ସମ୍ବଲପୁର: ମା' ସମଲେଶ୍ବରୀ ମନ୍ଦିର ପରିସରରେ ଏଣିକି ଗୁଟଖା, ପାନ ବ୍ୟାନ । ସମଲେଶ୍ବରୀ ମନ୍ଦିର ପରିସରରେ ଆସନ୍ତାକାଲିଠାରୁ ପାନ ମସଲା, ଗୁଟକା ଆଦି ମାଦକ ଦ୍ରବ୍ୟର ବ୍ୟବହାର ଉପରେ ରୋକ ଲଗାଯାଇଛି । ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯେ ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରାଯାଇଛି । ସମଲେଇ ପ୍ରକଳ୍ପ ହେବା ପରେ ମନ୍ଦିରର ଭବ୍ୟ ରୂପାନ୍ତରଣ ହୋଇଛି । ତେଣୁ ମନ୍ଦିରର ପବିତ୍ରତା ଓ ସୁନ୍ଦରତା ରକ୍ଷା କରିବା ମନ୍ଦିର ଟ୍ରଷ୍ଟ, ପୂଜକ ଓ ଭକ୍ତଙ୍କ ସର୍ବୋପରି ଦାୟିତ୍ବ । ଏହିକ୍ରମରେ ମନ୍ଦିର ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ମଦ, ଗୁଟଖା, ପାନମସଲା ଆଦି ମାଦକ ଦ୍ରବ୍ୟର ସେବନକୁ ନିଷିଦ୍ଧ କରାଯାଇଛି ।
ଯଦି ମନ୍ଦିର ପରିସରରେ କୌଣସି ବ୍ୟକ୍ତି ପାନ ଗୁଟଖା ଆଦି ମାଦକ ଦ୍ରବ୍ୟ ବ୍ୟବହାର କରୁଥିବାର ଧରା ପଡେ ତାହେଲେ ଫାଇନ କରାଯିବ ବୋଲି କୁହାଯାଇଛି । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି । ଏଭଳି ସ୍ଥିତିରେ ମନ୍ଦିରର ପରିବେଶର ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଶ୍ରଦ୍ଧାଳୁଙ୍କ ସୁବିଧା, ଅସୁବିଧା ଉପରେ ନଜର ରଖିବା ତଥା ଗୁଟଖା ଓ ପାନ ମସଲା ଉପରେ ରୋକ ଲଗେଇବାକୁ ମନ୍ଦିରର ସବୁ ପାର୍ଶ୍ଵରେ ସିସିଟିଭି ଲଗେଇବାକୁ ଯୋଜନା କରାଯାଉଛି ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ... ସ୍ବପ୍ନର ସହର ଭୁବନେଶ୍ବର, ନା ଥକିଛି ନା ଅଟକିଛି - Bhubaneswar Foundation Day
ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପରେ ମା' ସମଲେଶ୍ବରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି, ଯାହାକି ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ଦେଉଛି । ପ୍ରଥମେ ୪.୪୨ ଏକର ଜମିରେ ମାଆଙ୍କ ମନ୍ଦିର ଥିବାବେଳେ ସମଲେଇ ପ୍ରକଳ୍ପରେ ଆଜି ପ୍ରାୟ ୪୦ ଏକର ଜମିରେ ପରିବ୍ୟାପ୍ତ ହୋଇଛି । ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି । ଏଠାରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରୁଛନ୍ତି । ମନ୍ଦିର ଚତୁଃପାର୍ଶ୍ବରେ ସୁଉଚ୍ଚ ତୋରାଣ, ଐତିହାସିକ କରିଡର, ଶୌଚାଳୟ, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ, ମହାନଦୀ ଘାଟର ଉନ୍ନତିକରଣ, ରିଙ୍ଗ ରୋଡ ସୌନ୍ଦର୍ଯ୍ୟକରଣ, ଫୁଟ୍ ଓଭରବ୍ରିଜ, ଫୁଡ ପାର୍କ, ସ୍ଥାପତ୍ୟ ପାର୍କ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ କରାଯାଇଛି ।
ସମଲେଶ୍ବରୀ ପୀଠକୁ ଆସୁଥିବା ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରତି ପ୍ରାଥମିକତା ଦିଆଯାଇଛି । ମନ୍ଦିରର ମୁଖ୍ୟ ଦ୍ବାର, ଯେଉଁପଟେ ପ୍ରବେଶ କରାଯିବ ତା' ସମ୍ମୁଖରେ ଜୋତା, ଚପଲ ଷ୍ଟାଣ୍ଡର ବ୍ୟବସ୍ଥା ରହିଛି । ମନ୍ଦିରର ଉତ୍ତର ପାର୍ଶ୍ବରେ ରହିଛି ମିଶନ ଶକ୍ତି କାଫେ । ଏହି କାଫେକୁ ଦୁଇଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ପରିଚାଳନା ଦାୟିତ୍ବ ପାଇଥିବା ବେଳେ ଏଠାରେ ଖାଣ୍ଟି ସମ୍ବଲପୁରିଆ ଘରୋଇ ଖାଦ୍ୟ ଉପଲବ୍ଧ ହେଉଛି ।
ଇଟିଭି ଭାରତ, ସମ୍ବଲପୁର