କଟକ: ଏଣିକି ଅଦାଲତରେ ଦାଖଲ ହେଉଥିବା ମାମଲାରେ ପକ୍ଷଙ୍କ ଜାତି ଓ ଧର୍ମ ନେଇ କୌଣସି ସୂଚନା ଉଲ୍ଲେଖ କରାଯିବ ନାହିଁ । ଏ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓଡ଼ିଶା ହାଇକୋର୍ଟ ମଧ୍ୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ନିର୍ଦ୍ଦେଶ ସମସ୍ତେ କର୍ତ୍ତବ୍ୟନିଷ୍ଠ ଭାବେ ପାଳନ କରିବେ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଶାମା ଶର୍ମା ବନାମ କିଶନ କୁମାର ମାମଲାରେ ୨୦୨୪, ଜାନୁଆରୀ ୧୦ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସୁପ୍ରିମକୋର୍ଟ, ହାଇକୋର୍ଟ ଓ ସବ୍-ଅର୍ଡିନେଟ୍ କୋର୍ଟରେ ଦାଖଲ ହେଉଥିବା ପିଟିସନ/ସୁଟ/ପ୍ରୋସିଡିଂରେ ପକ୍ଷଙ୍କ ଜ୍ଞାପକ (ମେମୋ)ରେ ପକ୍ଷଙ୍କ ଜାତି/ଧର୍ମ ଦୃଶ୍ୟମାନ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶର୍ମା ମାମଲାର ଶୁଣାଣି ସମୟରେ ଜ୍ଞାପକରେ ପକ୍ଷଙ୍କ ଅନ୍ୟ ତଥ୍ୟ ସହିତ ଜାତି ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଥିଲା । ନିମ୍ନ ଅଦାଲତରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଥିବାରୁ ସୁପ୍ରିମକୋର୍ଟରେ ମଧ୍ୟ ସମାନ ତଥ୍ୟ ଦିଆଯାଇଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦର୍ଶାଇଥିଲେ ।
ତେବେ କୋର୍ଟରେ ପକ୍ଷଙ୍କ ଜାତି ଓ ଧର୍ମ ସଂକ୍ରାନ୍ତରେ ଉଲ୍ଲେଖ କରାଯିବା ପଛରେ କିଛି କାରଣ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏଭଳି ଅଭ୍ୟାସ ବନ୍ଦ ହେବା ଉଚିତ ବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଜୁନିଅର ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ୍, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର
ଏହା ମଧ୍ୟ ପଢନ୍ତୁ: 29 ସପ୍ତାହର ଗର୍ଭ ନଷ୍ଟ କରିବା ଆଦେଶ ଫେରାଇ ନେଲେ ହାଇକୋର୍ଟ
ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ସାଧାରଣ ନିର୍ଦ୍ଦେଶନାମା ଜାରି କରିଥିଲେ । ମାମଲାରେ ପକ୍ଷଙ୍କ ସମ୍ପର୍କରେ ଜାତି କିମ୍ବା ଧର୍ମ ସଂକ୍ରାନ୍ତରେ ଉଲ୍ଲେଖ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସବୁ ହାଇକୋର୍ଟ ଏହି ନିର୍ଦ୍ଦେଶ ପାଳନ ପ୍ରସଙ୍ଗ ସୁନିଶ୍ଚିତ କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହି ନିର୍ଦ୍ଦେଶ ସମସ୍ତେ କର୍ତ୍ତବ୍ୟନିଷ୍ଠ ଭାବେ ପାଳନ କରିବେ ବୋଲି ଓଡ଼ିଶା ହାଇକୋର୍ଟ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ : 'କରୱା ଚୌଥ'କୁ ନେଇ ମହାଭାରତ, ବ୍ରତ ନରଖିବା କ୍ରୁରତା ନୁହେଁ କହିଲେ ହାଇକୋର୍ଟ
ଇଟିଭି ଭାରତ, କଟକ