ ବନ୍ଧୁକ ଓ କିଛି ଧନୁ ତୀର ମଧ୍ୟ ଜବତ କରାଯାଇଛି । ଏଥି ସହିତ ୩୦ କେଜି ସମ୍ବର ମାଂସ ଜବତ କରାଯାଇଥିଲା । ତେବେ ବନବିଭାଗର ଅତର୍କିତ ଚଢ଼ାଉ ସମୟରେ 9 ଜଣ ଶିକାରୀଙ୍କୁ ଧରା ଯାଇଥିବା ବେଳେ ଅନ୍ୟ ଶିକାରୀମାନେ କୌଶଳ କ୍ରମେ ସେଠାରୁ ଫେରାର ହୋଇ ଯାଇଛନ୍ତି । ଏହାସହ ଗିରଫ କରାଯାଇଥିବା ଶିକାରୀଙ୍କୁ ବନବିଭାଗ ପକ୍ଷରୁ ପଚରାଉଚରା ଜାରିରହିଛି । ଖସି ପଳାଇ ଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତରଫରୁ ତନାଘନା ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହା ମଧ୍ୟ ପଢ଼ନ୍ତୁ...ଶିମିଳିପାଳରୁ 4 ଶିକାରୀ ଗିରଫ, ଦୁଇଟି ଦେଶୀ ବନ୍ଧୁକ ଜବତ
ତେବେ ବିଭିନ୍ନ ସମୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଶିକାରୀମାନଙ୍କୁ ଗିରଫ କରାଯାଉଛି । ଏହାସହ ବିଭିନ୍ନ ସମୟରେ ଅନେକ ମାତ୍ରାରେ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଉଛି । ହେଲେ ସତେ ଯେମିତି ବନବିଭାଗ ପ୍ରତି ଶିକାରୀମାନଙ୍କ ଆଉ ଭୟ ନାହିଁ । ଶିମିଳିପାଳ ଅଭୟାରଣ୍ୟରେ ଅବାଧରେ ଶିକାର କରିବା ଶିକାରୀମାନଙ୍କ ଯେମିତି ଗୋଟିଏ ନିଶା ପାଲଟି ଯାଇଛି । ଶିମିଳିପାଳରେ ଦୁଇ ଦୁଇ ଜଣ ବନ କର୍ମଚାରୀଙ୍କ ଗୁଳି ମାଡ଼ରେ ମୃତ୍ୟୁ ହେବା ପରେ ପୋଲିସ ଓ ବନବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଶହ ଶହ ବନ୍ଧୁକ ଜବତ କରାଗଲାଣି । ହେଲେ ଏବେବି ବହୁତ ମାତ୍ରାରେ ବନ୍ଧୁକ ଜବତ ହେଉଥିବା ଘଟଣା ବନବିଭାଗ ଓ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କେଉଁଠୁ ଏତେ ଦେଶୀ ବନ୍ଧୁକ ଆସୁଛି ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ମୟୂରଭଞ୍ଜ