ପ୍ରଭୁ ବଳଭଦ୍ର ପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ, ଆଇନ ମନ୍ତ୍ରୀ କହିଲେ- ଭୁଲ କାହାର ନାହିଁ - LORD BALABHADRA SLIPPED INCIDENT - LORD BALABHADRA SLIPPED INCIDENT
CM Mohan expressed grief over Lord Balabhadra slips: ଆଡ଼ପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ମୁହଁ ମାଡି ତଳେ ପଡିଯିବା ଘଟଣାକୁ ମହାପ୍ରଭୁଙ୍କ ଲୀଳା କହିଲେ ଆଇନ ମନ୍ତ୍ରୀ । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

Published : Jul 10, 2024, 7:51 AM IST
ପୁରୀ: ରଥ ଉପରୁ ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ବଡଠାକୁର ପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବା ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀ ତଥା ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଇଛି । ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହାପରେ ରାତିରେ ହିଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହସ୍ପିଟାଲରେ ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି । ଏଥିସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପ୍ରଭୁ ବଳଭଦ୍ର ଏପରି ପଡିଯିବା ଘଟଣାକୁ ମହାପ୍ରଭୁଙ୍କ ଲୀଳା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ରଥଯାତ୍ରାକୁ ସୁଚାର ଓ ଶୃଙ୍ଖଳିତ ରୂପେ ଅନୁଷ୍ଠିତ କରାଇଲେ । ଏବେ ଇଚ୍ଛାଧାରୀ ପ୍ରଭୁ ଲୀଳା ଦେଖାଇଛନ୍ତି । ଚାରମାଳ ଉପରେ ଖସିପଡିବା ତାଙ୍କର ଲୀଳା ହୋଇପାରେ । ଏହି ଘଟଣାରେ କାହାର କିଛି ଭୁଲ ନାହିଁ । ମହାପ୍ରଭୁଙ୍କ ଲୀଳା କେବଳ ସେ ଜାଣନ୍ତି । ଆଗାମୀ ଦିନରେ ବାହୁଡା ଯାତ୍ରା ଓ ନୀଳାଦ୍ରି ବିଜେକୁ କିପରି ଆହୁରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ କରାଯିବ ସେନେଇ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇଛି।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ ହସ୍ପିଟାଲକୁ ଆସି ଆହତଙ୍କୁ ଭେଟିଛୁ । ପ୍ରଭୁଙ୍କ କୃପାରୁ କାହାର କିଛି ବିଶେଷ ହୋଇନି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛନ୍ତି । ସମସ୍ତେ ଭଲରେ ଘରକୁ ଫେରିଛନ୍ତି । ଏହି ଘଟଣାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବୁ ।
ଏହା ମଧ୍ୟ ପଢନ୍ତୁ: ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ; ଖସିପଡ଼ିଲେ ବଡ଼ ଠାକୁର, ଅନେକ ଆହତ - Lord Balabhadra slipped
ପ୍ରକାଶ ଥାଉକି, ଗତକାଲି ଆଡ଼ପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ମୁହଁ ମାଡି ତଳେ ଖସି ପଡିଥିଲେ । ଏହି ଘଟଣାରେ 10 ରୁ ଅଧିକ ସେବାୟତ ଆହତ ହୋଇଥିଲେ। ଅଧିକାଂଶ ସେବାୟତଙ୍କ ହାତ, ଗୋଡରେ ଆଘାତ ଲାଗିଛି। ତେବେ କେହି ଗୁରୁତର ନାହାଁନ୍ତି। ଚିକିତ୍ସା ପରେ ସମସ୍ତଙ୍କୁ ଡିସଚାର୍ଜ କରଯାଇଛି ।
ଇଟିଭି ଭାରତ, ପୁରୀ