ଜଗତସିଂହପୁର: 'ଆମ ଓଡ଼ିଶା,ନବୀନ ଓଡି଼ଶା କାର୍ଯ୍ୟକ୍ରମ'କୁ ଯିବା ବେଳେ ଅଘଟଣ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଯାଇଥିବା ଏକ ଟିମ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଫଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତଙ୍କୁ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବା ଜଣାପଡ଼ିଛି । ବାଲିକୁଦା ବ୍ଲକ ଅନ୍ତର୍ଗତ ଦଶବାଟିଆ-ବଗେଇପୁର ରାସ୍ତାରେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇଛି । ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିପାଟଣାର ଏକ ଘୋଡାନାଚ ଟିମକୁ ବ୍ଲକ ପ୍ରଶାସନ ପକ୍ଷରୁ 'ଆମ ଓଡ଼ିଶା-ନବୀନ ଓଡି଼ଶା' କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ନିୟୋଜିତ କରାଯାଇଥିଲା ।
ଏହି ସାଂସ୍କୃତିକ ଦଳ ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି 'ଆମ ଓଡ଼ିଶା,ନବୀନ ଓଡି଼ଶା' କାର୍ଯ୍ୟକ୍ରମ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି । ଆଜି ଏହି ସାଂସ୍କୃତିକ ଦଳକୁ ବାଲିକୁଦା ବ୍ଲକ ପ୍ରଶାସନ ପକ୍ଷରୁ ବର ମୁଣ୍ଡୁଳି ପଞ୍ଚାୟତକୁ ପଠାଯାଇଥିଲା । ଏକ ଡାଲା ଅଟୋରେ ସେମାନେ ଯାଉଥିବା ସମୟରେ ବୋଗେଇ-ଦଶ ବାଟିଆ ରାସ୍ତା ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗାଡ଼ି ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ସମସ୍ତେ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ନାମ ଇନ୍ଦ୍ରମଣି ଗୋଛାୟତ ହୋଇଥିବାବେଳେ ସେ ଘୋଡାନାଚ ଟିମରେ ଗାୟକ ଭାବେ କାର୍ଯ୍ୟ କରୁଥିଲେ ।
ଏହା ମଧ୍ୟ ପଢନ୍ତୁ...ବାଲେଶ୍ୱରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୧୨ ଆହତ, ପୁରୀରୁ ଫେରୁଥିଲେ ପଶ୍ଚିମବଙ୍ଗ
ଏହା ମଧ୍ୟ ପଢନ୍ତୁ...ବାଇକକୁ ପିଟିଲା ତୀର୍ଥଯାତ୍ରୀ ବସ୍ ! ଆହତଙ୍କୁ ଆମ୍ବୁଲାନ୍ସ ସେବା ମିଳିନଥିବା ଅଭିଯୋଗ
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଂସ୍କୃତିକ ଦଳମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ଅବଗତ କରାଇଥାନ୍ତି । ସାଂସ୍କୃତିକ ଦଳକୁ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଥାଏ । କିନ୍ତୁ ମାଲବାହୀ ଡାଲାଅଟୋରେ କିପରି ସାଂସ୍କୃତିକ କାର୍ଯ୍ୟକ୍ରମର କଳାକାରମାନଙ୍କୁ ନିଆ ଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ପରିବହନ ବିଭାଗର ନିୟମ ଅନୁସାରେ ମାଲବାହୀ ଯାନ ବାହନରେ ଲୋକଙ୍କୁ ନେବା ଆଣିବା ପାଇଁ ସମ୍ପୂର୍ଣ୍ଣ ବାରଣ ରହିଛି । ଏ ସମ୍ପର୍କରେ ବାଲିକୁଦା ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଜଗତସିଂହପୁର