ଭୁବନେଶ୍ବର: ଦେଶର ଜନସଂଖ୍ୟା ହାର ଅନୁଯାୟୀ ମହିଳାମାନେ ପୁରୁଷଙ୍କ ସମାନ ସ୍ଥିତିରେ ରହିଛନ୍ତି । ବିଭିନ୍ନ ସରକାର ଦ୍ବାରା ମହିଳା ସଶକ୍ତୀକରଣ ପାଇଁ ଯୋଜନା କରାଯାଉଥିଲେ ମଧ୍ୟ ତାହା ଉଦ୍ଧିଷ୍ଟ ଲକ୍ଷ୍ୟ ପୂରଣ ଠାରୁ ଅନେକ ଦୂରରେ ରହିଛି । ତେବେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ପାଳନ ହେବାକୁ ଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ । ତେବେ ଏହି ପରିପ୍ରେକ୍ଷୀରେ କ୍ରୀଡ଼ା, ସଂଗୀତ, ନୃତ୍ୟ ଭଳି ନାନା କ୍ଷେତ୍ରରେ ପ୍ରତିଭାଶାଳୀ ମହିଳାମାନଙ୍କୁ ସମାଜରେ ସମ୍ମାନିତ କରିବାକୁ ପ୍ରୟାସ ଆରମ୍ଭ କରିବାକୁ ଯାଉଛି ପିପୁଲ୍ସ ଫୋରମ୍ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ।
ଏହି ୨ ସଂସ୍ଥାର ପ୍ରତିଷ୍ଠାତା ଗୋବିନ୍ଦ ପଟ୍ଟନାୟକ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଲୁକ୍କାୟିତ ମହିଳା ପ୍ରତିଭାଙ୍କୁ ଠାବ କରି ସେମାନଙ୍କୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ସହ ସମାଜରେ ସମ୍ମାନ ଦେବା ଆମର ମୂଳଲକ୍ଷ୍ୟ । ଏହି କାର୍ଯ୍ୟରେ ଗଣମାଧ୍ୟମ ଆଗେଇ ଆସି ଉକ୍ତ ମହିଳାଙ୍କୁ ଚିହ୍ନଟ କରି ଆମକୁ ଜଣାଇଲେ ଆମେ ସେମାନଙ୍କୁ ସବୁକ୍ଷେତ୍ରରେ ସାହାଯ୍ୟ କରିବୁ । ଏହି କାର୍ଯ୍ୟକ୍ରମର ନାଁ 'ଦେଶ କି ବେଟି, ପେହଚାନ ହମାରି' ରହିଛି । ଏଥିରେ ୧୦ଟି କାଟେଗୋରୀ ଯଥା ଖେଳ, ଶିକ୍ଷା, କୃଷି ଆଦି କ୍ଷେତ୍ରର ପ୍ରତିଭାଶାଳୀ ମହିଳାଙ୍କୁ ଚିହ୍ନଟ କରାଯିବ । ସାରା ଦେଶରୁ ୨ଟି ଗ୍ରୁପ ଯଥା ୧୦ରୁ ୧୭ ଏବଂ ୧୮ରୁ ୩୫ ବର୍ଷର ମହିଳାମାନଙ୍କୁ ସବୁସମ୍ଭବ ସହାୟତା କରାଯିବ । ସେହିପରି ସାମ୍ବାଦିକମାନେ କୌଣସି ମହିଳାଙ୍କ ସଫଳତା କିମ୍ବା ପ୍ରତିଭା ସମ୍ପର୍କିତ ଖବର ପ୍ରକାଶ କଲେ ସେମାନଙ୍କୁ ପ୍ରୋତ୍ସାହନ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ । ସିଲେକ୍ସନ କମିଟି ଜରିଆରେ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇଦିଆଯିବ ।
ଏହା ମଧ୍ୟ ପଢନ୍ତୁ ... ନୂଆ ରାହା ଦେଖାଇଲା ଗେଣ୍ଡୁ ଚାଷ, ଗ୍ରାମୀଣ ମହିଳା ହେଉଛନ୍ତି ସ୍ବାବଲମ୍ବୀ
ପିପୁଲସ ଫୋରମ୍ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ଦେଶର ୩୦ ଲକ୍ଷ ମହିଳାଙ୍କୁ ଆର୍ଥିକ ସ୍ତରରେ ମଜଭୁତ କରିବା ସହ ସିଧାସଳଖ ୩୦ ହଜାରରୁ ଅଧିକ ଶିକ୍ଷିତ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେଇଛି । ତେବେ ବିଭିନ୍ନ କ୍ଷେତ୍ରରେ ଯୁବତୀଙ୍କ ଠାରୁ ଆରମ୍ଭ କରି ବୟସ୍କା ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା ସହ ଚାକିରିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ 6 ତାରିଖରୁ ଆରମ୍ଭ କରାଯିବ। ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗୋବିନ୍ଦ ପଟ୍ଟନାୟକ । ଏହାଛଡ଼ା ମାନସିକ ବିକାରଗ୍ରସ୍ତ ମହିଳା ଓ ପୁରୁଷ, ଅନାଥ ଶିଶୁ, ଅସହାୟ ବୟୋବୃଦ୍ଧ ଓ ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ପ୍ରକାର ସେବା ଏହି ସଂସ୍ଥା ମାଧ୍ୟମରେ କାର୍ଯ୍ୟକ୍ରମ ଜାରି ରଖିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭ୍ୟ ଅଙ୍କିତା ନାୟକ, ଦେବାଶିଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର