ଖୋର୍ଦ୍ଧା:ଲକ୍ଷ୍ମୀ ବସଷ୍ଟାଣ୍ଡ ସ୍ଥାନ ଚୟନକୁ ନେଇ ବିରୋଧାଭାଷ । ବୋଲଗଡ ପଞ୍ଚାୟତର ରଜ ପଡିଆରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଚୟନ କରାଯାଇଛି । ସେନେଇ ଦେଖାଦେଇଛି ବିବାଦ । ଏଠାରେ ବସଷ୍ଟାଣ୍ଡ ହେଲେ ଏହି ସ୍ଥାନ ସଙ୍କୁଚିତ ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହେବ ବୋଲି ଗ୍ରାମବାସୀ କହିଛନ୍ତି । ବସଷ୍ଟାଣ୍ଡ ଅନ୍ୟତ୍ର କରିବାକୁ ଗ୍ରାମବାସୀ ଉପଜିଲ୍ଲାପାଳ ପାଖରେ ଦାବି କରିଛନ୍ତି ।
ଗାଁରୁ ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଲକ୍ଷ୍ମୀ ଆରମ୍ଭ କରିଛନ୍ତି । ସେଥିପାଇଁ ଗାଁରେ ଲକ୍ଷାଧିକ ଟଙ୍କା ବିନିଯୋଗରେ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ ହେଉଛି । ଲକ୍ଷ୍ମୀ ବସ ଯୋଜନା ବିଭିନ୍ନ ଜିଲ୍ଲାରେ ଉଦଘାଟନ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ଉଦଘାଟିତ ହୋଇନାହିଁ । ସେଥିପାଇଁ ପ୍ରସ୍ଥାବିତ ରୁଟ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଭିନ୍ନ ସ୍ଥାନରେ ଚାଲିଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ପରିସ୍ଥିତିରେ ଗତକାଲି ବୋଲଗଡ଼ ବ୍ଲକର ବୋଲଗଡ ପଞ୍ଚାୟତରେ ଲକ୍ଷ୍ମୀ ବସଷ୍ଟାଣ୍ଡ ସ୍ଥାନ ଚୟନକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଛି । ବୋଲଗଡ ତହସିଲ ଅନ୍ତର୍ଗତ ବୋଲଗଡ ପଞ୍ଚାୟତର ରଜ ପଡିଆରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ଚୟନ କରାଯାଇଛି । ତହସିଲ ପକ୍ଷରୁ ନୋଟିସ୍ ମରା ହେବା ପରେ ଏହି ବିବାଦ ଉଗ୍ରରୂପ ନେଇଛି । ଗତକାଲି ବୋଲଗଡ ପଞ୍ଚାୟତର ବିଭିନ୍ନ ଓ୍ବାର୍ଡର ଜନସାଧାରଣ ନିର୍ଦ୍ଧାରିତ ହୋଇଥିବା ଜାଗା ସମ୍ମୁଖରେ ଧାରଣା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ କାହା ସ୍ୱାର୍ଥରେ ?
ଜାଗାକୁ ନିତ୍ୟ ବ୍ୟବହାର କାର୍ଯ୍ୟ ସହ ବିଭିନ୍ନ ଯାନିଯାତ୍ରା ପାଇଁ ବ୍ୟବହାର କରାଯାଉଥିଲା । ତେଣୁ ବସଷ୍ଟାଣ୍ଡ ଏଠାରେ ନିର୍ମାଣ ନକରି ଅନ୍ୟତ୍ର କରିବାକୁ ଦାବି କରିଛନ୍ତି । କିନ୍ତୁ ଘଟଣାକୁ ସ୍ଥାନୀୟ ତହସିଲଦାର କୌଣସି ଗୁରୁତ୍ବ ଦେଇନଥିଲେ । ତେଣୁ ସ୍ଥାନୀୟ ଓ୍ବାର୍ଡ ଜନସାଧାରଣ ଏକତ୍ରିତ ହୋଇ ତିବ୍ର ବିରୋଧ କରିଥିଲେ । ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ ବିରୋଧକୁ ଦେଖି ଘଟଣା ସ୍ଥଳରେ ଉପଜିଲ୍ଲାପାଳ, ତହସିଲଦାର ଓ ଅତିରିକ୍ତ ତହସିଲଦାର ପହଞ୍ଚି ଉତକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । କିପରି ସରକାରଙ୍କ ଲୋକାଭିମୁଖ ଯୋଜନା ଦ୍ବାରା ଲୋକମାନେ ଉପକୃତ ହେବେ ଉପଜିଲ୍ଲାପାଳ କହିଥିଲେ । କିନ୍ତୁ ନିଜ ଜିଦିରେ ଅଟଳ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ନାମରେ ହରିବୋଲ ପକାଇ ନିଜର ହକ ଦାବି କରିଥିଲେ । ଦୀର୍ଘ ସମୟ ଧରି ଉପଜିଲ୍ଲାପାଳ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେବା ପରେ କୌଣସି ସମାଧାନର ବାଟ ନବାହାରିବାରୁ ଘଟଣାସ୍ଥଳରୁ ପଳାଇ ଆସିଥିଲେ ଉପଜିଲ୍ଲାପାଳ ।
ଇଟିଭି ଭାରତ ଖୋର୍ଦ୍ଧା