ପୁରୀ: ଅନ୍ତ ହେବ ପ୍ରତୀକ୍ଷା, ଖୋଲିବ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର । ବିଶ୍ବ ଦେଖିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ହୀରା, ଲୀଳା, ମୋତି, ମାଣିକ ଆଦି ଖଞ୍ଜିତ ଦୁର୍ଲଭ ଅଳଙ୍କାର । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ସାଢେ ଚାରି କୋଟି ଓଡିଆଙ୍କର ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଛି । ବିଭିନ୍ନ ନୀତିକାନ୍ତି ଓ ପର୍ବପର୍ବାଣିରେ ମହଣ ମହଣ ଅଳଙ୍କାରରେ ସଜେଇ ହେଉଥିବା ଶ୍ରୀବିଗ୍ରହଙ୍କର କେତେ ବିରଳ ଗହଣା ରହିଛି, ତାକୁ ନେଇ ଏବେ ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍ସାହ । ଆସନ୍ତାକାଲି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏସଓପି ଜାରି କରାଯାଇଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ବିତୀୟ ଥର ବୈଠକ କରିବା ପରେ ଚଳିତମାସ 14 ତାରିଖ ଅର୍ଥାତ୍ ଆସନ୍ତାକାଲି ‘ରତ୍ନଭଣ୍ଡାର’ ଖୋଲିବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିଲା ।
କଣ ଏହି ରତ୍ନଭଣ୍ଡାର ?
ଚତୁର୍ଦ୍ଧାମୂର୍ତ୍ତିଙ୍କର ରହିଛି ବିଭିନ୍ନ ସେବା ଓ ବେଶ । ବିଭିନ୍ନ ତୀଥି ଓ ପର୍ବପର୍ବାଣିରେ ଭିନ୍ନ ଭିନ୍ନ ଅଳଙ୍କାରରେ ଶୃଙ୍ଗାର ହୁଅନ୍ତି ଶ୍ରୀବିଗ୍ରହ । ଦୈନିକ ସେବା ବା ନିୟମିତ ସେବାରେ ପ୍ରତ୍ୟେକ ଅଳଙ୍କାର ବ୍ୟବହୃତ ହୋଇନଥାଏ । ବର୍ଷ ବର୍ଷ କିମ୍ବା କିଛି ଦଶନ୍ଧି ବ୍ୟବଧାନରେ ମଧ୍ୟ ବିରଳ ତିଥି ଓ ନକ୍ଷେତ୍ରରେ ମହାପ୍ରଭୁଙ୍କର ଦୁର୍ଲଭ ବେଶ ହେବାର ପରମ୍ପରା ରହିଛି । ତେଣୁ ଶ୍ରୀବିଗ୍ରହଙ୍କର ବିଭିନ୍ନ ମୂଲ୍ୟବାନ ଧାତୁ ଖଞ୍ଜିତ ଅପର୍ଯ୍ୟାପ୍ତ ରତ୍ନ ଅଳଙ୍କାରକୁ ଶ୍ରୀମନ୍ଦିର ମଧ୍ୟରେ ଥିବା ଭଣ୍ଡାରରେ ରଖାଯାଇଥାଏ । ଏହାକୁ ରତ୍ନଭଣ୍ଡାର କୁହାଯାଏ । ଏହାକୁ ଆବଶ୍ୟକ ସମୟରେ ବାହାର କରାଯାଇ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରାଯାଏ । ତେବେ ଦୀର୍ଘ ଦଶନ୍ଧି ହେବ ଏହାକୁ ଖୋଲାଯାଇ ନାହିଁ । ଶେଷ ଥର ପାଇଁ 1985 ମସିହାରେ ଏହାକୁ ଖୋଲାଯାଇଥିଲା । ସେତେବେଳେ ବଡଠାକୁର ଶ୍ରୀବଳଭଦ୍ରଙ୍କର ଏକ ଗହଣା ଆଣିବା ପାଇଁ ଏହାକୁ ଖୋଲାଯାଇ ପରେ ପୁଣି ବନ୍ଦ ରଖାଯାଇଥିଲା । ଏହା 1978 ମସିହାରେ ଶେଷ ଥର ପାଇଁ ଅଡିଟ କରାଯାଇଥିଲା ।
ରତ୍ନଭଣ୍ଡାର ଢାଞ୍ଚା:-
ସୂଚନା ଅନୁସାରେ, ରତ୍ନଭଣ୍ଡାର ଭିତର ଓ ବାହାର କୋଠରୀ ଭାବେ ଦୁଇ ଭାଗରେ ବିଭକ୍ତ । ବାହାର ରତ୍ନଭଣ୍ଡାରରେ କିଛି ଅଳଙ୍କାର ଥିବା ବେଳେ ଭିତର ଭଣ୍ଡାରରେ ବହୁ ଦୁର୍ଲ୍ଲଭ ଅଳଙ୍କାର ରହିଛି । ମହାପ୍ରଭୁଙ୍କ ସେବାରେ ଅପେକ୍ଷାକୃତ ଅଧିକ ବ୍ୟବହୃତ ହେଉଥିବା ଅଳଙ୍କାରକୁ ବାହାର ରତ୍ନଭଣ୍ଡାରରେ ରଖାଯାଏ । ଭିତର ଭଣ୍ଡାରରେ ଅତି ଦୁର୍ଲଭ ଶ୍ରେଣୀର ବହୁ ଅଳଙ୍କାର ରଖାଯାଇଛି । ଯାହା ସମ୍ପର୍କରେ ସଠିକ ଭାବେ କହିବା ମଧ୍ୟ ସମ୍ଭବପର ନୁହେଁ । ମାତ୍ର ଶ୍ରୀମନ୍ଦିର ସତ୍ତ୍ବଲିପିରେ ଉଲ୍ଲେଖ୍ୟ ତଥ୍ୟ ଏସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରେ ।
କେବେ ଖୋଲିଥିଲା ରତ୍ନଭଣ୍ଡାର ?
1978 ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନଭେଣ୍ଟୋରୀ ପ୍ରସ୍ତୁତ କରାଯାଇଥିଲା । ତଥ୍ୟ ଅନୁସାରେ, ସେହିବର୍ଷ ମେ’ 13 ତାରିଖରୁ ଜୁଲାଇ 23 ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି ହୋଇଥିଲା । ଏହି ତଥ୍ୟ ଆଧାରରେ 454 ପ୍ରକାରର ସ୍ବର୍ଣ୍ଣ ଅଳଙ୍କାର ରହିଥିବା ଉଲ୍ଲେଖ ରହିଛି । ଏହାର ପରିମାଣ ପ୍ରାୟ 12,883 ଭରି । ସେହିପରି ମୋଟ 22,153 ଭରିର ରୂପା ଅଳଙ୍କାର ରହିଥିବା ମଧ୍ୟ ଜଣାପଡିଥିଲା । ସୁନା ଓ ରୂପାକୁ ବାଦ ପରେ ମଧ୍ୟ ହୀରା, ମୋତି, ମାଣିକ ଅନ୍ୟାନ୍ୟ ଦୁର୍ଲଭ ପଥର ଖଞ୍ଚିତ ଅଳଙ୍କାର ମଧ୍ୟ ଥିଲା, ଯାହାର ସଠିକ ପରିମାଣ କିମ୍ବା ବର୍ଗ ସମ୍ପର୍କରେ ଉଲ୍ଲେଖ ନାହିଁ । ମାତ୍ର ଏହା ପୂର୍ବରୁ ବ୍ରିଟିଶ ଶାସନ କାଳରେ ହୋଇଥିବା ଅଡିଟରେ ଭିନ୍ନ ତଥ୍ୟ ପ୍ରକାଶ ପାଇଥିଲା । ସେତେବେଳେ ଦର୍ଶାଯାଇଥିବା ରତ୍ନ ପରିମାଣ ଏହାଠାରୁ ବେଶ ଅଧିକ ଥିଲା । 1805 ମସିହାରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲ୍ସ ଗ୍ରୋମ ରତ୍ନଭଣ୍ଡାର ଖୋଲାଇଥିବା ନେଇ ଐତିହାସିକ ମତ ଦିଅନ୍ତି । ସେତେବେଳେ ମୋଟ 74 ପ୍ରକାରର 1333ଟି ଅଳଙ୍କାର ଚିହ୍ନଟ ହୋଇଥିଲା । ଏହା ବ୍ୟତୀତ ଧାତୁ ନିର୍ମିତ ମୁଦ୍ରା ମଧ୍ୟ ଠାବ କରାଯାଇଥିଲା । 128ଟି ସ୍ବର୍ଣ୍ଣ ମୁଦ୍ରା, 1297ଟି ରୌପ୍ୟ ମୁଦ୍ରା, 106 ତମ୍ବା ଓ 24ଟି ପ୍ରାଚୀନ ମୁଦ୍ରା ଥିବା ଜଣାପଡିଥିଲା ।
ରତ୍ନଭଣ୍ଡାରରେ ରହିଛି କେତେ ପ୍ରକାର ଅଳଙ୍କାର ?
ଅନ୍ୟ ଏକ ତଥ୍ୟ ଅନୁସାରେ, ସାଧାରଣତଃ ଅଳଙ୍କାରଗୁଡିକ 35 ପ୍ରକାରର ବର୍ଗୀକରଣ କରାଯାଇଥିଲା । ସେଥିମଧ୍ୟରୁ 9 ପ୍ରକାର ଅଳଙ୍କାରକୁ ଅତିମୂଲ୍ୟବାନ ବା ‘ମହାରତ୍ନ’ ଭାବେ ନାମିତ କରାଯାଇଥିଲା ।
ଅଳଙ୍କାରର ପ୍ରକାରଗୁଡ଼ିକ ନିମ୍ନଲିଖିତ:
1. ବଜ୍ର
2. ମର୍କତ
3. ପଦ୍ମରାଗ (ଟୋପାଜ)
4. ମଉତିକା (ମୋତି)
5. ଇନ୍ଦ୍ରନିଳା (ବେଲୁଗେମ୍)
6. ମହାନାଳା
7. ଦର୍ଯ୍ୟ
8. ଚନ୍ଦ୍ରକାନ୍ତା
9. ସୂର୍ଯ୍ୟକାନ୍ତା
10. ସ୍ପଟିକା (କ୍ରିଷ୍ଟାଲ୍)
11. କରକେତାନ
12. ପୁଷ୍ପରାଗ
13. ରାଜପତ୍ତା
14. ରାଜାମାୟା
15. ସୁଗନ୍ଧିକା
16. ଗନ୍ଧ
17. ଶଙ୍ଖ
18. ବ୍ରହ୍ମାୟା
19. ଗୋମେଦା
20. ରୁଦ୍ରାକ୍ଷ
21. ଭଲାଟାକା
22. ଧୂଳି
23. ତୁତକାଓ୍ବା
24. ସିଶା
25. ପିଲୁ
26. ପ୍ରବଳକା
27. ଗିରିବଜ୍ର
28. ଭୁଜଙ୍ଗମଣି
29. ତିତିବା
30. ପେଣ୍ଡା
31. ଭ୍ରମର
32. ଉତ୍କଳ
33. ଗାନ୍ଧ୍ୟଶାସକା
34. ଜ୍ୟୋତିୟକ
35. ଭାଗ୍ୟା
ରତ୍ନଭଣ୍ଡାରର 'ମହାରତ୍ନ' ତାଲିକା
- 1. ହୀରା
- 2. ମୋତି
- 3. ପ୍ରବାହ
- 4. ହଳଦିଆ ପଥର
- 5. ନୀଳମଣି
- 6. ଲାପିସ
- 7 ଟୋପାଜ୍
- 8. ଏମେରାଲ୍ଡ
- 9. ରୁବି
ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସମୟରେ ଖୋଲାଯାଇଥିଲା ରତ୍ନଭଣ୍ଡାର:-
ନୀଳମଣି ରାଉତରାୟଙ୍କ ସରକାର ସମୟରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲିଥିଲା । ରାଜ୍ୟ ସରକାର ତତ୍କାଳୀନ ରାଜ୍ୟପାଳ ଭଗବତ ଦିନାଲ ଶର୍ମାଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ହରେକୃଷ୍ଣ ମହତବ, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନଗୋ, ରାଧାନାଥ ରଥ, ଜଷ୍ଟିସ ହରିହର ମହାପାତ୍ର, ନନ୍ଦକିଶୋର ମିଶ୍ର ପ୍ରମୁଖ ସଦସ୍ୟ ଥିଲେ । ତତ୍କାଳୀନ ବରିଷ୍ଠ ଆଇଏଏସ ବିଭୂତିଭୂଷଣ ତ୍ରିପାଠୀ କମିଟିର ସଚିବ ଭାବେ କାର୍ଯ୍ୟଭାର ତୁଲାଇଥିଲେ । ଏହି କମିଟି ଅନୁଧ୍ୟାନ ଶେଷ କରି 1979 ମସିହା ମାର୍ଚ୍ଚ ମାସରେ ସରକାରଙ୍କୁ କିଛି ସୁପାରିଶ ସହ ରିପୋର୍ଟ ପ୍ରଦାନ କରିଥିଲା । ସେହି ଆଧାରରେ ଅଳଙ୍କାରର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ମାତ୍ର ସୁପାରିଶ କାର୍ଯ୍ୟକାରିତା ସମ୍ପର୍କରେ ପରବର୍ତ୍ତୀ ସରକାର କିଛି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ଐତିହାସିକ ମତ ଦିଅନ୍ତି ।
କେମିତି ନିର୍ବାଚନୀ ପ୍ରସଙ୍ଗ ହେଲା ରତ୍ନଭଣ୍ଡାର ?
ଏବେ ଏହି ରତ୍ନଭଣ୍ଡାର ମୁଦ୍ଦାକୁ ନିର୍ବାଚନୀ ମୁଦ୍ଦା କରିଥିଲା ଭାରତୀୟ ଜନତା ପାର୍ଟି । ଦଳ ସରକାରକୁ ଆସିଲେ ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ ବୋଲି ପାର୍ଟି ନିଜ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ସାମିଲ କରିଥିଲା । ଅବଶ୍ୟ ଦଳ କ୍ଷମତାକୁ ଆସିବା ପରେ ଏ ସମ୍ପର୍କରେ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୂର୍ବରୁ ନବୀନ ସରକାରଙ୍କ ଅଧୀନରେ ଜଷ୍ଟିସ ଅରଜିତ ପଶାୟତଙ୍କ ନେତୃତ୍ବରେ ଗଠିତ କମିଟିକୁ ଭଙ୍ଗ କରି ନୂଆ ରତ୍ନଭଣ୍ଡାର କମିଟି ଗଠନ କରିଛନ୍ତି ମୋହନ ସରକାର ।
କିଏ ସୁପାରିସ କଲେ ନୂଆ ରତ୍ନଭଣ୍ଡାର କମିଟି ?
ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଅଧ୍ୟକ୍ଷତା କରୁଥିବା ବେଳେ ବିଭିନ୍ନ ବର୍ଗରୁ ମୋଟ 16 ଜଣ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ଏହି କିମିଟି କାର୍ଯ୍ୟ ଆରମ୍ଭ କରିବା ସହ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛି । ତଥାପି ସାଢେ 4ଚାରି କୋଟି ଓଡିଆ ଓ ଦେଶର ହିନ୍ଦୁ ସମାଜର ଭାବାବେଗ ସହ ଜଡିତ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ସଠିକ ଭାବେ ପରିଚାଳନା କରିବା ସରକାର ପାଇଁ ଏକ ବଡ ଆହ୍ବାନ ମଧ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ