ଭୁବନେଶ୍ବର: ଆଜି ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ଲୋକ କଳାକାରଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଞ୍ଚାର କାର୍ଯ୍ୟକ୍ରମ । ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା । ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ ଜାଣିବା ସହିତ ସରକାରଙ୍କ ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ।
ସୂଚନା ଅନୁସାରେ, ଏକ ମାସ ଧରି ରାଜ୍ୟର ୫୧ହଜାର ୧୬୮ଟି ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକକଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଲୋକ କଳାକାରମାନଙ୍କର ଖୁବ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମ କଳା ଓ କଳାକାରମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର 2010ରୁ କଳାକାର ସଂଘ ଗଠନ କରିଛନ୍ତି । ଏହା ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା । ଏବେ ସବୁ ଜିଲ୍ଲା ଓ ବ୍ଲକରେ କାର୍ଯ୍ୟକାରୀ ହୋଇପାରିଛି । କଳାକାରମାନଙ୍କ ସହଯୋଗରେ ଆଜି ଏହି ସଂଘ ଆଗକୁ ବଢୁଛି । ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜବୁତ କରାଯିବ । ସାରା ରାଜ୍ୟରେ ୨ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ ।" ଏଥିପାଇଁ ସେ ସମସ୍ତ ଲୋକ କଳାକାରଙ୍କୁ ଶୁଭକାମନା ଜଣାଇଛନ୍ତି । କଳାକାରଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଳାକାର ମାନେ ମୋର ପରିବାରର ସଦସ୍ୟ ଭଳି । ଆପଣମାନେ ଭଲ କାମ ଜାରି ରଖନ୍ତୁ ।
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି , "ଓଡିଶା ହେଉଛି ପାରମ୍ପରିକ କଳାର ଗନ୍ତାଘର । ରାଜ୍ୟ ସରକାର କଳାକାରମାନଙ୍କ କଲ୍ୟାଣ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ।" ସେପଟେ 5T ତଥା ନବୀନ ଓଡି଼ଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମର ସଂଯୋଜନା କରିଛନ୍ତି । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ 2 ଟି ବିଷୟ ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ପ୍ରଥମ କଥା ହେଲା 'କଳାକାରମାନଙ୍କ ସମ୍ମାନ' । ସେମାନଙ୍କୁ ସମ୍ମାନ ଦେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ତ ଦେୟ ତୁରନ୍ତ ପ୍ରଦାନ କରିବା ଉଚିତ । ଦ୍ୱତୀୟ କଥା ହେଉଛି 'ମିଶନ ଶକ୍ତି' ଯେପରି ସୁଦୃଢ ହୋଇଛି କଳାକାରମାନଙ୍କ ସଂଘ ଗୁଡିକ ମଧ୍ୟ ସେହିପରି ସୁଦୃଢ ହେବା ଆବଶ୍ୟକ । ଏଥିପାଇଁ ଜିଲ୍ଲାପାଳ, ବିଡିଓ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ।"
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ କହିଛନ୍ତି, "ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ୨୦୦୯-୧୦ ବର୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୂଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ଏକ mega IEC campaign । ଏଥିରେ ୧୦ ବିଭାଗର ୧୫ଟି ଯୋଜନାର ପ୍ରଚାର ପ୍ରସାର କରାଯିବ । ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ଲୋକଙ୍କ ପାଖରେ ସହଜରେ ଓ ସୁବିଧାରେ ପହଞ୍ଚି ପାରୁଛି । ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଲୋକକଳା ବଞ୍ଚାଇ ରଖିବାକୁ ପ୍ରୟାସ, 'କଳାକାରଙ୍କୁ ଖୁବଶୀଘ୍ର ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ'
ପାରମ୍ପରିକ ଦଣ୍ଡ ନାଚ, ରାସ, କରମା ସାନି ପାଲା, ଦାସକାଠିଆ, ସଂକୀର୍ତ୍ତନ, ଛଉ ନୃତ୍ୟ, ଘୋଡ଼ା ନାଚ, ମୋଗଲ ତାମସା, ପ୍ରହଲ୍ଲାଦ ନାଟକ, ସୁଆଙ୍ଗ, ରାମଲୀଳାର ପ୍ରଚାର ପ୍ରସାର କରାଯିବ । ସେହିପରି ଖଞ୍ଜଣୀ ଭଜନ, କେନ୍ଦରା ଗୀତ, ଚକୁଳିଆ ପଣ୍ଡା, ଭାରତଲୀଳା, ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଢାପ ନୃତ୍ୟ, ବଣ୍ଡା, କୋୟା, ସାନ୍ତାଳୀ, ପରଜା, ଢେମସା ଆଦି ଲୋକଗୀତ, ଲୋକନୃତ୍ୟ ଓ ଲୋକ ନାଟକ ରହିଛି । ଯାହାଦ୍ବାରା କଳାକାରମାନେ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ଗୁଡିକୁ ପ୍ରଚାର ପ୍ରସାର କରି ସଚେତନତା କରାଇବା ଏହି ଅଭିଯାନର ମୂଳଲକ୍ଷ୍ୟ । କଳାକାରମାନେ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କଳାକାରଙ୍କ ପାଇଁ ଏହି ସଂଘ ପ୍ରତିଷ୍ଠା କରିବାରେ ଓଡିଶା ହେଉଛି ଦେଶରେ ପ୍ରଥମ । ପ୍ରତି ଜିଲ୍ଲାରେ ଲୋକକଳା ଗ୍ରାମର ସ୍ଥାପନା କରାଯାଇଛି । ପ୍ରତିବର୍ଷ ଲୋକକଳା ଦିବସ ପାଳନ କରାଯାଉଛି । ବର୍ତ୍ତମାନ ରାଜ୍ୟର ୫୦ ହଜାର କଳାକାରମାନଙ୍କୁ 'ମୁଖ୍ୟମନ୍ତ୍ରୀ କଳାକାର ସହାୟତା' ପ୍ରଦାନ କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର