ଭୁବନେଶ୍ୱର: ସୁଧ କାରବାରକୁ ନେଇ ପଦ୍ମକେଶରପୁରରେ ଶ୍ବଶୁର ଓ ବୋହୂଙ୍କୁ ମରଣାନ୍ତଙ୍କ ଆକ୍ରମଣ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସୁଧ କାରବାର ନେଇ ମରଣାନ୍ତକ ଆକ୍ରମଣ ଘଟଣାରେ ସେହି ଗାଁର ବାବୁଲା ଦାସ ଓ ତାପସ ଦାସଙ୍କୁ ଗିରଫ କରାଯାଇଛି । ହେଲେ ଏବେ ବି ଗାଁରେ ସ୍ବାଭାବିକ ସ୍ଥିତିକୁ ନେଇ ଚିନ୍ତାରେ ରହିଛି ପୋଲିସ ।
ପୋଲିସର ସୁଚନା ମୁତାବକ, ଗତ ୧୦ ତାରିଖରେ ପଦ୍ମକେଶରପୁରରେ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ପରିବାରର ଶ୍ବଶୁର ଓ ବୋହୂଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ଅନ୍ୟ ଏକ ଗୋଷ୍ଠୀର କିଛି ସୁଧ ବେପାରୀ । ଯାହାକୁ ନେଇ ଦେଖାଦେଇଥିଲା ଅସନ୍ତୋଷ । ଢେଲାମାଡ ଓ ପଥର ମାଡ଼ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ପୋଲିସ ତଦନ୍ତ ବେଳେ ଜଣାପଡିଥିଲା ଯେ ସୁଧ କାରବାର ନେଇ ଏହି ଗଣ୍ଡଗୋଳ ହୋଇଥିଲା । ସେହି ଅଞ୍ଚଳରେ ସମିତି ସଭ୍ୟର ପରିଚୟ ଦେଇ ଦବଦବା ରଖିଛନ୍ତି କିଛି ଗୋଷ୍ଠୀ । ବାବୁଲା ଦାସ ଓ ତାପସ ଦାସ ନିରୁପମା ଦାସଙ୍କ ଘରକୁ ଆସି ସୁଧ ଟଙ୍କାକୁ ନେଇ କଥା କଟାକଟି ହୋଇଥିଲା । ଏହାପରେ ଉଭୟ ବୋହୂ ଓ ଶ୍ବଶୁରଙ୍କୁ ଆକ୍ରମଣ କରିଥିଲ । ଏନେଇ ନିରୁପମା ଦାସ ମହେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିବା ସହ ଏକ ଛୁରି ଜବତ କରିଛି ।
ଅଭିଯୁକ୍ତଙ୍କୁ ଗିରଫ ପରେ ମଧ୍ୟ ପୋଲିସ ଏହି ଘଟଣାକୁ ନେଇ ଚିନ୍ତାରେ ରହିଛି । କାରଣ ପୂର୍ବରୁ ସେହି ଗାଁରେ ଦୁଇ ଦୁଇ ଥର ବଡ଼ ଧରଣର ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ପ୍ରଥମ ଘଟଣା ଘଟିଥିଲା ଗତ ବର୍ଷ ସେପ୍ଟେମ୍ବର ୧ ତାରିଖରେ । ଦୁଇ ଗୋଷ୍ଠୀ ଭିତରେ ସାଇଡମରାକୁ ନେଇ ସଂଘର୍ଷ ହେବା ପରେ ପରେ ଉଗ୍ର ରୂପ ନେଇଥିଲା । ଫଳରେ ବୋତଲ ମାଡ, ଢେଲା ମାଡ଼, ଘର ଭଙ୍ଗାରୁଜା ସହ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଏହି ଘଟଣାରେ ପୋଲିସ ଦୁଇ ଗୋଷ୍ଠୀର 4 ଜଣଙ୍କୁ ଗିରଫ କରିଥିଲା । ପରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ପୁଣି ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଗାଁ ଭିତରେ ଘର ଭଙ୍ଗାଭଙ୍ଗି ସହ ପୂର୍ବର ରାଗ ରଖି ଉଭୟ ଗୋଷ୍ଠୀ ମଧ୍ୟରେ ଭୟଙ୍କର ବିବାଦ ଉପୁଜିଥିଲା । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଲୋକେ ।
ଏହି ଘଟଣାରେ ପୋଲିସ ଗାଁର ୭୭ଜଣ ପୁରୁଷ ଓ ୫୪ଜଣ ମହିଳାଙ୍କୁ ଗିରଫ କରିଥିଲା । ଫଳରେ ଗାଁ ଜନଶୂନ୍ୟ ହୋଇଯାଇଥିଲା ।ଏହାପରେ ପୋଲିସ ଶାନ୍ତି କମିଟି ଗଠନ କରି ପରିସ୍ଥିତି ଉପରେ ନଜର ରଖିଥିଲା । ହେଲେ ପୁଣି ଗତ ୧୦ତାରିଖ ଘଟଣା ପୋଲିସର ଚିନ୍ତା ବଢାଇ ଦେଇଛି । କାରଣ ଆଗକୁ ସାଧାରଣ ନିର୍ବାଚନ ଯଦି ସେତେବେଳେ ସେଠାରେ ଏପରି ସ୍ଥିତି ଉପୁଜେ ତେବେ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ । ତେଣୁ ଏହା ପୂର୍ବରୁ ପୋଲିସ ଲୋକଙ୍କୁ ଚେତାବନୀ ଦେଇଛି । ଯିଏ ବି ଏଭଳି କାର୍ଯ୍ୟରେ ନିୟୋଜିତ ହେବ ସେ ନେଇ ଆଇନ ଅନୁଯାୟୀ ଗିରଫ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ୱର