ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ପହଞ୍ଚିସାରିଥିବା ବେଳେ ଆସନ୍ତାକାଲି ବରଗଡ଼ ଗସ୍ତରେ ଆସୁଛନ୍ତି । ମେ ମାସ 20 ତାରିଖରେ ବରଗଡ ଜିଲ୍ଲାରେ 2024 ସାଧାରଣ ନିର୍ବାଚନ ପାଇଁ ମତଦାନ ରହିଥିବାବେଳେ ବିଜେପି ଦଳର ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ବରଗଡ ଗସ୍ତ କରିବେ ମୋଦି । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଯାଇଥିବା ବେଳେ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବେ ।
ଆସନ୍ତାକାଲି ଅପରାହ୍ନ 1ଟା ସମୟରେ ବରଗଡ ବରାହଗୋଡ଼ା ନିକଟସ୍ଥ ଏକ ପଡ଼ିଆରେ ହେବାକୁ ଥିବା ସାଧାରଣ ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ । ତେବେ ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଯାଇଥିବା ବେଳେ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନରେନ୍ଦ୍ର ମୋଦିଙ୍କ ସଭା ସ୍ଥଳ 53 ନମ୍ବର ଜାତୀୟ ରାଜପଥ କଡରେ ରହିଥିବା ବେଳେ ବ୍ୟାପକ ଜନସମାଗମ ହେବାର ସମ୍ଭାବନା ରହିଛି । ବରଗଡ ସମ୍ବଲପୁର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଯେପରି ନ ହେବ ସେନେଇ ବରଗଡ ଟୋଲଗେଟଠାରୁ ସଭା ସ୍ଥଳ ଓ ସଭା ସ୍ଥଳରୁ ସମ୍ବଲପୁର ପଟକୁ 3 କିମି ପର୍ଯ୍ୟନ୍ତ ୱାନ-ୱେ ରାସ୍ତା କରାଯାଇଛି ।
ଏହା ବି ପଢନ୍ତୁ- ମୋଦିଙ୍କ ରୋଡ ସୋ' ପାଇଁ କଡ଼ା ସୁରକ୍ଷା, ଅଭେଦ୍ୟ ବଳୟ ଉପରେ SPG ନଜର
ସୂଚନା ଅନୁଯାୟୀ, ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମେ କନ୍ଧମାଳ ଜିଲ୍ଲା ଓ ପରେ ବଲାଙ୍ଗୀର ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶେଷରେ ବରଗଡକୁ ଅପରାହ୍ନ 1 ଘଣ୍ଟା ସମୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମଟି ମୁଖ୍ୟତଃ ବରଗଡ ଓ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଆୟୋଜନ କରାଯାଇଥିବା ବେଳେ ଉଭୟ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀମାନେ ଉପସ୍ଥିତ ରହିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ତେବେ ମୋଦିଙ୍କ ଗସ୍ତକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମାପନ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍(ଏସପିଜି) ସଭାସ୍ଥଳୀ ପହଞ୍ଚି ଅନୁଧ୍ୟାନ କରିସାରିଛି । ତେବେ ସୁରକ୍ଷା ବ୍ୟବସ୍ଥା କରିବା ସହ ରୁଟ ଲାଇନିଂ, ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସଭାସ୍ଥଳ ସହିତ ବରଗଡ଼ର ବିଭିନ୍ନ ଅଞ୍ଚକକୁ ଆଜି ସକାଳ ୮ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନୋ ଡ୍ରୋନ ଓ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି ।
ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ 5ଜଣ ଏସପି, 4ଜଣ ଅତିରିକ୍ତ ଏସପି, 12ଜଣ ଡିଏସପି, 27ଜଣ ଇନ୍ସପେକ୍ଟର , 180ଜଣ ଏସ.ଆଇ ଓ ଏ.ଏସ.ଆଇ, 25 ପ୍ଲାଟୁନ ପୋଲିସ ଫୋର୍ସ ଓ 400 ହୋମଗାର୍ଡ ନିଯୁକ୍ତ କରାଯାଇଛି । ତେବେ ଚଳିତ ସାଧାରଣ ନିର୍ବାଚନରେ ମୋଦିଙ୍କ ବରଗଡ଼ ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଆଗାମୀ ନିର୍ବାଚନରେ କେତେ ଭୋଟରଙ୍କୁ କେତେ ପ୍ରଭାବିତ କରୁଛି ତାହା ନିର୍ବାଚନ ଫଳାଫଳ ପରେ ଜଣାପଡିବ ।
ଇଟିଭି ଭାରତ, ବରଗଡ଼