ନୟାଗଡ଼: ସରକାରୀ ବସ ଦୁର୍ଘଟଣାରେ ରାଜସ୍ବ ନିରୀକ୍ଷକଙ୍କ ମୃତ୍ୟୁ । ନୟାଗଡ ଜିଲ୍ଲାର ଇଟାମାଟି ଥାନା ଅଞ୍ଚଳରେ ସରକାରୀ ବସ- ବାଇକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରାଜସ୍ବ ନିରୀକ୍ଷକଙ୍କ ମୃତ୍ୟୁ ଘଟିଛି । ମୃତ ଆରଆଇ ଜଣଙ୍କ ହେଲେ ପଞ୍ଚାନନ ସାହୁ । ସେ ଦଶପଲ୍ଲା ତହସିଲ ଅନ୍ତର୍ଗତ ପୋଇବାଡି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ବାଇକରେ ଦଶପଲ୍ଲାରୁ ଫେରୁଥିବା ବେଳେ OSRTC ବସ ତାଙ୍କୁ ଧକ୍କା ଦେଇଥିଲା । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲାର ଦଶପଲ୍ଲା ତହସିଲ ଅନ୍ତର୍ଗତ ପୋଇବାଡି ରାଜସ୍ୱ ନିରୀକ୍ଷକ ପଞ୍ଚାନନ ସାହୁ ସୋମବାର ଦିନ ସକାଳୁଆ ଅଫିସ ଥିବାରୁ ଅଫିସ କାର୍ଯ୍ୟ ସାରି ଦିନ ୧ଟା ସୁଦ୍ଧା ଘରକୁ ଫେରୁଥିବା ବେଳେ ଇଟାମାଟି ନିକଟସ୍ଥ ପୂଜା ଢାବା ନିକଟରେ ଦୁର୍ଘଟଣା ଘଟିଥିଲା । ଏକ OSRTC ବସ ହଠାତ ତାଙ୍କ ଉପରକୁ ମାଡିଯାଇଥିଲା ଯାହାଫଳରେ ବାଇକ ସହ ବସ ତଳେ ସେ ଚାପିହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ବହୁ ପରିଶ୍ରମ କରି ତାଙ୍କୁ ବସ ତଳୁ କାଢ଼ିବା ପରେ ତୁରନ୍ତ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ବଡ଼ରମା ଘାଟିରେ ପୋଲିଂ ପାର୍ଟି ବସ୍ ଦୁର୍ଘଟଣା, ୨୦ ଆହତ - Sambalpur Polling Bus Accident
ପଞ୍ଚାନନଙ୍କ ନିଜ ଘର ଫାସିପଡ଼ା ହୋଇଥିବା ବେଳେ ସେ ଇଟାମାଟି ପଞ୍ଚାୟତ ପଡିଆ ନିକଟରେ ଘର କରି ରହୁଥିଲେ । ନିଜ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବସର ଡ୍ରାଇଭର ଥାନାରେ ଅଟକ ରହିଥିବା ସୂଚନା ରହିଛି ।
ସେପଟେ ସମ୍ୱଲପୁରରେ ଶନିବାର ବିଳମ୍ବିତ ରାତିରେ ପୋଲିଂ ପାର୍ଟି ବସ ଦୁର୍ଘଟଣା ହୋଇଥିଲା । ଜମନକିରା ବ୍ଳକର ମୁଣ୍ଡେନପାଲି ଗାଁ ଓ ସାପଲତ ଗାଁର 258, 259, 260 ନମ୍ବର ବୁଥର କର୍ମଚାରୀମାନେ ମତଦାନ କାର୍ଯ୍ୟ ଶେଷ କରି ଇଭିଏମ୍, ଭିଭିପାଟ ଅନ୍ୟାନ୍ୟ ସାମଗ୍ରୀ ସହ ଏକ ବସ୍ରେ କୁଚିଣ୍ଡା ରିସିଭିଂ ସେଣ୍ଟରରେ ଏହାକୁ ଜମା ଦେବାକୁ ଯାଉଥିଲେ । 53 ନମ୍ବର ଜାତୀୟ ରାଜପଥର ବଡରମା ଘାଟିରେ ବସଟି ଅତିକ୍ରମ କରୁଥିବା ସମୟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଯେଉଥିରେ ୨୦ ଜଣ ପୋଲିଂ କର୍ମଚାରୀ ଆହତ ହୋଇଥିଲେ ।
ଇଟିଭି ଭାରତ, ନୟାଗଡ