ଭୁବନେଶ୍ବର: ଆଗକୁ ରହିଛି ସାଧାରଣ ନିର୍ବାଚନ ୨୦୨୪ । ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜାରୀ ହୋଇଛି ଆଦର୍ଶ ଆଚରଣ ବିଧି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ରାଜ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଏବଂ ରାଜ୍ୟ ସଶସ୍ତ୍ର ବାହିନୀ ମୁତୟନ ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବା ସିଏପିଏଫ ଏବଂ ରାଜ୍ୟ ସଶସ୍ତ୍ର ବାହିନୀ ବା ଏସଏପିଏଫ ମୁତୟନ ହେବେ । ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ।
ଓଡିଶାରେ 4ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ -୨୦୨୪ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଗୁଡିକରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହେବେ । ସେ ସଂପର୍କରେ ବୈଠକରେ ବିଶଦ ଆଲୋଚନା କରାଯାଇଛି । ଇଭିଏମ କମିଶନିଂ ଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ମତଦାନ ଦିବସ ଗୁଡ଼ିକରେ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ । ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ ନେଇ ବୈଠକରେ ଆଲୋଚନା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ.....ବାଜିଲା ନିର୍ବାଚନ ବିଗୁଲ, ଲାଗୁ ହେଲା ଆଚରଣ ସଂହିତା; ଜାଣନ୍ତୁ କଣ ଏହି କଟକଣା
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ନିର୍ବାଚନ ଅଧିକାରୀ ଡଃ ଏନ୍ ଥିରୁମାଲା ନାଏକ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ ଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ରାଜ୍ୟ ସ୍ବରାଷ୍ଟ୍ର ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଡଃ ସନ୍ତୋଷ ବାଲାଙ୍କ ସମେତ ରାଜ୍ୟ ପୋଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ପ୍ରକାଶ ଯୋଗ୍ୟ, ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ରେ ଭୋଟ ଗଣତି ହୋଇ ଫଳାଫଳ ଆସିବ । ନିର୍ବାଚନ ଘୋଷଣା ସହିତ ସାରା ଦେଶରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ତେବେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।
ଇଟିଭି ଭାରତ, ଭୁବନେଶ୍ବର