ଭୁବନେଶ୍ବର: ଆଜି ମହାବାହୁ ବଳିଆର ଭୁଜ ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହୋଇ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ବା ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତ । ମନ୍ଦିର ଛାଡ଼ି ରଥରେ ବାହାରି ପତିତ ଉଦ୍ଧାର ପାଇଁ ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ବିଶ୍ୱ ନିଅନ୍ତା ବାହାରୁଥିବା ବେଳେ ମହାପ୍ରଭୁଙ୍କ ଏହି ଯାତ୍ରା କେଉଁ ରାଶିଙ୍କ ପାଇଁ ସୌଭ୍ୟାଗ ହେବ ଓ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଫଳପ୍ରଦ ହେବ ସେନେଇ କ'ଣ କହୁଛନ୍ତି ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ ଆସନ୍ତୁ ଜାଣିବା ।
ଜ୍ୟୋତିଷ ଗଣନା ଅନୁସାରେ, ଆଜି ଅପରାହ୍ନ 4ଟା 55 ମିନିଟ ସମୟରେ ସ୍ଥିର ଲଗ୍ନରୁ ଚର ଲଗ୍ନ ବା ଦ୍ବାତ୍ମିକ ଲଗ୍ନ ଅର୍ଥାତ ଧନୁ ଲଗ୍ନକୁ ସୂର୍ଯ୍ୟ ପ୍ରବେଶ କରୁଛନ୍ତି ବା ରବିଙ୍କର ସଂକ୍ରମଣ ହେବ । ଏହି ସମୟରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଏହା ଜ୍ୟୋତିଷ ଶାସ୍ତ୍ରର ନିୟମ । କାରଣ ସ୍ଥିର ଲଗ୍ନରେ ପୂଜାପାଠ ଓ ପ୍ରତିଷ୍ଠା ଆଦି କାର୍ଯ୍ୟ କରାଯାଏ । ଚର ଲଗ୍ନରେ ପହଣ୍ଡି ବିଜେ ବା ଚଳନ ବା ଗମନାଗମନ କରାଯାଏ । ଧନୁ ଲଗ୍ନ 4ଟା 55 ମିନିଟରୁ ଆରମ୍ଭ ହେଉଥିବାରୁ ସେଥିପାଇଁ ଯାହା ନୀତି ନିର୍ଘଣ୍ଟ ହୋଇଛି ତାହା ଠିକ ରହିଛି । ଆଜି ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6ଟା 28 ମିନିଟ 11 ସେକେଣ୍ଡ ରହିଛି ତେଣୁ ରଥଟଣା କାର୍ଯ୍ୟ ଏହି ସମୟ ପର୍ଯ୍ୟନ୍ତ ହେବ । ପରଦିନ ଅର୍ଥାତ ଆସନ୍ତାକାଲି (ସୋମବାର) ସକାଳ 7ଟା 11 ମିନିଟ ପରେ ଚର ଲଗ୍ନରେ ପୁଣି ରଥଟଣା କାର୍ଯ୍ୟ ଆରମ୍ଭ ହେବ । ନୀତି ଅନୁସାରେ ମଧ୍ୟାହ୍ନ ପୂର୍ବରୁ ରଥ ମାଉସୀ ମାଆ ମନ୍ଦିରରେ ଉପବେଷଣ କରିବେ ।
ତେବେ ଜ୍ୟୋତିଷ ଗଣନା ଅନୁସାରେ, ଏଥର ପୁଷ୍ୟା ନକ୍ଷତ୍ର କର୍କଟ ରାଶିରେ ରଥଯାତ୍ରା ପଡ଼ୁଛି । ତେଣୁ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ରଥଯାତ୍ରାରେ ଉନ୍ନତ ଗ୍ରହ ଚଳନ ପାଇଁ ଆନନ୍ଦ ପ୍ରଦ ହେବ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ପ୍ରାପ୍ତି ହେବ । ସେହିପରି ସପ୍ତମ ରାଶି ମକର, ଦଶମ ରାଶି ମେଷ ରାଶି ଓ ଚତୁର୍ଦ୍ଦଶୀ ତୁଳା ରାଶି ପାଇଁ ସାର୍ବଜନୀନ ଭାବରେ ଉତ୍ତମ ଫଳପ୍ରଦ ହେବ । ଏହା ରାଶିର ବ୍ୟକ୍ତିଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କର ଅଶେଷ କୃପା ରହିବ ।
ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ରାଶି ରହିଛି ଯେପରି "କସ୍ତୁରୀ ତିଳକଂ ଲଲାଟ ପଟଳେ ବକ୍ଷ ସ୍ଥଳେ କୌସ୍ତୁଭଂ ନାଶାଗ୍ରେ ନବମୌକ୍ତିକଂ କରତଳେ ବେଣୁଂ କରେ କଙ୍କଣଂ ସର୍ବାଙ୍ଗେ ହରି ଚନ୍ଦନଂ ସୁଲଳିତମ୍ କଣ୍ଠେ ଚ ମୁକ୍ତାବଳିଂ ଗୋପସ୍ତ୍ରୀ ପରିବେଷ୍ଟିତ ବିଜୟତେ ଶ୍ରୀ ଗୋପାଳ ଚୂଡାମଣି" ଅର୍ଥାତ ଜଗନ୍ନାଥଙ୍କ ଲଲାଟ ପଟଳ ବୃଷ ରାଶି । ବୃଷ ରାଶି ହେଉଛନ୍ତି ଶ୍ରୀ ବିଷ୍ଣୁ ବା ଜଗନ୍ନାଥଙ୍କ ରାଶି । ତେଣୁ ବୃଷ ରାଶି ପାଇଁ ଏକାଦଶ ଭାବ ହେତୁ ବୃଷ ରାଶି ବ୍ୟକ୍ତି ବିଷେଶମାନେ ମକର, କର୍କଟ, ତୁଳା ଓ ମେଷ ରାଶି ଠାରୁ ଉନ୍ନତ ରହିବ । ଏହି ରାଶିଙ୍କ ପାଇଁ ସର୍ବୋତ୍ତମ ସୌଭାଗ୍ୟ ରହିବ । ଅନ୍ୟ ରାଶିଙ୍କ ତୁଳନାରେ ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହେବେ । ଏହାସହ ରଥଯାତ୍ରାରେ ସମସ୍ତ ରାଶି ଉପରେ ଭଲ ପ୍ରଭାବ ରହିବ ବୋଲି ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର