ବାଲେଶ୍ବର: ମାଲେସିଆରେ ଜୁଡୋ ପ୍ରତିଯୋଗିତାରେ ଭାଗ ନେଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଦିବ୍ୟାଙ୍ଗ ଖେଳାଳି ସମ୍ବିତ। ଆଜି ବାଲେଶ୍ୱରରେ ପହଞ୍ଚିବା ପରେ ମୁକ ଓ ବଧିର ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସହର ପରିକ୍ରମା କରାଯାଇଥିଲା । ପରେ ଜିଲ୍ଲାପାଳଙ୍କୁ ଭେଟି ନିଜର ସଫଳତାର ଶ୍ରେୟ ମଧ୍ୟ ଦେଇଥିଲେ ସମ୍ବିତ।
ସମସ୍ତଙ୍କ ସହାୟତାରେ ଅସମ୍ଭବ ହେଲା ସମ୍ଭବ:
ଏସିୟାନ ଗେମରେ ଭାଗ ନେବାପାଇଁ ଚୟନ ସରିଥିବାବେଳେ ମାଲେସିଆ ଯିବା ପାଇଁ ତାଙ୍କ ପାଖରେ ବାଧକ ସାଜିଥିଲା ଅର୍ଥ । ଦିବ୍ୟାଙ୍ଗ ଜୁଡୋ ଖେଳାଳିର ପ୍ରତିଭା ବିଷୟରେ ଖବର ପାଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବହୁ ସାମାଜିକ ସଂଗଠନ ସହାୟତାର ହାତ ବଢ଼ାଇଥିଲେ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ନୂଆପୁର ପଞ୍ଚାୟତର ପିଞ୍ଛାପଲି ଅଞ୍ଚଳର ସୀତାନାଥ ଦାସ ଏବଂ ମାଳତୀ ଦାସଙ୍କ ପୁଅ ସମ୍ବିତ। ସମ୍ବିତ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାବେଳେ ଏହାକୁ ନିଜର ଅସହାୟତା ମନେ ନକରି ଜୁଡୋ ଅଭ୍ୟାସ କରି ବ୍ଲକ ଠାରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି । ଏବେ ମାଲେସିଆର କ୍ବାଲାଲାମପୁର ଠାରେ ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଦଶମ ଏସିୟା ପାସିଫିକ ଡିଫ ଗେମସ-୨୦୨୪ରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ପରିବାରରେ ଖୁସିର ଲହରୀ:
ପୁଅର ଏଭଳି ସଫଳତା ପାଇଁ ପରିବାର ଏବଂ ବନ୍ଧୁବର୍ଗ ସମସ୍ତେ ଖୁସି ଥିବାବେଳେ ମା' ମଧ୍ୟ ବହୁତ ଆନନ୍ଦିତ ଅଛନ୍ତି। ଆଗାମୀ ଦିନରେ ଆହୁରି ସମ୍ବିତ ଆଗକୁ ଯାଉ ବୋଲି ସେ ଲକ୍ଷ୍ୟ ରଖିଛନ୍ତି। ସମ୍ବିତଙ୍କ ମା' ମାଳତୀ ଦାସ କହିଛନ୍ତି, " ସେ ଖେଳିବାକୁ ଯିବାପାଇଁ ସମସ୍ତେ ସହଯୋଗ କରିଛନ୍ତି। ଜିଲ୍ଲାପାଳ ଓ କିଛି ବଦାନ୍ୟ ବ୍ୟକ୍ତି ସହାୟତା ପ୍ରଦାନ କରିଛନ୍ତି । ସେ ଦିଲ୍ଲୀରେ ରହି 15 ଦିନ ଅଭ୍ୟାସ କଲା, ତା'ପରେ ଡିସେମ୍ବର 3 ତାରିଖରେ ସେ ମାଲେସିଆ ଯାଇଥିଲା । 5 ତାରିଖରେ ଜୁଡୋ ଖେଳ ହେଲା । ସେଠାରେ ସେ ବ୍ରୋଞ୍ଜ ପଦକ ହାସଲ କରିଛି । ବହୁତ କଷ୍ଟରେ ସେ ଯାଇଥିଲା, ଗୋଡ଼ ଖରାପ ଥିବା ସତ୍ତ୍ୱେ ସେ ଏହି ପଦକ ହାସଲ କରିଛି । ଏବେ ଅଲମ୍ପିକ ପାଇଁ ସେ ପ୍ରସ୍ତୁତ ହେଲେ ତାକୁ ଅଧିକ ଟ୍ରେନିଂ ଦରକାର, ଅଭ୍ୟାସ ଦରକାର। ସେଥିପାଇଁ ସରକାରୀ ସହାୟତା ଆବଶ୍ୟକ, ସରକାର ସହାୟତା କଲେ ଆମେ ଖୁସି ହେବୁ।"
ଏହା ବି ପଢନ୍ତୁ...ମାର୍ଶଲ ଆର୍ଟ ଓ ଟାଇକୋଣ୍ଡୋ ପ୍ରତିଯୋଗିତା: ଗଞ୍ଜାମ ପାଇଲା ୩୫ ସ୍ବର୍ଣ୍ଣ, ୧୨ ରୌପ୍ୟ
ଏହାମଧ୍ୟ ପଢନ୍ତୁ.. ଭୁବନେଶ୍ବରରେ ହେବ Sports Valley : କ୍ରୀଡାମନ୍ତ୍ରୀ - Sports Minister Suryabanshi Suraj
ଏହା ବି ପଢନ୍ତୁ...ବାଲେଶ୍ବର ଦିବ୍ୟାଙ୍ଗ ଅଟୋ ଚାଳକ ଗୋପୀନାଥ, ସଂଘର୍ଷ ଭିତରେ ସାଉଁଟୁଛନ୍ତି ଖୁସି
ଅନ୍ୟପଟେ ସମ୍ବିତଙ୍କ ଦାଦା କାଶୀନାଥ ଦାସ ସମ୍ବିତକୁ ପିଲାଟି ଦିନରୁ ଟ୍ରେନିଂ ଦେଇ ଆସୁଥିବାବେଳେ ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି," ମୁଁ ତାକୁ ଶିଖାଇବାକୁ 20 ବର୍ଷ ହେଲା ପ୍ରୟାସ ଜାରି ରଖିଛି । ଛୋଟବେଳରୁ ସେ ଦିବ୍ୟାଙ୍ଗ ହୋଇଥିବାରୁ ଦୁଃଖ କେମିତି ଭୁଲିବ ସେନେଇ ଚେଷ୍ଟା ଜାରି ରହିଥିଲା। ଆଉ ଆଜି ଏମିତି ଜଣେ ପିଲାକୁ ଜନ୍ମଦେଇ ବାପା ମା ଧନ୍ୟ। ମୁଁ ପ୍ରଶାସନକୁ ନିବେଦନ କରୁଛି ପୂର୍ଣ୍ଣମାତ୍ରାରେ ସହଯୋଗ କରନ୍ତୁ।"
ଇଟିଭି ଭାରତ, ବାଲେଶ୍ବର