ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟିଫିକେଟ ଘଟଣା । ଜାଲ୍ ସାର୍ଟିଫିକେଟ ଦେଇ 30 ବର୍ଷ ସରକାରୀ ଚାକିରି କରିଥିଲେ । ଜଣାପଡିବା ପରେ ଏବେ ଚାକିରିରୁ ବିଦା ହେଲେ ସ୍କୁଲ ଶିକ୍ଷକ । ବଲାଙ୍ଗୀର ଜିଲ୍ଲାରେ ଜାଲ ସାର୍ଟିଫିକେଟ ସିଣ୍ଡିକେଟ ବହୁ ବର୍ଷରୁ ଚାଲିଥିବାର ଅଭିଯୋଗ ହୋଇଆସୁଥିଲା । ଏଥିରେ ଅନେକ ଜାଲ ପ୍ରମାଣପତ୍ର ବଳରେ ଶିକ୍ଷକ ଚାକିରି କରିଥିବା ମଧ୍ୟ ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ଜିଲ୍ଲାରେ ଜୋରଦାର ଯାଞ୍ଚ ଆରମ୍ଭ କରାଯାଇଥିଲା । ଆଉ ଏହି ଯାଞ୍ଚ ଜାଲରେ ଫସିଛନ୍ତି ଶିକ୍ଷକ ।
ବଲାଙ୍ଗୀର ଜାଲ ସାର୍ଟିଫିକେଟ ଘଟଣାରେ ପୁଣି ଜଣେ ଶିକ୍ଷକ ଚାକିରିରୁ ବିଦା ହୋଇଛନ୍ତି । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଳୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ରୋହିତ ମନ୍ତ୍ରୀ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବାର ଜଣାପଡ଼ିଥିଲା । ଯାହାକୁ ଭିତ୍ତି କରି ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ତେବେ ସଂପୃକ୍ତ ଶିକ୍ଷକ ରୋହିତ ମନ୍ତ୍ରୀ 1994ରୁ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରିଆସୁଥିଲେ । ସେ ଦେଇଥିବା ସେକେଣ୍ଡାରୀ ଟିଚର ଟ୍ରେନିଂ ସାର୍ଟିଫିକେଟ ଜାଲ ବୋଲି ଜଣାପଡିଥିଲା । ଯାହାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଜାଲ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରି, ଗିରଫ ହେଲେ ବିଆରସିଏସ
ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀର ଶିକ୍ଷା ବିଭାଗରେ କଳଙ୍କ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ABEO !
ସେହିପରି ସଂପୃକ୍ତ ଶିକ୍ଷକ ନାଁରେ ବଙ୍ଗୋମୁଣ୍ଡା ଥାନାରେ ସ୍ଥାନୀୟ ବିଇଓ ଲିଖିତ ଅଭିଯୋଗ କରିଛନ୍ତି । ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ସିଣ୍ଡିକେଟକୁ ନେଇ ଚର୍ଚ୍ଚା ଜୋର ଧରିବା ସହ ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେଟରେ ଅନେକ ଅଯୋଗ୍ୟ ଚାକିରି ହାତେଇ ଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଏଥିରେ ସବୁ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଯାଇଥିଲା । ଏଥିରେ 336 ଜଣଙ୍କର ସାର୍ଟିଫିକେଟ ସନ୍ଦେହ ଘେରକୁ ଆସିଥିଲା । ଏଥିରେ ଗୋଟିଏ ପରେ ଗୋଟିଏ ନକଲି ଶିକ୍ଷକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ତେବେ ନକଲି ସାର୍ଟିଫିକେଟ ଦେଇ ଦୀର୍ଘ 30 ବର୍ଷ ଧରି ଜଣେ କିଭଳି ଶିକ୍ଷକତା କରୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହି ଜାଲ ସାର୍ଟିଫିକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ଜାଲ ସାର୍ଟିଫିକେଟ ଦେଇ ଅନ୍ୟ କେଉଁମାନେ ଚାକିରି ହାତେଇଛନ୍ତି ସେନେଇ ମଧ୍ୟ ଖୋଳତାଡ ଚାଲିଛି ।
ଇଟିଭି ଭାରତ, ବଲାଙ୍ଗୀର