କଟକ: ଫିଟୁଛି ଗ୍ୟାଙ୍ଗଷ୍ଟର ସକିଲର ଗୁମର । ଗ୍ୟାଙ୍ଗଷ୍ଟର ଟିଟୋକୁ ଚ୍ୟାଲେଞ୍ଜ ଦେବାକୁ ରଣକୌଶଳ କରୁଥିଲା କୁଖ୍ୟାତ ଅପରାଧୀ ସକିଲ । କଟକରେ ନିଜର ସାମ୍ରାଜ୍ୟ ବଢାଇବାକୁ ଅନେକ ଯୋଜନା କରୁଥିଲା ସକିଲ । ସେ ଜେଲ ଭିତରେ ହେଉ କିମ୍ବା ଜେଲରୁ ଫେରିବା ପରେ ହେଉ ସବୁ ସମୟରେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲା ସକିଲ । ସେଥିପାଇଁ ଯୁବକମାନଙ୍କୁ ନିଜ ସଙ୍ଗଠନରେ ସାମିଲ କରିବାକୁ ସକିଲ ଯୋଜନା କରୁଥିଲା ।
ସୂଚନା ଅନୁସାରେ, ଗତ ଗୁରୁବାର ସକିଲ ସମେତ ଯେଉଁ ୬ ଅପରାଧୀଙ୍କୁ ପୋଲିସ ଗିରଫ କରିଛି, ସେମାନେ ସମସ୍ତେ ୨୨ରୁ ୨୫ ବର୍ଷର ଯୁବକ । ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫର ଦେଇ ନିଜ ଗ୍ୟାଙ୍ଗକୁ ମଜବୁତ କରିବାକୁ ସକିଲ ଯୋଜନା କରୁଥିଲା । କେବଳ ସେତିକି ନୁହେଁ, ଆଗାମୀ ନିର୍ବାଚନରେ ସେ ପରୋକ୍ଷ ଭାବରେ ସାମିଲ ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ଜଣା ପଡ଼ିଛି । ସେହିପରି ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ଅପରାଧ ଘଟାଇବା ପାଇଁ ସେ କୁଆଡେ ଯୋଜନା ବି କରି ସାରିଥିଲା ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ...ସାଙ୍ଗ ସାଜିଲା ସୈତାନ: ଚେନ୍ନାଇରେ ହତ୍ୟା, ଓଡ଼ିଶାରେ ଆତ୍ମସମର୍ପଣ
କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ଗିରଫ ହୋଇଥିବା ସମସ୍ତ ଅପରଧୀଙ୍କ ଆର୍ଥିକ କାରବାରର ଯାଞ୍ଚ କରାଯିବ । ଏନେଇ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ସକିଲ ଏବଂ ତାର ୬ ଜଣ ସହଯୋଗୀ ଯେଉଁ କାର୍ ବ୍ୟବହାର କରୁଥିଲେ, ତାହା ବହୁ ଦାମୀ ଗାଡ଼ି । ଏହି ଦାମୀ ଗାଡ଼ି ସେମାନେ କେଉଁଠୁ ଆଣିଥିଲେ, କିଏ ସେମାନଙ୍କୁ ଆର୍ଥିକ ସହଯୋଗ କରୁଥିଲା ? ଜବତ ହୋଇଥିବା ୩ଟି ଦାମୀ ଗାଡି ଯଦି ସକିଲ କିମ୍ବା ଗିରଫ ହୋଇଥିବା ସହଯୋଗୀମାନଙ୍କର ନୁହେଁ, ତେବେ କିଏ ଏବଂ କାହିଁକି ଏମାନଙ୍କୁ ଏତେ ଦାମୀ ଗାଡି ଦେଇଥିଲେ, ତାହାର ମଧ୍ୟ ତଦନ୍ତ କରାଯିବ । ଏହା ସହିତ ସେମାନଙ୍କର କେତୋଟି ଆକାଉଣ୍ଟ ରହିଛି ଏବଂ ଆକାଉଣ୍ଟରେ କେତେ ଟଙ୍କା ରହିଛି, ତାହାର ମଧ୍ୟ ଯାଞ୍ଚ ହେବ । ସେମାନଙ୍କ ଆକାଉଣ୍ଟକୁ କେଉଁଠୁ କେଉଁଠୁ ଟଙ୍କା ନେଣଦେଣ ହୋଇଛି ଏ ତମାମ ଦିଗକୁ ଅତି ଗୁରୁତ୍ବର ସହ ତଦନ୍ତ କରାଯିବ ।" ସେହିପରି ସେମାନେ ଯେପରି କୋର୍ଟରେ ଦୋଷୀ ସାବ୍ୟସ୍ତ ହେବେ, ସେନେଇ ମଧ୍ୟ ତଥ୍ୟ ପ୍ରମାଣ ସଂଗ୍ରହ କରାଯିବ ବୋଲି ଡିସିପି କହିଛନ୍ତି ।
ଇଟିଭି ଭାରତ, କଟକ