ଖୋର୍ଦ୍ଧା: ନିର୍ବାଚନ ବିଗୁଲ ବାଜିଥିବାବେଳେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଆକ୍ଟିଭ ମୋଡରେ ବିଜେପି ଓ ବିଜେଡି । ବିଜେପି ତାର ଅଭିଯାନ ପୌର ପରିଷଦରୁ ଆରମ୍ଭ କରିଥିବା ବେଳେ ପଞ୍ଚାୟତସ୍ତରରେ ଘରେ ଘରେ ପହଞ୍ଚିଛି ବିଜେଡି । ଏଥର ଖୋର୍ଦ୍ଧାରେ ଲୋକେ ପରିବର୍ତ୍ତନ ମୁହାଁ ହୋଇଥିବା ବେଳେ, କିଏ ମାରିବ ବାଜି ତାକୁ ନେଇ ଉଭୟ ଏବେଠାରୁ ଆରମ୍ଭ କରିଛନ୍ତି ପ୍ରଚାର । ଟିକେଟ ଚୂଡାନ୍ତ ହୋଇନଥିଲେ ମଧ୍ୟ ଆଶାୟୀ ଦେଖାଇଲେଣି ଦମ ।
ନିର୍ବାଚନ ବିଗୁଲ ବାଜିବା ସହିତ ନିଜେ ଦମ ଦେଖାଇଛନ୍ତି ଆଶାୟୀ । ଖୋର୍ଦ୍ଧା ଗଡ଼କୁ ହାତେଇବାକୁ ବିଜେପି, ବିଜେଡି ଆରମ୍ଭ କରିଛନ୍ତି ପ୍ରଚାର । ଦଳ ଟିକେଟ ଘୋଷଣା କରିନଥିଲେ ମଧ୍ୟ ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ ପୌରପରିଷଦ ଗୁରୁଜଙ୍ଗରେ କରିଛନ୍ତି ବିଜେପିର ବିଜୟ ସଂକଳ୍ପ ପଦଯାତ୍ରା । ଏଥର ବିଜୟ ନିଶ୍ଚିତ ହେବ ବୋଲି କହିଛନ୍ତି ବିଜେପି ଆଶାୟୀ ପାର୍ଥୀ ।
ସେପଟେ ବିଜେଡିର ଆଶାୟୀ ପାର୍ଥିନୀ ବାସନ୍ତୀ ମାହାପାତ୍ର ଟାଙ୍ଗୀ ବ୍ଲକ ଟାଙ୍କୋଳ ପଞ୍ଚାୟତରେ ଘରକୁ ଘର ଯିବା ସହିତ ଜନସକଂଳ୍ପ ପଦଯାତ୍ରା କରିଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରହିଥିବା ବାସନ୍ତୀ ଦୀର୍ଘ ଦୁଇ ବର୍ଷ ହେଲା ବିଜେଡି ସଂଗଠନକୁ ମଜଭୁତ କରିବା ସହିତ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନାକୁ ପହଞ୍ଚାଉଛନ୍ତି । ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କଲେ ସେ ସର୍ବାଧିକ ଭୋଟରେ ବିଜୟ ହେବେ ବୋଲି କହିଛନ୍ତି । ତେବେ ଖୋର୍ଦ୍ଧାର ବିକାଶ ପାଇଁ ଏଥର ଭଲ ପ୍ରାର୍ଥୀଙ୍କୁ ଚୟନ କରିବେ ବୋଲି ଭୋଟର ମନସ୍ତ କରିଛନ୍ତି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ହୋଇଥିବା ବେଳେ ଯେଉଁ ଦଳ ବିକାଶ କରୁଛି, ସେହି ଦଳକୁ ବହୁମତ ଦେବୁ ବୋଲି ଭୋଟର କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ .....ସାଧାରଣ ନିର୍ବାଚନ: ଇତିହାସ ସୃଷ୍ଟି କରିବ କହିଲେ ନବୀନ, ସରକାର ଗଢ଼ିବ କହିଲା କଂଗ୍ରେସ
ଅନ୍ୟପଟେ ୨୦୧୯ରେ ବିଜୟର ପାଖାପାଖି ପହଞ୍ଚିଥିବା ବିଜେପି ଏଥର ଏହି ଗଡ଼କୁ ହାତେଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି । ସେପଟେ ଏଥର ଏକତରଫା ବିଜୟ ହେବର ଆଶା ରଖିଛି ବିଡେଡି । ବିଜେଡି ପ୍ରାର୍ଥୀ ସର୍ବାଧିକ ଭୋଟରେ ବିଜୟ ହେବେ ବୋଲି ଆଶାୟୀ ଦୃଢୋକ୍ତି ବାଢିଛନ୍ତି । ତେବେ ଖୋର୍ଦ୍ଧାରେ ଏବେଠାରୁ ନିର୍ବାଚନୀ ମାହୋଲ ସରଗରମ ହେଲାଣି । ବିଭିନ୍ନ ଦଳର ନେତା ଗାଁ ମୁହାଁ ହୋଇଥିବା ବେଳେ ରାଜନୀତିକୁ ନେଇ ଭୋଟରଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଲାଣି ।
ଇଟିଭି ଭାରତ, ଖୋର୍ଦ୍ଧା