କଟକ: ଏସସିବି ମେଡିକାଲରେ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି । ନ୍ୟୁରୋସର୍ଜରୀ ବିଭାଗରେ ଅପରେସନ ପରେ ନୂଆ ଜୀବନ ପାଇଲେ କନ୍ଧମାଳର ବିବେକ କଅଁର । ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବାବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ କଟୁରୀ କଢ଼ାଯାଇଛି । ଅସ୍ତ୍ରୋପଚାର ପରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା କହିଛନ୍ତି ଡାକ୍ତର । ବିଭାଗର ଡା ପ୍ରତାପ ଶତପଥୀ, ଓ ଦୁଇ ଜଣ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଥିଲେ ।
ଗୁରୁତର ଅବସ୍ଥାରେ SCB ଆସିଥିଲେ ବିବେକ:
ଗତକାଲି(ଶନିବାର) କନ୍ଧମାଳର ବିବେକ କହଁର ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁରର ପରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏନେଇ ଡାକ୍ତର ରୋସନ ମେହେର କହିଛନ୍ତି, ‘ଗତକାଲି 12ଟା ବେଳକୁ ରୋଗୀ ଜଣଙ୍କ କଟକ ଏସସିବିକୁ ଆସିଥିଲେ । ଆସିଲା ବେଳେ ମୁଣ୍ଡରୁ ରକ୍ତସ୍ରାବ ସାଙ୍ଗକୁ ବହୁତ ବ୍ୟଥାରେ ଥିଲେ । ଏପିରିକି ଅପରେସନ ସମୟରେ ଜଣେ ଡାକ୍ତର ସେହି ଟାଙ୍ଗିଆକୁ ଧରି ରଖିଥିଲେ । ଯାହା ଫଳରେ ଅନେକ ସମୟ ଧରି ଚାଲିଥିଲା ଅପରେସନ । ପ୍ରାୟ 4 ଘଣ୍ଟା ଚାଲିଥିଲା ଅପରେସନ । ଗତକାଲି ବିଳମ୍ବିତ ରାତିରେ ଅପରେସନ ଶେଷ ହେବା ପରେ ବିବେକ ବିପଦ ମୁକ୍ତ ରହିଛନ୍ତି ।’
କେମିତି ଆହତ ହେଲେ ବିବେକ:
ଆହତଙ୍କ ପତ୍ନୀ ମମତା କହଁର କହିଛନ୍ତି, ‘ବିବେକଙ୍କ ବାପା ଓ ତାଙ୍କ ଦୁଇ ଜଣ ଯୁବକ ଘରେ ନିଶା ପାନ କରିବା ସମୟରେ ବଡ଼ ଧରଣର ବଚସା ହୋଇଥିଲା । ଏହି ସମୟରେ ବିବେକ କଅଁର ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଝଗଡା ରୋକିବା ପାଇଁ ପ୍ରୟାସ କରିବା ସମୟରେ ମୁଣ୍ଡରେ କୁରାଢ଼ୀ ମାଡ଼ କରିଥିଲେ ତାଙ୍କ ନିଶାସକ୍ତ ବାପା । ଘଟଣାସ୍ଥଳରେ ଗୁରୁତର ହୋଇଥିଲେ ବିବେକ । ପ୍ରଥମେ ନିକଟସ୍ଥ ଟିକାବାଲି ହସ୍ପିଟାଲ ପରେ ପରେ ଏମକେସିଜି(MKCG) ଓ ଶେଷରେ ଏସସିବି(SCB) ମେଡିକାଲରେ ଗତକାଲି ସକାଳ ସମୟରେ ଭର୍ତ୍ତି ହୋଇଥିଲେ ବିବେକ ।’
ଇଟିଭି ଭାରତ, କଟକ