ମାଲକାନଗିରି: କୋରକୋଣ୍ଡାରେ 5 ତାରିଖରେ ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାର ଫର୍ଦ୍ଦାଫାସ କରିଛି ପୋଲିସ । ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁହେଁ ହେଲେ, କୋରକୋଣ୍ଡାର ବାସିନ୍ଦା କମଳୁ ନାଗ (୩୮) ଏବଂ ନିକଟସ୍ଥ ଖିଲଗୁଡା ଗ୍ରାମର ରାକେଶ ଢାଲି (୩୦) । ପ୍ରାଥମିକ ଜେରା ପରେ ଗତକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ସ୍ଥାନୀୟ ପୋଲିସ ।
- ପ୍ରଥମେ ଗଣଦୁଷ୍କର୍ମ ଓ ପରେ ହତ୍ୟା: ପୋଲିସ
ଘଟଣା ସମ୍ପର୍କରେ ମାଲକାନଗିରି ‘ଏସଡିପିଓ’ ସଚିନ ପଟେଲ କହିଛନ୍ତି,‘‘ କୋରକୋଣ୍ଡାରେ ଗତ ୫ ତାରିଖରେ ଜଣେ ବୃଦ୍ଧାଙ୍କ ମୃତଦେହ ପଞ୍ଚାୟତ ଷ୍ଟୋରରୁମ ନିକଟରୁ ଉଦ୍ଧାର ହୋଇଥିଲା । ଏନେଇ କୋରକୋଣ୍ଡା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଥିଲା । ପୁଲିସ ତଦନ୍ତରେ ଜାଣିପାରିଥିଲା ଯେ, ୪ ତାରିଖ ରାତିରେ ଖଇରପୁଟ ବ୍ଲକରେ ମାଲ୍ୟବନ୍ତ ମହୋତ୍ସବ ଚାଲିଥିଲା । କୋରକୋଣ୍ଡାର କମଳୁ ନାଗ (୩୮) ଏବଂ ନିକଟସ୍ଥ ଗ୍ରାମ ଖିଲଗୁଡାର ରାକେଶ ଢାଲି (୩୦) ମାଲ୍ୟବନ୍ତ ଉତ୍ସବ ଦେଖିବା ପରେ କୋରକୋଣ୍ଡାରେ ପହଞ୍ଚିଥିଲେ । ତେବେ ଏମାନଙ୍କ ମଧ୍ୟରୁ ଜଣେ ଉକ୍ତ ବୃଦ୍ଧାଙ୍କ ସହ ଫୋନ ନମ୍ବରରେ ସବୁବେଳେ କଥା ହେଉଥିଲା । ରାତିରେ ବୃଦ୍ଧାଙ୍କୁ ଏମାନେ ପମ୍ପ ହାଉସ ନିକଟକୁ ଡାକିଥିଲେ । ଦୁଇଜଣ ଅଭିଯୁକ୍ତ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ବୃଦ୍ଧାଜଣକ ପାଟି କରିବାରୁ ତାର ପାଟିକୁ ଜାବୁଡି ଧରିଥିଲେ ଅଭିଯୁକ୍ତ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁହେଁ ମୃତଦେହକୁ ପୁଣି ପଞ୍ଚାୟତ ଷ୍ଟୋରରୁମ୍ ନିକଟରେ ଫୋପାଡି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।’’
- କୋର୍ଟ ଚାଲାଣ ହେଲେ ଦୁଇ ଅଭିଯୁକ୍ତ:-
ପୋଲିସ ମୃତଦେହ ଜବତ କରିବା ସହ କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଡାକି ତଦନ୍ତ ଆରମ୍ଭ କରିଥିଲା । ସବୁ ଦିଗକୁ ତର୍ଜମା କରିବା ପରେ ଏହା ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବା ପରେ ଫୋନର ସାହାଯ୍ୟ ନେଇଥିଲା । ସେହି ଆଧାରରେ ଉଭୟ ଅଭିଯୁକ୍ତ ଧରା ପଡିଥିଲେ । କୋରକୋଣ୍ଡା ଥାନାଧିକାରୀ ହିମାଂଶୁ ଶେଖର ବାରିକ ଏହି ଘଟଣାର ତଦନ୍ତ କରୁଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗତକାଲି ପୋଲିସ କୋର୍ଟ ଚାଲାଣ କରିଛି ।
ଇଟିଭି ଭାରତ, ମାଲକାନଗିରି