ସମ୍ବଲପୁର: ଆଜି ଅଯୋଧ୍ୟାରେ ରାମଲଲାଙ୍କ ବହୁ ପ୍ରତିକ୍ଷୀତ ପ୍ରାଣ ପ୍ରତିଷ୍ଠା ହୋଇଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ କେଉଁଠି ମିଠା ବଣ୍ଟା ଯାଉଛି ତ କେଉଁଠି ଭଜନ କାର୍ଯ୍ୟକ୍ରମ ହେଉଛି । ସକାଳେ ସମ୍ବଲପୁରରେ ଜିଲ୍ଲା ବିଜେପି ପକ୍ଷରୁ 52 କ୍ବିଣ୍ଟାଲ ମିଠେଇ ବଣ୍ଟା ଯାଇଥିଲା । କେବଳ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଏହି ମିଠେଇ ବଣ୍ଟା ଯାଇଥିଲା । ସନ୍ଧ୍ୟା ସମୟରେ ସମ୍ବଲପୁର ମହାନଦୀର ଅଯୋଧ୍ୟା ସରୋବର ବା ମାରୱାଡି ଘାଟରେ ଏକ ନିଆରା ଦୀପୋତ୍ସବ ପାଳିତ ହୋଇଛି । ଏହି ଦୀପ ଉତ୍ସବରେ ପ୍ରଜ୍ବଳିତ ହୋଇଛି 1 ଲକ୍ଷ 11 ହଜାର 111 ମାଟି ଦୀପ । ଏହି କାର୍ଯ୍ୟକ୍ରମ ଦେଖିବାକୁ ଜମିଛି ହଜାର ହଜାର ଲୋକଙ୍କ ଭିଡ଼ ।
ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମାରାୱାଡି ଯୁବା ମଞ୍ଚର ନବଚେତନା ଶାଖା ପକ୍ଷରୁ ଆୟୋଜିତ ଏହି ଦୀପୋତ୍ସବରେ ମାରାୱାଡି ଘାଟରେ ଏକା ସାଙ୍ଗରେ 1 ଲକ୍ଷ 11 ହଜାର 111 ମାଟି ଦୀପ ପ୍ରଜ୍ବଳନ କରାଯାଇଛି । ଏଥିପାଇଁ 4500 ଲିଟର ତେଲ ବ୍ୟବହାର ହୋଇଥିବା ସୂଚନା ମିଳିଛି । ଏହା ସହିତ ସ୍ଥାନୀୟ ପଣ୍ଡିତ ମାନଙ୍କୁ ନେଇ ବିଷ୍ଣୁ ସହସ୍ର ନାମ ଜପ ମଧ୍ୟ କରାଯାଇଛି । ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଛି । ଆଜି ସନ୍ଧ୍ୟାରେ ମହାନଦୀ କୂଳରେ ଏହି ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଅନ୍ୟପଟେ ମହାନଦୀ ଜଳ ରାଶିରେ ମଧ୍ୟ ପ୍ରଦୀପ ପ୍ରଜ୍ବଳନ କରାଯାଇ ଭସା ଯାଇଥିଲା । ଏହି ମନୋରମ ଦୃଶ୍ୟ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେରେ ଆଜି ମାରାୱାଡି ଘାଟରେ ଆତସବାଜି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ସମ୍ବଲପୁରରେ ବିଜେପି ବାଣ୍ଟିଲା 52 କ୍ୱିଣ୍ଟାଲ ମିଠା
ଏହା ମଧ୍ୟ ପଢ଼ନ୍ତୁ...ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ବ୍ରହ୍ମପୁର ଉପକଣ୍ଠରେ ବିରାଟ ଶୋଭାଯାତ୍ରା
ସେପଟେ ପ୍ରଜ୍ବଳନ ହୋଇଥିବା 1 ଲକ୍ଷ 11 ହଜାର 111 ମାଟି ଦୀପ ତିଆରି କରିଥିବା କୁମ୍ଭାର ପରିବାର ସଦସ୍ୟ ମାନଙ୍କୁ ମଧ୍ୟ ଡକାଯାଇ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହିତ କାର୍ଯ୍ୟକ୍ରମରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ଇଟିଭି ଭାରତ, ସମ୍ବଲପୁର