ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ ଆସନ୍ତା ମେ‘ ୬ ତାରିଖରୁ ଆରମ୍ଭ ହେବ । ଏହି ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି (କମ୍ପ୍ୟୁଟର ବେସ ଟେଷ୍ଟ) ମୋଡରେ କରାଯିବ । ହେବାକୁ ଥିବା ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ତିନୋଟି ସିଫ୍ଟ ରହିବ । ପ୍ରତି ଦୁଇଘଣ୍ଟା ବ୍ୟବଧାନରେ ସିଫ୍ଟ ଓ୍ବାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ୮ ଟା ୩୦ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ୩୦ରେ ଶେଷ ହେବାକୁ ଥିବା ବେଳେ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।
ପ୍ରଥମ ଦିନ (୬ ତାରିଖ)ରେ ଏଲ୍ଇ-ଟେକ୍ (ଡିପ୍ଲୋମା) ପରୀକ୍ଷା ଥିବା ବେଳେ ୭ ତାରିଖରେ ଏଲ୍ଇ ଟେକ୍ (ଡିପ୍ଲୋମା), ଇଣ୍ଟିଗ୍ରେଟେଡ ଏମ୍ବିଏ (ଏକ ଘଣ୍ଟା) ଏବଂ ଏଲ୍ଇ ଟେକ୍ ବିଏସ୍ସି (ଏକ ଘଣ୍ଟା)ର ପରୀକ୍ଷା ରହିଛି । ସେହିଭଳି ୮ତାରିଖରେ ଏମ୍ବିଏ, ବି.କ୍ୟାଟ୍ (ସିନେମାଟୋଗ୍ରାଫି/ ସାଉଣ୍ଡ ରେକର୍ଡିଂ ଏବଂ ଡିଜାଇନ (ଏକ ଘଣ୍ଟା) ଏବଂ ଏଲ୍ଇ ଫାର୍ମ (ଏକ ଘଣ୍ଟା)ର ପରୀକ୍ଷା ରହିଛି । ସେହିଭଳି ୯ ତାରିଖରେ ବି.ଫାର୍ମର ପରୀକ୍ଷା ଥିବା ବେଳେ ୧୦ ତାରିଖରେ ଏମ୍ସିଏ, ବି.କ୍ୟାଟ୍ (ଫିଲ୍ମ ଏଡିଟିଙ୍ଗ-ଏକ ଘଣ୍ଟା), ଏମ୍.ଫାର୍ମ (ଏକ ଘଣ୍ଟା), ଏମ୍.ଆର୍କ, ଏମ୍.ପ୍ଲାନ ଏବଂ ଏମ୍.ଟେକର ପରୀକ୍ଷା ରହିଛି । ଛାତ୍ରଛାତ୍ରୀ ଆସନ୍ତା ୨୭ ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏ ନେଇ ବିଧିବଦ୍ଧ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏପଟେ ରାଜ୍ୟ ବାହାରର ପ୍ରାର୍ଥୀମାନେ ସରକାରୀ କଲେଜରେ ଆଡମିଶନ ପାଇବାକୁ ଯୋଗ୍ୟ ନୁହଁନ୍ତି। କିନ୍ତୁ ସେମାନେ ଓଡିଶା ସରକାରୀ ନିୟମ ଅନୁଯାୟୀ ଘରୋଇ କଲେଜରେ ଆଡମିଶନ ପାଇବାକୁ ଯୋଗ୍ୟ । ଓଡ଼ିଶାର ବିଭିନ୍ନ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟରେ B.Tech, B.Arch, B.Plan, Int। MSc ଏବଂ MBBS, BDS, BAMS, BHMS ପାଠ୍ୟକ୍ରମରେ ଆଡମିଶନ ପାଇଁ ପ୍ରାର୍ଥୀଙ୍କୁ JEE (MAIN)-2024 କିମ୍ବା NEET (UG) -2024 ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ହୋମିଓପାଥି କିମ୍ବା ଆୟୁର୍ବେଦ ପ୍ରାର୍ଥୀଙ୍କ PG ପାଠ୍ୟକ୍ରମରେ ଆଡମିଶନ ପାଇଁ AIAPGET-2024 ଆବଶ୍ୟକ । ତେବେ ଅଧିକ ସୂଚନା ପାଇବାକୁ ପରୀକ୍ଷାର୍ଥୀ www.ojee.nic.in/www.odishajee.com ୱେବସାଇଟ ଭିଜଟ କରିପାରିବେ।
ଇଟିଭି ଭାରତ, ଭୁବନେଶ୍ବର