ଗଜପତି: କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା । ପ୍ରଥମେ ବସ୍ ପରେ ପିକଅପ ଭ୍ୟାନକୁ ଧକ୍କା ଦେଇ 20 ଫୁଟ ତଳକୁ ଓଲଟି ପଡିଲା ବସ । ଫଳରେ ପ୍ରାୟ 20 ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଯାତ୍ରୀ ଗୁରୁତର ଅଛନ୍ତି । ସେମାନଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଟି ସୋମବାର ବିଳମ୍ବିତ ରାତି 1.30 ବେଳେ ହୋଇଥିବା ସୂଚନା ।
କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା:
ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା ଘଟିଛି । ପୁରୀରୁ ମାଲକାନଗିରି ଯାଉଥିବା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ନାମକ ଏକ ଯାତ୍ରୀବାହୀ ବସ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ କେନ୍ଦୁଘାଟିରେ ରାସ୍ତା କଡରେ ଛିଡା ହୋଇଥିଲା । କିଛି ଯାତ୍ରୀ ବାହାରେ ଥିବା ବେଳେ କିଛି ଯାତ୍ରୀ ବସ ଭିତରେ ଥିଲେ । ହେଲେ ରାତିରେ ଭୁବନେଶ୍ବରରୁ ମାଲକାନଗିରି ଯାଉଥିବା ମହାକାଳ ନାମକ ବସ ଆସି ରାସ୍ତାକଡରେ ଛିଡା ହୋଇଥିବା ଜଗନ୍ନାଥ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହାପରେ ଏକ ପିକଅପ ଭ୍ୟାନକୁ ମଧ୍ୟ ଧକ୍କା ଦେଇ 20 ଫୁଟ ତଳକୁ ଓଲଟି ପଡିଥିଲା ।
କେତେ ଯାତ୍ରୀ ଆହତ:
ଏହି ସିରିଜ ଦୁର୍ଘଟଣା ଫଳରେ ଉଭୟ ବସରେ ଥିବା ପ୍ରାୟ 20 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ସମସ୍ତଙ୍କୁ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ 4 ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସମସ୍ତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
ଯାତ୍ରୀ ସୁଜାତା ସ୍ବାଇଁ କହିଛନ୍ତି, ‘ଆମେ ଭୁବନେଶ୍ବରରୁ ମାଲକାନଗିରିକୁ ଯାଉଥିଲୁ । ଦୁର୍ଘଟଣା ରାତି 1ଟା ପରେ ହୋଇଛି । ବସ୍ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି । ଆମକୁ 108 ଆମ୍ବୁଲାନ୍ସରେ ମେଡିକାଲକୁ ଆଣିଛନ୍ତି ।
ଆଉ ଜଣେ ଯାତ୍ରୀ କହିଛନ୍ତି, ଆମ ବସ ଛିଡା ହୋଇଥିବା ବେଳେ ଆଉ ଗୋଟେ ବସ ଆସିକି ଧକ୍କା ଦେଇଥିଲା । 50ରୁ60 ଲୋକେ ଆହତ ହୋଇଥିବେ । ମହାକାଳ ବସ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ।
ଇଟିଭି ଭାରତ, ଗଜପତି