ରାୟଗଡା: ରାୟଗଡାରେ ଆରମ୍ଭ ହୋଇଯାଇଛି ଗଣପର୍ବ ଚଇତି ୨୦୨୪ । ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଉତ୍ସବ ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତିକୁ ଅକ୍ଷରବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଯୋଗ ଦେଇଥିଲେ । ଆଜି ସକାଳୁ ମନ୍ଦିରରେ ଶବରଙ୍କ ଦେବତା ମାତାରବନ୍ନମଙ୍କ ନିକଟରେ ପୂଜାର୍ଚ୍ଚନା ପରେ ୧୧ ବ୍ଲକ୍ରେ ଚଇତି କାର୍ଯ୍ୟକ୍ରମ ପାଇଁ ୧୧ଟି କଳସ ସ୍ଥାପନ କରି ଗଙ୍ଗା ଆବାହନ ଦ୍ବାରା ଘଟ ସ୍ଥାପନା କରିଥିଲେ ।
ଉଦଘାଟନ ହେଲା ଚଇତି ପର୍ବ:
ସାଂସଦଙ୍କ ସହ ଉପସ୍ଥିତ ୩ ବିଧାୟକ ସୁନାରିଘାଇ ଛକ ନିକଟରେ ପହଞ୍ଚି ଖିଲାମୁଣ୍ଡା ଠାକୁରାଣୀ ମନ୍ଦିରରୁ ଆଜ୍ଞାମାଳ ଗ୍ରହଣ କରିଥିଲେ। ପରେ ଶୋଭାଯାତ୍ରାରେ ବାହାରି ପଦ୍ମପୁର ବିଜୟାନନ୍ଦ ହାଇସ୍କୁଲ ପଡ଼ିଆଠାରେ ଚଇତି ମଣ୍ଡପରେ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥିଲା । ପରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକସ୍ତରୀୟ ଲୋକ ମହୋତ୍ସବ ଚଇତି ମଞ୍ଚରେ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଚଇତି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବାସୀ କଳାକାର ଯୋଗଦେଇ ନାଚଗୀତ ପରିବେଷଣ କରିଥିଲେ । ପରେ ପଦ୍ମପୁର ଠାରେ ବ୍ଲକସ୍ତରୀୟ ଚଇତି ମହୋତ୍ସବ ପାଳନ ହୋଇଥିଲା । ଏଥିରେ ସାଂସଦ ସପ୍ତଗିରି ଉଲାକା ଓ ୩ ବିଧାୟକ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବ୍ଲକସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ମିଶନ ଡ. ଦୟାନିଧ୍ୟ ବାଗ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ସମେତ ସମସ୍ତ ବ୍ଲକର ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଉପସ୍ଥିତ ଥିଲେ । ଏଥିରେ ଚଇତି ରଥ ଉଦ୍ଘାଟନ କରାଯିବା ସହିତ ଚଇତି ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଦିବ୍ୟାଙ୍ଗ କଳାକାରଙ୍କ ଦ୍ବାରା ଚଇତି ସଙ୍ଗୀତର ଉନ୍ମୋଚନ କରାଯାଇଥିଲା । ପଦ୍ମପୁର ବ୍ଳକ ଖିଲାପଦର ପଞ୍ଚାୟତର ଦିବ୍ୟାଙ୍ଗ କଳାକାର ଲକ୍ଷ୍ମଣ ଶବର ଏବଂ ଗୁଡ଼ାରୀ ବ୍ଲକ କଦମା ପଞ୍ଚାୟତ ଟଙ୍ଗରମା ଗ୍ରାମର ଫାବେନା ପାଲକା ଏହି ସଙ୍ଗୀତରେ କଣ୍ଠଦାନ କରିଛନ୍ତି । ବ୍ଲକସ୍ତରୀୟ ଚଇତି ସରିବା ପରେ ଗୁଣପୁଲରେ ତିନି ଦିନିଆ ଇଡିତାଲ ଚଇତି ଅନୁଷ୍ଠିତ ହେବା ପରେ ଆସନ୍ତା ୨୬ ତାରିଖରୁ ରାୟଗଡା କିସିତି ପତିଆରେ ଜିଲ୍ଲାସ୍ତରୀୟ ଚଇତି ଓ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବା କାର୍ଯ୍ୟକ୍ରମ ରହିଛି।
ଇଟିଭି ଭାରତ, ରାୟଗଡା