ପୁଣେ: ଆଜି ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ । କେବଳ ରାଜ୍ୟରେ ନୁହେଁ ବରଂ ଦେଶ ବିଦେଶର ପ୍ରତି କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ଏହି ପର୍ବକୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟର ପୁଣେରେ ବସବାସ କରୁଥିବା ଓଡ଼ିଆମାନେ ଏହି ପର୍ବକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି । ସ୍ୱାଭିମାନୀ ଓଡ଼ିଆ ଓ୍ବିମେନ୍ସ ଓ୍ୱାର୍ଲ୍ଡ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାଖାପାଖି 300 ଓଡ଼ିଆ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଉପଭୋଗ କରିଥିଲେ ।
ଶନିବାର ଦିନ ପୁଣେ ସହରରେ ସ୍ୱାଭିମାନୀ ଓଡ଼ିଆ ଓ୍ବିମେନ୍ସ ଓ୍ୱାର୍ଲ୍ଡ ପକ୍ଷରୁ ପଣା ସଂକ୍ରାନ୍ତି-2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ସମୃଦ୍ଧତା ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ ପାଇଁ ଏହି ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଥାଏ | ତେବେ ଏହି ଅନୁଷ୍ଠାନର ପରିଚାଳକମାନଙ୍କ କହିବାନୁଯାୟୀ, ଏହି ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ ଦାୟିତ୍ୱ ଏବଂ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଦିବ୍ୟାଙ୍ଗ ପିଲାମାନଙ୍କୁ ସହାୟତା ଯୋଗାଇବା ।
ଅନୁଷ୍ଠାନ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ତାରା ସୋଫୋଶ କେନ୍ଦ୍ର, ପିମ୍ପଲେ ଗୁରଭ, ପୁଣେକୁ ସହଯୋଗ କରିବାକୁ ଏହି ପଦକ୍ଷେପ ନିଆଯାଉଛି । SOFOSH (ସୋସାଇଟି ଅଫ୍ ଫ୍ରେଣ୍ଡସ୍ ଅଫ୍ SASOON ହସ୍ପିଟାଲ୍) ପରିବାରରୁ ବଞ୍ଚିତ ତଥା ଦରିଦ୍ର ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏହି ଅନୁଷ୍ଠାନ କାମ କରିଥାଏ । ପିଲାମାନଙ୍କୁ ଆଶ୍ରୟ ଯୋଗାଇଦେବା ତଥା ସର୍ବୋତ୍ତମ ଯତ୍ନ, ଚିକିତ୍ସା ସେବା, ଶିକ୍ଷା, ସାମଗ୍ରିକ ଅଭିବୃଦ୍ଧି ଏବଂ ବିକାଶ ପାଇଁ ପ୍ରୟାସ କରାଯାଏ ।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଶତାଧିକ ଓଡ଼ିଆ ସାମିଲ ହୋଇଥିବା ବେଳେ ସେମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା । କୁନି କୁନି ପିଲାମାନଙ୍କ ଦ୍ୱାରା ଓଡ଼ିଶୀ ଓ ସମ୍ବଲପୁର ନୃତ୍ୟ ପରିବେଷଣ କରାଯାଇଥିଲା । ସେମାନଙ୍କ ନୃତ୍ୟ ଓ ଗୀତ ତାଳେ ତାଳେ ଦର୍ଶକମାନେ ଝୁମିଥିଲେ । ଅନ୍ୟପଟେ ମି ପୁଚ ପୁଚ, ଷଡଙ୍ଗୀ ବାବୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜି ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶାରଦା, ସ୍ମରଣିକା, ଆଦ୍ୱାଶା, ନମ୍ରତା, ଶ୍ୟାମଲିକା, ଦେବଜାନୀ, ସ୍ମିତା, ସ୍ନେହଲ, ଶ୍ୱେତା ସୁଚାରୁ ରୂପେ ପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ