ଭୁବନେଶ୍ୱର: ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଶନିବାର ତାରିଖ ଘୋଷଣା ହେବା ପରେ ସାରା ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜୋରଦାର ଚେକିଂ । ଛକ ଛକରେ ଓ ସହରର ଏଣ୍ଟ୍ରି ଏକଜିଟରେ ବ୍ଲକିଂ ଚେକିଂ କରାଯାଉଛି । ପ୍ରଥମ ଦିନର ସୁରକ୍ଷା ତଦାରଖ କରିଥିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଆଚରଣ ବିଧି ଲାଗୁ ପରଠୁ ସମସ୍ତ ଗତିବିଧି ପୋଲିସ ନଜରରେ ରହିଛି । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଲିସ ଚେକିଂ ବ୍ଲକିଂରେ ରାତି ତମାମ ବୁଲି ଦେଖିଥିଲେ ପୋଲିସ କମିଶନର ଓ ଅତିରିକ୍ତ କମିଶନର ।
ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି, ''ଆଚରଣ ବିଧିକୁ ପାଳନ କରାଯିବ । ମାଦକ ଦ୍ରବ୍ୟ, ମଦ୍ୟପାନ କରି ଗାଡି ଚାଳନା ଉପରେ ନଜର ରହିଛି । ସହରର ବିଭିନ୍ନ ଜାଗାରେ ୧୪ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ୫୦ଟି ସ୍ଥାନରେ ବ୍ଲକିଂ କରାଯାଉଛି । ଅବାଧ ମୁକ୍ତ ନିର୍ବାଚନ ନେଇ ଯେପରି କେହି ଭୟଭୀତ ନହେବେ ତା' ଉପରେ ଅଧିକ ଦୃଷ୍ଟି ଦିଆଯାଉଛି । ସମସ୍ତ ପ୍ରକାର ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯାଉଛି । ଆଗକୁ ଵ୍ଲକିଂ ଓ ଚେକିଂ ଆହୁରି ଜୋରସୋର ହେବ । ଏବେଠୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯେହେତୁ ଆଚରଣ ବିଧି ଲାଗୁ ହୋଇସାରିଛି ତେଣୁ ଗାଡି ଚଳପ୍ରଚଳ ଉପରେ ଅଧିକ ଫୋକସ ଦିଆଯାଉଛି । ଲୋକଙ୍କୁ ପ୍ରଭାବିତ କରିବା ଭଳି ଗିଫ୍ଟ ଆଇଟମ ଯେପରିକି ଟଙ୍କା ବା ମଦ ଭଳି କାରବାର ଯେପରି ନ ହୁଏ, ଲୋକଙ୍କ ପାଖରେ ଏହାକୁ ପହଞ୍ଚାଇବାକୁ ଯେପରି କେହି ଚେଷ୍ଟା ନକରନ୍ତି, ଅପରାଧିକ ଦୃଷ୍ଟିକୋଣରୁ ଗଞ୍ଜେଇ, ଚୋରା ମଦ ବା କୌଣସି ହତିଆର କିମ୍ବା ସନ୍ଦେହଜନକ ପଦାର୍ଥ ନେବା ଆଣିବା ନ ହୁଏ, ତା' ଉପରେ ନଜର ରହିଛି । ଛୋଟ ଦୁଇ ଚକିଆଠୁ ଆରମ୍ଭ କରି ଚାରି ଚକିଆ ୧୦ଚକିଆ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଡ଼ିକୁ ଚେକ୍ କରାଯାଉଛି । ଯେଉଁମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି ତା' ଉପରେ ପୋଲିସର କଡା ନଜର ରହିଛି ।''
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ଆଚରଣ ବିଧି କଣ ? କଣ ରହିଛି ନିୟମ ଓ ସର୍ତ୍ତ
ପୋଲିସ କମିଶନରଙ୍କ ସହ ଅତିରିକ୍ତ ପୋଲିସ କମିଶନର ସମସ୍ତ କାର୍ଯ୍ୟ ଉପରେ ନଜର ରଖିଛନ୍ତି । ଏପରିକି ଜିପିଏସ ଜରିଆରେ ନଜର ରଖାଯାଉଛି । ରାତ୍ରି ସମୟରେ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପଇଁନ୍ତରା ମାରୁଛନ୍ତି ନା ନାହିଁ ସେନେଇ ପୋଲିସ କଣ୍ଟ୍ରୋଲ ରୁମ ଅଧିକାରୀ ଓ୍ବାକି ଟକି ଜରିଆରେ ପିସିଆରକୁ ଆଲର୍ଟ କରୁଛନ୍ତି ।
କେଉଁ କେଉଁ ରୁଟରେ ପାଟ୍ରୋଲିଂ ହେଉଛି ସେନେଇ ରିପୋର୍ଟ ମଧ୍ୟ ଦେଉଛନ୍ତି । ସମସ୍ତ ଥାନା ଅଞ୍ଚଳରେ ମଧ୍ୟ ପୋଲିସ କର୍ମଚାରୀ ଗତିବିଧି ଉପରେ ନଜର ରଖୁଛନ୍ତି । ଅବାଧ ଓ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା ପାଇଁ ପୋଲିସ ଆଗୁଆ ସଜାଗ ହେବା ସହ ପ୍ରତିଟି ସହରର ଗତିବିଧି ଉପରେ ନଜର ରଖୁଛି । ଏନେଇ ଏବେଠୁ ଚେକିଂ ବ୍ଲକିଂ ଓ ପାଟ୍ରୋଲିଂ କଡାକଡି ହେଲେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ସୁରକ୍ଷିତ ବାତାବରଣ ରହିବ ଓ ଅପରାଧିଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବ ।
ଇଟିଭି ଭାରତ, ଭୁବନେଶ୍ୱର