କେନ୍ଦ୍ରାପଡ଼ା: ଖୁବଶୀଘ୍ର ବିଜେଡିରେ ଯୋଗ ଦେଇପାରନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସରକାରର ଜଣେ ଦକ୍ଷ ନେତା ଥିଲେ ବିଜୟ । ହେଲେ ୨୦୦୦ ମସିହାରୁ ବିଜେଡିରୁ ନିଲମ୍ବିତ ହୋଇଥିଲେ ବିଜୟ । ହେଲେ ବର୍ତ୍ତମାନ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ମାତ୍ର କିଛି ଦିନ ପରେ ସେ ବିଜେଡିର ଯୋଗଦାନ କରିପାରନ୍ତି ବୋଲି କୁହାଯାଉଛି।
ବିଜୟ ମହାପାତ୍ରଙ୍କ ସୁପୁତ୍ରକୁ ବିଜେଡି ଦଳରେ କେଉଁ ଆଶା ନେଇ ସ୍ଥାନ ଦେବ ତାହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଅପରପକ୍ଷେ, ଅରବିନ୍ଦ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଘନଘନ ଗସ୍ତ କରୁଥିବା ଦେଖିବାକୁ ମିଳୁଛି । ତେବେ ବାପା ବିଜୟଙ୍କୁ ରାଜନୈତିକ ଗୁରୁ ତଥା ଆଦର୍ଶ ବୋଲି ସମ୍ବୋଧନ କରିଛନ୍ତି ଅରବିନ୍ଦ । ଅରବିନ୍ଦ ମହାପାତ୍ର କହିଛନ୍ତି, ମୁଁ କେଉଁ ଦଳରେ ଯୋଗ ଦେବି କି ନାହିଁ ସେ ନିଷ୍ପତ୍ତି ମୋର ନେତା ବିଜୟ ମହାପାତ୍ର ନେବେ।" ଗତ କିଛି ଦିନ ତଳେ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ଦଳରେ ମିଶିଥିଲେ । ଏବେ ବିଜେଡି ପାୱାର କରିଡର ବିଜୁ ବାବୁଙ୍କ ଅନ୍ୟତମ ସହଯୋଗୀ ତଥା ବିଜେଡି ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମିଶିବା ନେଇ ଚର୍ଚ୍ଚା ହେଉଛି। ପୁରୁଖା ନେତାଙ୍କ ପୁଅଙ୍କୁ ଦଳରେ ମିଶାଇ କେଉଁ ଗେମ ପ୍ଲାନ କରିବ ବିଜେଡି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏହା ମଧ୍ୟ ପଢନ୍ତୁ...ଆଠମଲ୍ଲିକରେ ବିଜେଡିର ବିରାଟ ଶୋଭାଯାତ୍ରା: ବିଧାୟକ ଅନୁପସ୍ଥିତ, ନଳିନୀଙ୍କୁ ସାଙ୍ଗରେ ନେଇ ଚାଲିବାକୁ କହିଲେ ପ୍ରଣବ
ଏହା ମଧ୍ୟ ପଢନ୍ତୁ...ନାଉଗାଁରେ ଚିରଞ୍ଜୀବଙ୍କ ଶକ୍ତି ପ୍ରଦର୍ଶନ, ବିଜେଡିରେ ଯୋଗଦେବା ପ୍ରଶ୍ନକୁ ଏଡ଼ାଇଲେ
ତେବେ ୨୦୦୯ ମସିହାରୁ ବିଜେପିରେ ରହି କେବଳ ନିର୍ବାଚନ ସମୟରେ ସରକାରଙ୍କୁ ଅଡୁଆରେ ପକାଉଥିବା ବିଜୟ ମହାପାତ୍ର ଏବେ କ'ଣ ନିଷ୍ପତ୍ତି ନେବେ? ସରକାର ବିରୋଧୀ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବେ କି ଅପରିବର୍ତ୍ତିତ ରହିବେ ସେନେଇ ଏବେ ଦ୍ଵନ୍ଦ ଉପୁଜିଛି। ଅନ୍ୟପଟେ ବିଜୟଙ୍କୁ ବିଜେଡି ପୁଣି ଥରେ ଗ୍ରହଣ କରିବ କି ତାହା ସ୍ପଷ୍ଟ ହୋଇନଥିବାବେଳେ ବିଜୟ ତାଙ୍କର ଅନୁଗତମାନଙ୍କୁ ନେଇ ବୈଠକ କରୁଥିବା ଦେଖିବାକୁ ମିଳୁଛି । ସେହିପରି ପାଟକୁରା ବିଜେଡିରେ ଅନ୍ତଃକନ୍ଦଳ ରହିଥିବାରୁ ଗୋଟିଏ ଗୁଳିରେ ବିଜେଡି ଦୁଇଟି ଶିକାର କରିବା ଯୋଜନା କରିଥିବା କୁହାଯାଉଛି।
ଇଟିଭି ଭାରତ,କେନ୍ଦ୍ରାପଡ଼ା